ମାତ୍ର ୪ ଦିନର ମଜୁରି ପାଇଁ ସେମାନଙ୍କ ଗର୍ଭାଶୟ କାଢ଼ିଛନ୍ତି ମହାରାଷ୍ଟ୍ରର ୩୦ ହଜାର ଗରିବ ମହିଳା ଶ୍ରମିକ

ନାଗପୁର : କୃଷକଙ୍କ ଆତ୍ମହତ୍ୟା ନେଇ ସର୍ବଦା ଚର୍ଚ୍ଚାରେ ରହୁଥିବା ମହାରାଷ୍ଟ୍ରରେ ଗରିବ ମହିଳା ଶ୍ରମିକ ମାତ୍ର ୪ ଦିନର ମଜୁରି ପାଇଁ ସେମାନଙ୍କ ଗର୍ଭାଶୟ ବାହାର କରିଦେଉଥିବା ଘଟଣା ଏବେ ଆଲୋଡ଼ନ ସୃଷ୍ଟି କରିଛି । ମହାରାଷ୍ଟ୍ରରେ ପ୍ରାୟ ୩୦,୦୦୦ ଶ୍ରମିଜୀବୀ ମହିଳା ସେମାନଙ୍କ ଗର୍ଭାଶୟ ଅସ୍ତ୍ରୋପଚାର କରି ବାହାର କରିଦେଇଥିବା ଜଣାପଡ଼ିଛି। ଉକ୍ତ ମହିଳାମାନେ କୃଷି କ୍ଷେତ୍ରରେ ଦିନ ମଜୁରିଆ ଭାବେ କାମ କରନ୍ତି। ଋତୁଶ୍ରାବ ସମୟରେ ସେମାନେ ପ୍ରାୟ ୪ ଦିନ କାମକୁ ଯାଇପାରନ୍ତି ନାହିଁ। ଏ ବାବଦ ପାରିଶ୍ରମିକରୁ ବଞ୍ଚିତ ହୋଇ ପରିବାର ଚଳାଇବା କଷ୍ଟକର ଥିବାରୁ ସେମାନେ କାମ ବନ୍ଦ ନ କରିବାକୁ ନିଷ୍ପତ୍ତି ନେଇ ଏଭଳି ପଦକ୍ଷେପ ନେଇଛନ୍ତି। ପ୍ରାୟ ୩୦,୦୦୦ ମହିଳା ଗର୍ଭାଶୟ ବାହାର କରିଦେଇଥିବା କଂଗ୍ରେସ ଦଳର ଅନୁସୂଚିତ ଜାତି ବିଭାଗ ଅଧ୍ୟକ୍ଷ ତଥା କଂଗ୍ରେସ ନେତା ନୀତିନ ରାଉତ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କୁ ଏକ ପତ୍ର ଲେଖି ଏହି ସୂଚନା ‌ଦେଇଛନ୍ତି। ଆଖୁ କ୍ଷେତରେ କାମ କରୁଥିବା ମହିଳାମାନଙ୍କ ପାଇଁ କିଛି ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିବାପାଇଁ ସେ ଠାକ୍‌ରେଙ୍କୁ ଅନୁରୋଧ କରିଛନ୍ତି। କଂଗ୍ରେସ ନେତା ରାଉତ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରି କହିଛନ୍ତି ଯେ ମହିଳାମାନେ ଜୀବିକା ପାଇଁ ନିଜ ଜୀବନକୁ ବିପଦରେ ପକାଉଥିବାରୁ ଏହାକୁ ରୋକିବା ଦିଗରେ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ଜରୁରୀ ହୋଇପଡ଼ିଛି।

ଗୋଟିଏ ପଟେ ଭାରତ ୫ ଟ୍ରିଲିୟନ ଡଲାର ଅର୍ଥନୀତିର ଲକ୍ଷ୍ୟ ହାସଲ କରିବାକୁ ଚାହୁଥିବା ବେଳେ ଅନ୍ୟପଟେ ବାସ୍ତବ ସ୍ଥିତି ଅତ୍ୟନ୍ତ ଉଦ୍‌ବେଗଜନକ ରହିଛି ଏବଂ କୃଷି ଶ୍ରମିକମାନେ ଘୋର ଅନଟନ ଭିତରେ ବଞ୍ଚିବାକୁ ବାଧ୍ୟ ହେଉଛନ୍ତି। ମହାରାଷ୍ଟ୍ରର ମରାଠୱାଡ଼ା କ୍ଷେତ୍ରରେ ଗର୍ଭାଶୟ ବାହାର କରିଦେଇଥିବା ମହିଳାଙ୍କ ପରିବାରକୁ ଚିହ୍ନଟ କରି ସେମାନଙ୍କୁ ତତ୍କାଳ ସହାୟତା ଯୋଗାଇବା ସହ ମହିଳା କୃଷିଶ୍ରମିକଙ୍କ ପାଇଁ ସ୍ବତନ୍ତ୍ର ଯୋଜନା କାର୍ଯ୍ୟକାରୀ କରିବାକୁ ଦାବି ହୋଇଛି।

ସମ୍ବନ୍ଧିତ ଖବର