ଫେସବୁକରେ ଆଣିଲେ ଯୌନ ନିର୍ଯାତନା ଅଭିଯୋଗ

ମହିଳା ଆଇଏଏସ୍‌ ବି ଅସୁରକ୍ଷିତ 

ଚଣ୍ଡିଗଡ଼: ଜଣେ ମହିଳା ଆଇଏଏସ୍‌(୨୮) ବରିଷ୍ଠ ଅଧିକାରୀଙ୍କ ଦ୍ୱାରା ଯୌନ ନିର୍ଯାତନାର ଶିକାର ହେବା ଘଟଣା ସାରା  ଚାଞ୍ଚଲ୍ୟ ସୃଷ୍ଟି କରିଛି। ହରିୟାଣାର ଏହି ମହିଳା ପ୍ରଶାସନିକ ଅଧିକାରୀ ଆଜି ଫେସବୁକ ପୋଷ୍ଟ ଯୋଗେ ତାଙ୍କର ଅଭିଯୋଗ ଦାଏର କରିଛନ୍ତି। ପୁଲିସ୍‌ ଏହି ଘଟଣାରେ ଅଭିଯୁକ୍ତ  ଅଧିକାରୀଙ୍କ ବିରୋଧରେ ମାମଲା ଦାଏର କରିଛି। ତେବେ ତାଙ୍କ ବିରୋଧରେ ଆସିଥିବା ଏହି ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ ଓ କାଳ୍ପନିକ ବୋଲି ଅଭିଯୁକ୍ତ ଅଧିକାରୀ   କହିଛନ୍ତି। କେବଳ ଯେ, ଏହି ଆଇଏଏସ୍‌ ନୁହନ୍ତି ବରଂ ଅନେକ ମହିଳା କର୍ମଚାରୀ ଏହି ବରିଷ୍ଠ ଅଧିକାରୀଙ୍କ ଯୌନ ଶୋଷଣର ଶିକାର ହେଉଥିବା ଫେସବୁକରେ ପୋଷ୍ଟ୍‍ ହୋଇଛି। ଏହି ଘଟଣାରେ  ପୀଡ଼ିତା ଆଇଏଏସ୍‌ ଜଣଙ୍କ ହରିୟାଣା ସରକାର, କେନ୍ଦ୍ର ସରକାର ଓ ରାଷ୍ଟ୍ରପତିଙ୍କଠାରୁ ନ୍ୟାୟ ମାଗିଥିବା ଜଣାପଡ଼ିଛି। ଜଣେ ପ୍ରଶାସନିକ ଅଧିକାରୀ ଯେତେବେଳେ ଏଭଳି ଯୌନ ଅପରାଧର ଶିକାର ହେଉଛନ୍ତି, ସେଠି ସାଧାରଣ ମହିଳାଙ୍କ ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ମହିଳା ଅଧିକାରୀ ତାଙ୍କ ସହ ହୋଇଥିବା ନିର୍ଯାତନାର ବିବରଣୀ ତାଙ୍କ ଫେସ୍‌ବୁକରେ ଉଲ୍ଳେଖ କରିବା ପରେ ଏହି ଘଟଣାକୁ ନେଇ ସରଗରମ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଗତ ମାସ ୨୨ ତାରିଖ ସନ୍ଧ୍ୟା ୫ଟା ବେଳେ ଅଭିଯୁକ୍ତ ଅଧିକାରୀ ଏହି ମହିଳା ଆଇଏଏସ୍‌ଙ୍କୁ ନିଜର ଚାମ୍ବରକୁ ଡକାଇଥିଲେ। ସମସ୍ତ କର୍ମଚାରୀ ଘରକୁ ଫେରିବା ପର୍ଯ୍ୟନ୍ତ ମହିଳା ଅଧିକାରୀଙ୍କୁ ସନ୍ଧ୍ୟା ୭ଟା ୪୦ ଯାଏଁ ଚାମ୍ବରରେ ବସାଇ ଅଭିଯୁକ୍ତ ଅଧିକାରୀ କିଛି ଅଶାଳୀନ ମନ୍ତବ୍ୟ ଦେଇଥିଲେ। ଏହାପରେ ୩୧ ତାରିଖ ଦିନ ପୁଣିଥରେ ତାଙ୍କୁ ଚାମ୍ବରକୁ ଡକାଇ ଯୌନ ଶୋଷଣ ପାଇଁ ଉଦ୍ୟମ କରିଥିଲେ ବୋଲି ମହିଳା ଅଧିକାରୀ ଫେସ୍‌୍‌ବୁକ୍‌ ପୋଷ୍ଟରେ ଉଲ୍ଲେଖ କରିଛନ୍ତି।

ସମ୍ବନ୍ଧିତ ଖବର