ମହିଳାଙ୍କ ପ୍ରତି ସର୍ବୋଚ୍ଚ ସମ୍ମାନ ରହିଛି: ସୁପ୍ରିମକୋର୍ଟ

ଦୁଷ୍କର୍ମ ମାମଲା ରାୟକୁ କଦର୍ଥ କରାଯାଇଛି: ପ୍ରଧାନ ବିଚାରପତି ବୋବଡ଼େ

ନୂଆଦିଲ୍ଲୀ: ମହିଳାମାନଙ୍କ ପ୍ରତି ଅଦାଲତର ସର୍ବୋଚ୍ଚ ସମ୍ମାନ ରହିଛି ବୋଲି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ଏସ୍‌ ଏ ବୋବଡ଼େ କହିଛନ୍ତି। ନିକଟରେ ଜଣେ ଦୁଷ୍କର୍ମ ପୀଡ଼ିତାଙ୍କ ସହ ଅଭିଯୁକ୍ତର ବିବାହ ପ୍ରସ୍ତାବ ଦେଇ ସବୁ ମହଲରୁ ସମାଲୋଚିତ ହୋଇଥିବା ଜଷ୍ଟିସ୍‌ ବୋବଡ଼େ ଆଜି ଆନ୍ତର୍ଜାତିକ ମହିଳା ଦିବସରେ ଏପରି ଟିପ୍ପଣୀ କରିବା ଗୁରୁତ୍ବ ବହନ କରୁଛି। ଅପରପକ୍ଷେ, ଅଦାଲତର ଗୌରବ ସର୍ବଦା ଆଇନଜୀବୀଙ୍କ ହାତରେ ନ୍ୟସ୍ତ ରହୁଛି ଏବଂ ଦୁଷ୍କର୍ମ ମାମଲାରେ ତାଙ୍କ ରାୟକୁ ବିକୃତ ତଥା କଦର୍ଥ କରାଯାଇଛି ବୋଲି ସେ ସଫେଇ ଦେଇଛନ୍ତି।

ସୂଚନା ଥାଉ କି, ୨୬ ସପ୍ତାହର ଗର୍ଭବତୀ ଥିବା ଜଣେ ୧୪ ବର୍ଷୀୟା ଦୁଷ୍କର୍ମ ପୀଡ଼ିତା ଗତ ସପ୍ତାହରେ ଗର୍ଭ ନଷ୍ଟ ପାଇଁ କରିଥିବା ଆବେଦନର ଶୁଣାଣି ବେଳେ ଜଷ୍ଟିସ ବୋବଡ଼େଙ୍କ ନେତୃତ୍ବାଧୀନ ଖଣ୍ଡପୀଠ କୁଆଡ଼େ ପୀଡ଼ିତା ନାବାଳିକା ସଂପୃକ୍ତ ଅଭିଯୁକ୍ତକୁ ବିବାହ କରିବାକୁ ରାଜି କି ନୁହେଁ ବୋଲି ପ୍ରଶ୍ନ କରିଥିଲେ। ଏଥିରେ ପ୍ରତିକ୍ରିୟା ପ୍ରଦର୍ଶନ କରି ଦେଶର ୩,୫୦୦ରୁ ଅଧିକ ସଚେତନ ନାଗରିକ, ମହିଳା ସଂଗଠନର ପ୍ରତିନିଧି ଏବଂ ମହିଳା ଅଧିକାର କର୍ମୀ ଜଷ୍ଟିସ୍‌ ବୋବଡ଼େଙ୍କ ପାଖକୁ ଚିଠି ଲେଖି ସେ ଏଥିପାଇଁ ଇସ୍ତଫା ଦେବା ସହ କ୍ଷମା ମାଗିବାକୁ ଦାବି କରିଥିଲେ। ଏହା ଦ୍ବାରା ଭବିଷ୍ୟତରେ ଦୁଷ୍କର୍ମ କରିବାକୁ ଅଭିଯୁକ୍ତମାନଙ୍କ ପାଇଁ ବିବାହ ଏକ ଅନୁମତି ଭାବେ ବିବେଚିତ ହେବା ସହ ଦୁଷ୍କର୍ମକାରୀ ନିଜ ଅପରାଧକୁ ବୈଧ କରିପାରିବ ବୋଲି ସେମାନେ ଆଶଙ୍କା ପ୍ରକଟ କରିଥିଲେ। ସେହିପରି ନ୍ୟାୟ ପାଇବା ମହିଳାମାନଙ୍କର ସାମ୍ବିଧାନିକ ଅଧିକାର ନୁହେଁ ବୋଲି ଏକ ବାର୍ତ୍ତା ଦେଶର ସର୍ବୋଚ୍ଚ ଅଦାଲତରୁ ଅନ୍ୟାନ୍ୟ ଅଦାଲତ, ବିଚାରପତି, ପୁଲିସ ଏବଂ ଆଇନକାନୁନ ଲାଗୁ କରାଉଥିବା ସଂସ୍ଥା ପାଇଁ ପ୍ରଚାରିତ ହେବ ବୋଲି ସେମାନେ ଦର୍ଶାଇଥିଲେ। ତେବେ ଏହି ଘଟଣାରେ ଜଷ୍ଟିସ ବୋବଡ଼େ ସଫେଇ ଦେଇ ଆଜି କହିଛନ୍ତି ଯେ ଖଣ୍ଡପୀଠ କେବଳ ପୀଡ଼ିତା ବିବାହ କରୁଛନ୍ତି କି ନାହିଁ ବୋଲି ପଚାରିଥିଲେ। ସର୍ବୋପରି ଅଦାଲତ କେବେ କାହାକୁ ଜଣେ ଦୁଷ୍କର୍ମକାରୀ ସହ ବିବାହ ପ୍ରସ୍ତାବ ଦେଇନଥିଲେ ଏବଂ ମହିଳାଙ୍କ ପ୍ରତି ସୁପ୍ରିମକୋର୍ଟର ସର୍ବୋଚ୍ଚ ସମ୍ମାନ ରହିଛି ବୋଲି ସେ ସ୍ପଷ୍ଟ କରିଛନ୍ତି।

ସମ୍ବନ୍ଧିତ ଖବର