ଟିକାକରଣରେ ମହିଳା ପଛୁଆ: ପ୍ରତି ହଜାରେ ପୁରୁଷରେ ୮୫୪ ମହିଳା ନେଇଛନ୍ତି ଟିକା

ନୂଆଦିଲ୍ଲୀ : ଦେଶରେ ସମ୍ପ୍ରତି ଜାରି ରହିଥିବା ବିଶ୍ବର ବୃହତ୍ତମ ଟିକାକରଣ ଯୋଜନାରେ ପୁରୁଷମାନଙ୍କ ତୁଳନାରେ ମହିଳାମାନେ ପଛରେ ରହିଯାଇଥିବା ଜଣାଯାଇଛି। ବର୍ତ୍ତମାନ ସୁଦ୍ଧା ଟିକା ନେଇ ସାରିଥିବା ସମସ୍ତ ହିତାଧିକାରୀଙ୍କ ଭିତରେ ପ୍ରତି ହଜାରେ ପୁରୁଷରେ ୮୫୪ ଜଣ ମହିଳା ରହିଛନ୍ତି। ବିଶେଷ କରି ବୟସ୍କ ବର୍ଗରେ ପୁରୁଷଙ୍କ ଅପେକ୍ଷା କମ୍‌ ମହିଳା ହିତାଧିକାରୀ ଥିବାରୁ ଏଭଳି ଫରକ ଜଣାପଡ଼ିଛି। ସାରା ଦେଶରେ ହାରାହାରି ହଜାରେ ବୟସ୍କ ପୁରୁଷଙ୍କ ପିଛା ୯୬୩ ଜଣ ମହିଳା ରହିଥିବା ଜଣାଯାଇଛି। କେବଳ କେରଳ ଓ ଛତିଶଗଡ଼ରେ ପୁରୁଷଙ୍କ ଅପେକ୍ଷା ଅଧିକ ସଂଖ୍ୟକ ମହିଳା କୋଭିଡ୍‌ ଟିକା ନେଇଥିବା ଜଣାଯାଇଛି। ତାମିଲନାଡୁ, ଓଡ଼ିଶା ଓ ଆନ୍ଧ୍ରପ୍ରଦେଶରେ ପୁରୁଷଙ୍କ ତୁଳନାରେ ଅଧିକ ସଂଖ୍ୟକ ମହିଳା ବୟସ୍କ ବର୍ଗରେ ରହିଥିବା ବେଳେ ଟିକା ନେବା କ୍ଷେତ୍ରରେ ସେମାନେ ଯଥେଷ୍ଟ ପଛରେ ପଡ଼ିଛନ୍ତି। ତେବେ ଅଧିକ ସଂଖ୍ୟକ ଟିକା ନେଇଥିବା ହିମାଚଳପ୍ରଦେଶ ପରି ରାଜ୍ୟରେ ଏହି ତାରତମ୍ୟ ସେତେ ଅଧିକ ନୁହେଁ।

ସୂଚନାନୁଯାୟୀ, ଛତିଶଗଡ଼ରେ ବୟସ୍କ ଜନସଂଖ୍ୟାର ପ୍ରତି ହଜାରେ ପୁରୁଷରେ ୧,୦୧୩ ଜଣ ମହିଳା ଥିବା ବେଳେ ଟିକା ନେଇଥିବା ପ୍ରତି ହଜାରେ ପୁରୁଷରେ ୧,୦୪୫ ଜଣ ମହିଳା ରହିଛନ୍ତି। ସେହିପରି କେରଳରେ ଯଦିଓ ଟିକା ନେଇଥିବା ହଜାରେ ବୟସ୍କ ପୁରୁଷରେ ସର୍ବାଧିକ ୧,୦୮୭ ଜଣ ମହିଳା ଅଛନ୍ତି, ତେବେ ବୟସ୍କ ଜନସଂଖ୍ୟା(୧,୧୨୬) ତୁଳନାରେ ତାହା କମ୍‌ ରହିଛି। ସେହିପରି ପ୍ରାୟ ୩୮ ପ୍ରତିଶତ ଲୋକଙ୍କର ଟିକାକରଣ ସରିଥିବା ହିମାଚଳପ୍ରଦେଶରେ ପ୍ରାୟ ୫୦ ପ୍ରତିଶତ ମହିଳା ଟିକା ନେଇଛନ୍ତି। ରାଜସ୍ଥାନରେ ମଧ୍ୟ ୩୦ ପ୍ରତିଶତ ଲୋକଙ୍କୁ ଟିକା ଦିଆଯାଇଥିବା ବେଳେ ସେଥିରେ ୪୮ ପ୍ରତିଶତ ମହିଳା ଅଛନ୍ତି। ଅପରପକ୍ଷେ, କମ୍‌ ସଂଖ୍ୟାରେ ଟିକାକରଣ ହୋଇଥିବା ଉତ୍ତରପ୍ରଦେଶ, ପଞ୍ଜାବ, ବିହାର ଓ ପଶ୍ଚିମବଙ୍ଗ ପରି ରାଜ୍ୟରେ ମହିଳାମାନେ ଢେର୍‌ ପଛରେ ଅଛନ୍ତି। ସୁତରାଂ ଟିକାକରଣ ବଢ଼ିବା ସହ ଏହି ପୁରୁଷ-ମହିଳା ତାରତମ୍ୟ କମି କମି ଆସିବ ବୋଲି ଅନୁମାନ କରାଯାଉଛି। ମାତ୍ର ଜାମ୍ମୁକାଶ୍ମୀର ଓ ଦିଲ୍ଲୀରେ ଏହାର ବ୍ୟତିକ୍ରମ ଦେଖାଯାଇଛି। ଜାମ୍ମୁକାଶ୍ମୀରରେ ୩୨ ପ୍ରତିଶତ ବୟସ୍କଙ୍କର ଟିକାକରଣ ସରିଥିବା ବେଳେ ଟିକା ନେଇଥିବା ପ୍ରତି ହଜାରେ ପୁରୁଷରେ ମାତ୍ର ୭୧୧ ଜଣ ମହିଳା ରହିଛନ୍ତି। ଦିଲ୍ଲୀରେ ୪୨ ପ୍ରତିଶତ ବୟସ୍କଙ୍କର ଟିକାକରଣ ସରିଥିବା ବେଳେ ହଜାରେ ପୁରୁଷରେ ୭୨୨ ଜଣ ମହିଳା ଟିକା ନେଇଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର