ନୂଆଦିଲ୍ଲୀ: ଭାରତୀୟ ସେନାବାହିନୀରେ ମହିଳା ଅଫିସର୍ଙ୍କୁ ସ୍ଥାୟୀ କମିସନ୍ ମିଳିବ। ଏନେଇ ଆଜି ମଂଜୁରି ପ୍ରଦାନ କରିଛନ୍ତି ସରକାର। ସେନାରେ ମହିଳା ଅଫିସର୍ଙ୍କୁ ସ୍ଥାୟୀ କମିସନ୍ ମଂଜୁର କରିବାପାଇଁ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଆଜି ଏକ ଆନୁଷ୍ଠାନିକ ସ୍ବୀକୃତି ପତ୍ର ଜାରି ହୋଇଛି। ଏହାଦ୍ବାରା ମହିଳା ଅଫିସର୍ମାନେ ଆଗକୁ ଆହୁରି ଅଧିକ ଗୁରୁ ଦାୟିତ୍ବ ବହନ କରିବେ ଏବଂ ଅଧିକ ସଶକ୍ତ ହୋଇପାରିବେ ବୋଲି ସେନା ମୁଖପାତ୍ର କହିଛନ୍ତି। ଉଲ୍ଲେଖଯୋଗ୍ୟ, ଭାରତୀୟ ସେନାରେ ସେବାରତ ସମସ୍ତ ଏସ୍ଏସ୍ସି ମହିଳା ଅଫିସର୍ମାନଙ୍କୁ ସ୍ଥାୟୀ କମିସନ୍ ଦେବାପାଇଁ ସୁପ୍ରିମକୋର୍ଟ ଦେଇଥିବା ପୂର୍ବ ରାୟ କାର୍ଯ୍ୟକାରୀ କରିବାପାଇଁ କୋର୍ଟ ଚଳିତ ମାସରେ କେନ୍ଦ୍ର ସରକାରଙ୍କୁ ଗୋଟିଏ ମାସ ସମୟ ଦେଇଥିଲେ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ କେନ୍ଦ୍ର ସରକାର ଏହି କାର୍ଯ୍ୟ ତ୍ବରାନ୍ବିତ କରିଛନ୍ତି।
ଭାରତୀୟ ସେନାବାହିନୀର ସମସ୍ତ ୧୦ଟି ବିଭାଗରେ ଏସ୍ଏସ୍ସି (ସର୍ଟ ସର୍ଭିସ୍ କମିସନ୍) ମହିଳାମାନଙ୍କୁ ସ୍ଥାୟୀ କମିସନ୍ ମଂଜୁରି କରାଯାଇଛି। ଏଏଡି (ଆର୍ମି ଏୟାର ଡିଫେନ୍ସ), ଇଏମ୍ଇ (ଇଲେକଟ୍ରୋନିକସ୍ ଆଣ୍ଡ୍ ମେକାନିକାଲ୍ ଇଂଜିନିୟର୍ସ), ଏଏସ୍ସି (ଆର୍ମି ସର୍ଭିସ୍ କର୍ପ୍ସ) , ଏଓସି (ଆର୍ମି ଅର୍ଡ୍ନାନ୍ସ କର୍ପ୍ସ), ଜେଏଜି (ଜଜ୍ ଆଣ୍ଡ୍ ଆଡ ଭୋକେଟ୍ ଜେନେରାଲ୍ ), ଏଇସି (ଆର୍ମି ଏଜୁକେସନାଲ୍ କର୍ପ୍ସ)ରେ ମହିଳା ଅଫିସର୍ଙ୍କୁ ସ୍ଥାୟୀ କମିସ୍ ମିଳିବ। ଶେଷରେ ମହିଳାଙ୍କ ପାଇଁ ସ୍ଥାୟୀ କମିସନ୍ ବାସ୍ତବତାରେ ପରିଣତ ହୋଇଛି। ଉଲ୍ଲେଖଯୋଗ୍ୟ ଚଳିତବର୍ଷ ଫେବ୍ରୁଆରି ୧୭ରେ ସୁପ୍ରିମକୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ ରାୟ ଦେଇ ସେନାରେ ମହିଳାମାନଙ୍କ ପାଇଁ ସ୍ଥାୟୀ କମିସନ୍ ଏବଂ କମାଣ୍ଡ୍ ପୋଷ୍ଟିଂ ପାଇଁ ନିର୍ଦ୍ଦେଶ ଦେଇଥିଲେ।