ପ୍ରେମ ପାଇଁ ମହିଳାଙ୍କୁ ହତ୍ୟା

ମିରଟ୍‌: ଉତ୍ତରପ୍ରଦେଶର ମିରଟ୍‌ରେ ଏକ ସନ୍ଦିଗ୍ଧ ଅନର କିଲିଂ ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ଦ୍ବାଦଶ ଶ୍ରେଣୀରେ ଅଧ୍ୟୟନ କରୁଥିବା ଜଣେ ୧୯ ବର୍ଷୀୟା ଛାତ୍ରୀ ଟିନା ଚୌଧୁରୀଙ୍କୁ ଗତ ଶନିବାର ରାତିରେ ଗୁଳି କରି ହତ୍ୟା‌ କରାଯାଇଥିଲା। ମହିଳାଙ୍କର ଜଣେ ସମ୍ପର୍କୀୟ ଭାଇ ତାଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ତେବେ ମହିଳାଙ୍କ ପରିବାର ସଦସ୍ୟ ପ୍ରଥମେ ଏସମ୍ପର୍କରେ ପୁଲିସକୁ ଲୁଚାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ପୁଲିସ ନିଜଆଡ଼ୁ ଉକ୍ତ ମାମଲାରେ ଏଫ୍‌ଆ‌ଇଆର ରୁଜୁ କରି ମାମଲାର ତଦନ୍ତ ଆରମ୍ଭ କରିଛି। ମହିଳାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଛି ଯେ, ତାଙ୍କ ଶରୀରର ୩ଟି ସ୍ଥାନରେ ଗୁଳି ବାଜିଥିଲା। ମହିଳାଙ୍କ ଗୁପ୍ତାଙ୍ଗରେ ମଧ୍ୟ ଗୁଳି ବାଜିଥିବା ଜଣାପଡ଼ିଛି।

ଏସ୍‌ପି ଅବିନାଶ ପାଣ୍ଡେ କହିଛନ୍ତି, ମହିଳାଙ୍କ ପରିବାର ସଦସ୍ୟଙ୍କ ପକ୍ଷରୁ ଏହି ମାମଲାକୁ ଲୁଚାଇବାକୁ ଚେଷ୍ଟା ହୋଇଥିଲା। ମହିଳା ଜଣେ ଯୁବକଙ୍କ ସହ ‌ପ୍ରେମ ସମ୍ପର୍କରେ ଥି‌ଲେ। କିନ୍ତୁ ତାଙ୍କ ପରିବାର ସଦସ୍ୟ ଏହାକୁ ବିରୋଧ କରି ଆସୁଥିଲେ। ଗତ ଶନିବାର ଦିନ ମଧ୍ୟ ଏନେଇ ମହିଳାଙ୍କ ସହ ପାଟିତୁଣ୍ଡ ହୋଇଥିଲା। ଏହି ସମୟରେ ମହିଳାଙ୍କ ସମ୍ପର୍କୀୟ ଭାଇ କିଟ୍ଟୁ ଓରଫ୍‌ ପ୍ରଶାନ୍ତ ଚୌଧୁରୀ ତାଙ୍କୁ ଗୁଳି କରିଥିଲେ। ଉକ୍ତ ମାମଲାରେ ମୁଖ୍ୟ ଅଭିଯୁକ୍ତ କିଟ୍ଟୁ ଏବଂ ତା’ ସାଙ୍ଗ ସଲମାନ୍‌ ଫେରାର ଥିବାବେଳେ ପୁଲିସ ମହିଳାଙ୍କ ପରିବାରର ଅନ୍ୟ ୪ ଜଣ ସଦସ୍ୟଙ୍କୁ ଗିରଫ କରିଛି।

ସମ୍ବନ୍ଧିତ ଖବର