ଖାର୍ତୁମ୍ : ଯୁଦ୍ଧଗ୍ରସ୍ତ ସୁଦାନରେ ମାନବିକ ସଙ୍କଟ କ୍ରମାଗତ ଭାବେ ଗୁରୁତର ହେବାରେ ଲାଗିଛି। ଦେଶରେ ପରିସ୍ଥିତି ଏପରି ଯେ ମହିଳାମାନେ ଖାଦ୍ୟ ପାଇଁ ଦେହବେପାର କରିବାକୁ ବାଧ୍ୟ ହେଉଛନ୍ତି। ସୁଦାନ ଓମଦୁରମାନ ସହରରେ ବଞ୍ଚିବା ପାଇଁ ସଂଘର୍ଷ କରୁଥିବା ମହିଳାମାନେ କହିଛନ୍ତି ଯେ ଖାଦ୍ୟ ବଦଳରେ ସେମାନେ ବାଧ୍ୟ ସୈନିକମାନଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ ହେଉଛନ୍ତି।

Advertisment

ଯୁଦ୍ଧ ପରେ ଓମଦୁରମାନରେ ରହୁଥିବା ଅନେକ ମହିଳା କହିଛନ୍ତି ଯେ ସୁଦାନ ସୈନିକଙ୍କ ସହ ଯୌନ ସମ୍ପର୍କ ହିଁ ସେମାନଙ୍କୁ ଖାଦ୍ୟ ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଉଛି। ନିଜକୁ ଏବଂ ପରିବାର ଚଳାଇବା ପାଇଁ ତାଙ୍କୁ ଏହା କରିବାକୁ ପଡୁଛି। ଛୋଟ ପିଲାଙ୍କୁ ମୁହଁରେ ମୁଠାଏ ଖାଦ୍ୟ ଦେବାକୁ ସେମାନେ ଏଭଳି ବାଟକୁ ବାଛି ନେଇଥିବା କହିଛନ୍ତି।

ଦ ଗର୍ଜିୟନ ରିପୋର୍ଟ ଅନୁଯାୟୀ ଜଣେ ପୀଡିତା ମହିଳା କହିଛନ୍ତି ଯେ ତାଙ୍କ ବୃଦ୍ଧ ପିତାମାତା ଏବଂ ୧୮ ବର୍ଷର ଝିଅ ପାଇଁ ଖାଦ୍ୟ ଯୋଗାଡ଼ କରିବା ତାଙ୍କ ଲାଗି ସମସ୍ୟା ପାଲଟିଛି। ମହିଳା ଜଣକ କହିଥିଲେ, ମୋର ପିତାମାତା ବହୁତ ବୃଦ୍ଧ ଏବଂ ମୁଁ ମୋ ଝିଅକୁ ଖାଦ୍ୟ ଖୋଜିବାକୁ ବାହାରକୁ ଯିବାକୁ ଦେବି ନାହିଁ। ମୁଁ ସୈନିକମାନଙ୍କ ନିକଟକୁ ଯାଇ ସେମାନଙ୍କ ସହିତ ଶାରୀରିକ ସମ୍ପର୍କ ରକ୍ଷା କରିବା ପରେ ଖାଦ୍ୟ ପାଇଥିଲି ।

ଖାଦ୍ୟ ପାଇବା ପାଇଁ ମୋର ପାଖରେ ଅନ୍ୟ କୌଣସି ବିକଳ୍ପ ନ ଥିଲା। ମହିଳା ଜଣକ କହିଛନ୍ତି ଯେ ପୂର୍ବରୁ ସେ ଘରେ କାମ କରି ରୋଜଗାର କରୁଥିଲେ। ସେନା ଏବଂ ପାରାମିଲିଟାରୀ ରାପିଡ୍ ସପୋର୍ଟ ଫୋର୍ସ ମଧ୍ୟରେ ସୁଦାନରେ ଗୃହଯୁଦ୍ଧ ଆରମ୍ଭ ହେବା ପରେ ଅଧିକାଂଶ ଲୋକ ଅନ୍ୟ ସହରକୁ ପଳାଇ ଯାଇଥିଲେ। ଦାରିଦ୍ର୍ୟତା ଯୋଗୁ ସେ ନିଜ ପରିବାରକୁ ଏକ ସୁରକ୍ଷିତ ସ୍ଥାନକୁ ନେଇପାରି ନ ଥିଲେ ଏବଂ ରୋଜଗାର ସମସ୍ୟାର ସମ୍ମୁଖୀନ ହୋଇଥିଲେ। ଏହା ତାଙ୍କୁ ସୈନିକମାନଙ୍କ ସହିତ ଶାରୀରିକ ସମ୍ପର୍କ ସ୍ଥାପନ କରିବାକୁ ବାଧ୍ୟ କରିଥିଲା।

ଦ ଗର୍ଜିୟନ ସହ କଥା ହୋଇଥିବା କିଛି ମହିଳା କହିଛନ୍ତି ଯେ ଖାଲି ପଡ଼ିଥିବା ଘରେ ରହିବା ବଦଳରେ ସୈନିକମାନେ ମଧ୍ୟ ସେମାନଙ୍କଠାରୁ ଯୌନ ସମ୍ପର୍କ ଦାବି କରୁଛନ୍ତି। ଜଣେ ମହିଳା କହିଛନ୍ତି ଯେ ସୈନିକମାନଙ୍କ କଥା ମାନିବା ପରେ ତାଙ୍କୁ ଖାଲି ପଡ଼ିଥିବା ଘରୁ ଖାଦ୍ୟ, ରୋଷେଇ ସରଞ୍ଜାମ ଏବଂ ଅନ୍ୟାନ୍ୟ ସାମଗ୍ରୀ ନେବାକୁ ଅନୁମତି ଦିଆଯାଇଥିଲା। ମହିଳା ଜଣକ କହିଛନ୍ତି ସେ ନିଜକୁ ଲଜ୍ଜିତ ଅନୁଭବ କରୁଛନ୍ତି ଯେ ମୁଁ ଯୌନ ଉତ୍ପୀଡ଼ନ ସହୁଛନ୍ତି ଏବଂ ବଞ୍ଚିବା ପାଇଁ ଅନ୍ୟମାନଙ୍କ ଖାଲି ପଡ଼ିଥିବା ଘରୁ ଚୋରି କରୁଛି। ମହିଳା ଜଣକ କହିଛନ୍ତି ସେ ନିଜ ପିଲାମାନଙ୍କୁ ଖାଇବାକୁ ଦେବା ପାଇଁ ଏସବୁ କରିବାକୁ ବାଧ୍ୟ ହେଉଛନ୍ତି।

ଜଣେ ମହିଳା କହିଛନ୍ତି ଯେ ସେ ଯୌନ ସମ୍ପର୍କ ରଖିବାକୁ ମନା କରିବାରୁ ତାଙ୍କୁ ସୈନିକମାନେ ନିର୍ଯାତନା ଦେଇଥିଲେ। ସୈନିକମାନେ ମଧ୍ୟ ଖାଦ୍ୟ ବଦଳରେ ନିଜ ପସନ୍ଦର ମହିଳା ଚୟନ କରୁଥିବା ଅଭିଯୋଗ ହେଉଛି।

ମିଳିତ ଜାତିସଂଘର ରିପୋର୍ଟରେ କୁହାଯାଇଛି ଯେ, ସୁଦାନରେ ଚାଲିଥିବା ଯୁଦ୍ଧରେ ହଜାର ହଜାର ଲୋକଙ୍କ ମୃତ୍ୟୁ ସହିତ ପ୍ରାୟ ଏକ କୋଟି ଲୋକ ବିସ୍ଥାପିତ ହୋଇଛନ୍ତି। ଦେଶର ଅଧାରୁ ଅଧିକ ଜନସଂଖ୍ୟା ଖାଦ୍ୟ ନିରାପତ୍ତା ସମ୍ମୁଖୀନ ହେଉଛନ୍ତି। ଏପ୍ରିଲ୍ ୨୦୨୩ରେ ଗୃହଯୁଦ୍ଧ ଆରମ୍ଭ ହେବା ପରେ ମହିଳାଙ୍କୁ ବଳାତ୍କାରର ଖବର ମଧ୍ୟ ପ୍ରକାଶ ପାଇଥିଲା। ଖାର୍ତୁମ୍ ଏବଂ ଦାରଫୁରର ଆରଏସଏଫ ସୈନିକ ବହୁ ସଂଖ୍ୟକ ମହିଳାଙ୍କୁ ଯୌନ ଶୋଷଣ କରିଥିବା ଅଭିଯୋଗ ହୋଇଥିଲା।