ଦୁର୍ଗାପୁର: ପଶ୍ଚିମବଙ୍ଗର ଦୁର୍ଗାପୁରସ୍ଥିତ ଆଇକ୍ୟୁ ସିଟି ମେଡିକାଲ୍ କଲେଜର ଜଣେ ଦ୍ୱିତୀୟ ବର୍ଷର ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ନେଇ ରାଜ୍ୟରେ ଆଲୋଡ଼ନ ସୃଷ୍ଟି ହୋଇଛି।   ମହିଳା ସୁରକ୍ଷା ପ୍ରସଙ୍ଗରେ ରାଜନୀତି ସରଗରମ ହୋଇଥିବା ବେଳେ ଏହି ଘଟଣା ନେଇ ଦୁର୍ଗାପୁରରେ ବ୍ୟାପକ ବିରୋଧ ପ୍ରଦର୍ଶନ ହୋଇଛି। ଓଡ଼ିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ନେଇ ରାଜ୍ୟର ମୁଖ୍ୟ ବିରୋଧୀ ଦଳ ବିଜେପି  ମମତା ବାନାର୍ଜୀ ସରକାରକୁ ନିଶାଣ କରିଛି। ବିଜେପି ରାଜ୍ୟକୁ ‘ଦୁଷ୍କର୍ମକାରୀଙ୍କ ନିରାପଦ ଆଶ୍ରୟସ୍ଥଳ’ ବୋଲି ଅଭିହିତ କରିଛି। କେନ୍ଦ୍ରମନ୍ତ୍ରୀ ସୁକାନ୍ତ ମଜୁମଦାର ଏକ୍ସରେ ଲେଖିଛନ୍ତି,  ଆର୍‌ଜି କର୍ ହସ୍ପିଟାଲରେ ଡାକ୍ତରଙ୍କ ଦୁଷ୍କର୍ମ ଓ ହତ୍ୟା ପରେ ଆଉ ଏକ ଭୟଙ୍କର ଅପରାଧ! ମମତାଙ୍କ ବିଫଳ ଏବଂ ଆଇନହୀନ ଶାସନରେ  ମହିଳାମାନଙ୍କ ସୁରକ୍ଷା  ଏକ ଦୁଃସ୍ୱପ୍ନ ହୋଇପଡ଼ିଛି।

Advertisment

‘ମମତାଙ୍କ ଶାସନରେ ରାଜ୍ୟ ଦୁଷ୍କର୍ମକାରୀଙ୍କ ନିରାପଦ ଆଶ୍ରୟସ୍ଥଳ ପାଲଟିଛି’

’ ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ୍ ମାଲବୀୟ କହିଛନ୍ତି,   ପଶ୍ଚିମବଙ୍ଗ ମହିଳାମାନଙ୍କ ପାଇଁ ନିରାପଦ ନୁହେଁ। ଟିଏମ୍‌ସି ସରକାର ନ ହଟିବା  ପର୍ଯ୍ୟନ୍ତ ରାଜ୍ୟରେ ମହିଳାମାନେ ଭୟରେ ରହିବେ। ମମତାଙ୍କୁ ୨୦୨୬ରେ କ୍ଷମତାରୁ ହଟିବାକୁ ପଡ଼ିବ।’ ବିରୋଧୀ ଦଳ ନେତା ସୁଭେନ୍ଦୁ ଅଧିକାରୀ କହିଛନ୍ତି, ‘ମମତାଙ୍କ ସରକାରରେ କୌଣସି ମହିଳା ନିରାପଦ ନୁହନ୍ତି। ରାଜ୍ୟରେ ପୁଲିସ୍ କେବଳ ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ସହଯୋଗୀଙ୍କୁ ସୁରକ୍ଷା ଦେଉଛି ଏବଂ ଟିଏମ୍‌ସି ପାଇଁ ଟଙ୍କା ଆଦାୟ କରୁଛି।’ ବିଜେପି ଏହି ଘଟଣାକୁ ଆର୍‌ଜି କର୍ ଏବଂ ସାଉଥ୍ କୋଲକାତା ଆଇନ କଲେଜ୍ ମାମଲା ସହିତ ଯୋଡ଼ି ସରକାରର ‘ତୁଷ୍ଟୀକରଣ ନୀତି’କୁ ଦାୟୀ କରିଛି।

ଅନ୍ୟପକ୍ଷରେ ଟିଏମ୍‌ସି ଏହି ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରି କହିଛି ଯେ ବିଜେପି ଏହି ଘଟଣାର ରାଜନୀତିକରଣ କରୁଛି। ରାଜ୍ୟ ମନ୍ତ୍ରୀ ଶଶୀ ପାଞ୍ଜା କହିଛନ୍ତି, ‘ବିଜେପି ମହିଳାଙ୍କ ବିରୋଧରେ ଅପରାଧକୁ ନେଇ ରାଜନୀତି କରିବା ଉଚିତ୍ ନୁହେଁ। ଆମ ସରକାର ମହିଳା   ସଶକ୍ତିକରଣ ପାଇଁ କାମ କରେ। ମୁଖ୍ୟମନ୍ତ୍ରୀ ମହିଳାଙ୍କ ବିରୋଧରେ କୌଣସି ଅନ୍ୟାୟକୁ ସହ୍ୟ କରନ୍ତି ନାହିଁ।’  ଅନ୍ୟପକ୍ଷରେ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାକୁ   ରାଜ୍ୟ ଡାକ୍ତର ଫୋରମ୍ ଦୃଢ଼ ନିନ୍ଦା କରି କ୍ୟାମ୍ପସ୍‌ରେ ମହିଳାମାନଙ୍କ ସୁରକ୍ଷା ପାଇଁ କଡ଼ା ପଦକ୍ଷେପ ନେବାକୁ ଦାବି କରିଛି।