ମୁମ୍ବାଇ: ପାଖାପାଖି ଆଠ ଦଶନ୍ଧି ଧରି ଚାଲିଥିବା ଆଇନଗତ ଲଢେଇର ଅନ୍ତ ଘଟାଇ ବମ୍ବେ ହାଇକୋର୍ଟ ମହାରାଷ୍ଟ୍ର ସରକାରଙ୍କୁ ଦକ୍ଷିଣ ମୁମ୍ବାଇର ଦୁଇଟି ଫ୍ଲାଟକୁ ୯୩ ବର୍ଷ ବୟସ୍କା ମହିଳାଙ୍କୁ ମାଲିକାନା ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଫ୍ଲାଟଗୁଡିକ ଦକ୍ଷିଣ ମୁମ୍ବାଇର ରୁବି ମ୍ୟାନସନର ପ୍ରଥମ ମହଲାରେ ଥିବାବେଳେ ଏଗୁଡିକ ୫୦୦ ଏବଂ ୬୦୦ ବର୍ଗଫୁଟର ବୋଲି ଜଣାପଡିଛି |

Advertisment

ମିଳିଥିବା ସୂଚନା ମୁତାବକ ୨୮ ମାର୍ଚ୍ଚ ୧୯୪୨ରେ ତତ୍କାଳୀନ ଭାରତୀୟ ପ୍ରତିରକ୍ଷା ଅଧିନିୟମ ଅନୁଯାୟୀ ଏହି କୋଠାଟି ଅଧିଗ୍ରହଣ କରାଯାଇଥିଲା। ସେହି ସମୟର ବ୍ରିଟିଶ ଶାସକମାନେ ଏହି ସମ୍ପତ୍ତିକୁ କବଜା କରିବାକୁ ଅନୁମତି ଦେଇଥିଲେ। ତେବେ ଜଷ୍ଟିସ୍ ଆରଡି ଧନୁକା ଏବଂ ଏମଏମ ସାଥିୟେଙ୍କ ଖଣ୍ଡପୀଠ ତାଙ୍କ ଆଦେଶରେ କହିଛନ୍ତି ଯେ ଜୁଲାଇ ୧୯୪୬ରେ ଡି-ଡିମାଣ୍ଡ ଆଦେଶ ପାରିତ ହେବା ସତ୍ତ୍ୱେ ଏହି ଫ୍ଲାଟ କେବେ ବି ମାଲିକ ଏଲିସ ଡିସୁଜାଙ୍କୁ ହସ୍ତାନ୍ତର କରାଯାଇ ନଥିଲା |

ଏହି ସମ୍ପତ୍ତିଗୁଡିକ ବର୍ତ୍ତମାନ ଜଣେ ପୂର୍ବତନ ସରକାରୀ ଅଧିକାରୀଙ୍କ ଉତ୍ତରାଧିକାରୀଙ୍କ ଦଖଲରେ ରହିଛି | ବାସ୍ତବରେ ଏଲିସ ଡିସୁଜା ତାଙ୍କ ଆବେଦନରେ ମହାରାଷ୍ଟ୍ର ସରକାର ଏବଂ ମୁମ୍ବାଇ କଲେକ୍ଟରଙ୍କୁ ଜୁଲାଇ ୧୯୪୬ର ଡି-ଡିମାଣ୍ଡ ଆଦେଶ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଏବଂ ଫ୍ଲାଟର ମାଲିକାନା ତାଙ୍କୁ ହସ୍ତାନ୍ତର କରିବାକୁ ଅନୁରୋଧ କରିଥିଲେ । ଏଲିସ ଡିସୁଜା ତାଙ୍କ ପିଟିସନରେ ଦାବି କରିଥିଲେ ଯେ ବିଲଡିଂରେ ଥିବା ଅନ୍ୟ ଫ୍ଲାଟର ମାଲିକାନା ସେମାନଙ୍କ ମାଲିକଙ୍କୁ ହସ୍ତାନ୍ତର କରାଯାଇଥିବାବେଳେ ଡିମାଣ୍ଡ ଅର୍ଡର ପ୍ରତ୍ୟାହାର କରାଯାଇଥିଲେ ବି ଫ୍ଲାଟର ଅଧିକାର ମାଲିକଙ୍କୁ ଅର୍ଥାତ ତାଙ୍କୁ ହସ୍ତାନ୍ତର କରାଯାଇନଥିଲା | ଏହାର ଶୁଣାଣି କରି ଖଣ୍ଡପୀଠ କହିଛନ୍ତି ଯେ ରାଜ୍ୟ ସରକାର ୮ ସପ୍ତାହ ମଧ୍ୟରେ ବର୍ତ୍ତମାନର ଦଖଲକାରୀଙ୍କଠାରୁ ଦୁଇଟି ଫ୍ଲାଟକୁ ନେଇ ୯୩ ବର୍ଷ ବୟସ୍କା ମହିଳା ଏଲିସ ଡିସୁଜାଙ୍କୁ ଯେଭଳି ହସ୍ତାନ୍ତର କରାଯାଇପାରିବ, ସେନେଇ ବ୍ୟବସ୍ଥା କରିବେ |