ଆତ୍ମହତ୍ୟା ପାଇଁ ରଖିଥିବା ବିଷ ଆଇସକ୍ରିମ ଖାଇ ମହିଳାଙ୍କ ପୁଅ ଓ ଭଉଣୀର ମୃତ୍ୟୁ

ଗିରଫ ହେଲେ ଅଭିଯୁକ୍ତା

ତିରୁବନନ୍ତପୁରମ: ନିଜ ଜୀବନ ହାରିବାକୁ ଆତ୍ମହତ୍ୟାର ବାଟ ବାଛିଥିଲେ | ଏଥିପାଇଁ ଆଇସକ୍ରିମରେ ମିଶାଇଥିଲେ ବିଷ | ତେବେ ନିଜେ ଖାଇବା ପୂର୍ବରୁ ଜାଣିନପାରି ବିଷାକ୍ତ ଆଇସକ୍ରିମ ଖାଇଦେଲେ ମହିଳାଙ୍କ ପୁଅ ଓ ଭଉଣୀ | ଆଉ ବିଷକ୍ରିୟା ଯୋଗୁଁ ଦୁହେଁ ଆରପାରିକୁ ଚାଲିଯାଇଛନ୍ତି | ଏହି ଘଟଣାରେ ଗିରଫ ହୋଇଛନ୍ତି ଆତ୍ମହତ୍ୟା ଉଦ୍ୟମ କରିଥିବା ମହିଳା | କେରଳର କାସରଗଡ଼ ଜିଲ୍ଲାର କାହ୍ନଙ୍ଗଦ ଅଂଚଳରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି | ମିଳିଥିବା ସୂଚନା ମୁତାବକ ୨୫ ବର୍ଷୀୟ ବର୍ଷା ଆତ୍ମହତ୍ୟା କରିବାକୁ ଆଇସକ୍ରିମରେ ମୂଷା ମରା ଔଷଧ ମିଶାଇଥିଲେ |

ତେବେ ଆଇସକ୍ରିମରେ ବିଷ ମିଶିଥିବା ନେଇ ବର୍ଷାଙ୍କ ୫ ବର୍ଷର ପୁଅ ଅଦ୍ୱେତ ଓ ୧୯ ବର୍ଷର ଭଉଣୀ ଦୃଶା ଜାଣିପାରିନଥିଲେ | ସେମାନେ ଏହି ଆଇସକ୍ରିମ ଖାଇବା ପରେ ବର୍ଷା ମଧ୍ୟ ଏହାକୁ ଖାଇଥିଲେ | ଏହାପରେ ତିନିଜଣଙ୍କ ଶରୀରରେ ବିଷ କ୍ରିୟା ଯୋଗୁଁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଥିଲେ | ତେବେ ଫେବୃୟାରୀ ୧୨ ତାରିଖରେ ଅଦ୍ୱେତର ମୃତ୍ୟୁ ହୋଇଯାଇଥିଲା |

ଆଉ ଆଜି ମହିଳାଙ୍କ ଭଉଣୀର ମୃତ୍ୟୁ ହୋଇଯାଇଥିଲା | ତେବେ ଜୀବନ ମରଣ ସହ ସଂଘର୍ଷ କରିବା ପରେ ବର୍ଷା ବଂଚିଯାଇଛନ୍ତି | ଦୁଇ ଜଣଙ୍କ ମୃତ୍ୟୁ ପାଇଁ ଦାୟୀ ଦର୍ଶାଇ ପୁଲିସ ଏବେ ବର୍ଷାଙ୍କୁ ଗିରଫ କରିଛି | ତେବେ ବର୍ଷା କଣ ପାଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ ତାହାର କାରଣ ଜଣାପଡିନାହିଁ | ପାରିବାରିକ କଳହ ଯୋଗୁଁ ଆତ୍ମହତ୍ୟା ଉଦ୍ୟମ କରିଥିବାର ପୁଲିସ ସନ୍ଦେହ କରୁଛି |

ସମ୍ବନ୍ଧିତ ଖବର