ପୁଲିସ ୟୁନିଫର୍ମ ପିନ୍ଧି ମାସ୍କ ପିନ୍ଧିନଥିବା ଲୋକଙ୍କଠାରୁ ଫାଇନ ଆଦାୟ କରୁଥିଲେ ନକଲି ମହିଳା କନେଷ୍ଟବଳ

ଭୋପାଳ: ପୁଲିସ ୟୁନିଫର୍ମ ପିନ୍ଧି ରାସ୍ତାରେ ଛିଡା ହେଉଥିଲେ, ଆଉ ଯେଉଁ ବ୍ୟକ୍ତି ମାସ୍କ ପିନ୍ଧୁନଥିଲେ ସେମାନଙ୍କ ପାଖରୁ ଫାଇନ ଆଦାୟ କରୁଥିଲେ | ଏଭଳି ଜଣେ ନକଲି ମହିଳା କନେଷ୍ଟବଳଙ୍କୁ ପୁଲିସ ଗିରଫ କରିଛି | ମିଳିଥିବା ସୂଚନା ମୁତାବକ ମଧ୍ୟପ୍ରଦେଶର ରତଲାମଠାରେ ଜଣେ ବିବାହିତା ମହିଳା ପୁଲିସ ୟୁନିଫର୍ମ ପିନ୍ଧି ପ୍ରତିଦିନ ବସଷ୍ଟାଣ୍ଡକୁ ଯାଉଥିଲେ | ବସଷ୍ଟାଣ୍ଡରେ ଥିବା ବସରେ ପଶି ଯେଉଁମାନେ ମାସ୍କ ପିନ୍ଧୁନଥିଲେ ସେମାନଙ୍କୁ ଟାର୍ଗେଟ କରି ଫାଇନ ଆଦାୟ କରୁଥିଲେ |

କେବଳ ଏତିକି ନୁହେଁ ଯେଉଁ ସବୁ ଦୋକାନ ବାହାରେ ଅଧିକ ଲୋକଙ୍କ ଗହଳି ଦେଖୁଥିଲେ ସେମାନଙ୍କ ପାଖରୁ ମଧ୍ୟ ଫାଇନ ଆଦାୟ କରିଥିଲେ | ତେବେ ଫାଇନ ଆଦାୟ କରୁଥିଲେ ବି କୌଣସି ରସିଦ ଦେଉନଥିଲେ | ଏହି ଘଟଣା ବାବଦରେ ଜଣେ ମହିଳାଙ୍କୁ ସନ୍ଦେହ ହେବାରୁ ସେ ରତଲାମ ନଗର ନିଗମକୁ ଏବାବଦରେ ସୂଚନା ଦେଇଥିଲେ |

ଆଉ ନଗର ନିଗମ ପକ୍ଷରୁ ଏ ନେଇ ପୁଲିସକୁ ସୂଚନା ଦିଆଯାଇଥିଲା | ସାଦା ପୋଷାକଧାରୀ ପୁଲିସମାନେ ମହିଳାଙ୍କୁ ଧରିବା ପାଇଁ ଜାଲ ବିଛାଇଥିଲେ | ଆଉ ଅବୈଧ ଭାବରେ ଫାଇନ ଆଦାୟ କରୁଥିବା ମହିଳାଙ୍କୁ ଧରିଥିଲା | ତେବେ ମହିଳା ଜଣକ ନିଜକୁ ଜାବରା ଥାନାର ଅଧିକାରୀ ବୋଲି ସୂଚନା ଦେଇଥିଲେ | ଆଉ ପୁଲିସ ଅନୁସନ୍ଧାନ କରି ସେଭଳି କୌଣସି ପୁଲିସ କର୍ମୀ ନଥିବା ଜାଣିବାକୁ ପାଇଥିଲା | ଆଉ ଏବେ ମହିଳଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି |

ସମ୍ବନ୍ଧିତ ଖବର