‘ସିଏଏ’ ବିରୋଧରେ ପ୍ରତିବାଦ କରିବାକୁ ଦିଲ୍ଲୀର ଜାଫ୍ରାବାଦ ମେଟ୍ରୋ ଷ୍ଟେସନ୍‌ ବାହାରେ ମହିଳା ସମାଗମ

ନୂଆଦିଲ୍ଲୀ: ‘ସିଏଏ’ ବିରୋଧରେ ପ୍ରତିବାଦ ପ୍ରଦର୍ଶନ କରିବାକୁ ଶନିବାର ରାତିରେ ଦିଲ୍ଲୀର ଜାଫ୍ରାବାଦ ମେଟ୍ରୋ ଷ୍ଟେସନ୍‌ ବାହାରେ ବହୁ ସଂଖ୍ୟକ ମହିଳା ଏକତ୍ର ହୋଇଥିଲେ। ଫଳରେ ସୀଲମପୁରରୁ ମୌଜପୁର ଏବଂ ଯମୁନା ବିହାର ଯାଇଥିବା ସଡ଼କ ନମ୍ବର ୬୬ ଅବରୋଧ ହୋଇଥିଲା।
ଅପ୍ରୀତିକର ପରିସ୍ଥିତି ଏଡ଼ାଇବା ଲାଗି ଘଟଣାସ୍ଥଳରେ ବ୍ୟାପକ ପୁଲିସ ମଧ୍ୟ ମୁତୟନ କରାଯାଇଥିଲା।

ପ୍ରତିବାଦକାରୀମାନେ କହିଥିଲେ ଯେ ‘ସିଏଏ’ ଏବଂ ‘ଏନ୍‌ଆର୍‌ସି’ ବିରୋଧରେ ଚାଲିଥିବା ଆନ୍ଦୋଳନକୁ ତୀବ୍ରତର କରିବା ନିମନ୍ତେ ଆଜିର ମହିଳା ସମାରୋହ ଏକ ଛୋଟିଆ ଉଦ୍ୟମ। ସମବେତ ପ୍ରତିବାଦକାରୀ ମହିଳାମାନେ ଦଳିତଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ମଧ୍ୟ ଦାବି କରିଥିଲେ।

Image Source: Dailyhunt

ମହିଳାମାନଙ୍କର ଏହି ପ୍ରତିବାଦରେ କେବଳ ମହିଳାମାନେ ହିଁ ନେତୃତ୍ୱ ନେଉଥିଲେ। କିନ୍ତୁ ପ୍ରତିବାଦ ସ୍ଥଳରେ କୌଣସି ମହିଳା ପୁଲିସ ଅଧିକାରୀ ଥିବାର ଦେଖାଯାଇ ନ ଥିଲା।

୨୦୧୯ ମସିହା ଡିସେମ୍ବର ମାସରେ ମଧ୍ୟ ଏହି ଭଳି ଏକ ପ୍ରତିବାଦ ପ୍ରଦର୍ଶନ ହୋଇଥିଲା। ସେଥିରେ ହଜାର ହଜାର ପ୍ରତିବାଦକାରୀ ପ୍ଲାକାର୍ଡ ଏବଂ ଜାତୀୟ ପତାକା ଧରି ‘ସିଏଏ’ ବିରୋଧରେ ସ୍ଲୋଗାନ୍‌ ଦେଇଥିଲେ। ଫଳରେ କେତେଗୁଡ଼ିଏ ମେଟ୍ରୋ ଷ୍ଟେସନ୍‌ ବନ୍ଦ ରହିଥିଲା। ଶେଷରେ ପୁଲିସ ୧୪୪ ଧାରା ପ୍ରୟୋଗ କରିଥିଲା।

ସମ୍ବନ୍ଧିତ ଖବର