ଏକୁଟିଆ ହଜ୍‌ ଯାତ୍ରା କରିପାରିବେ ମୁସ୍‌ଲିମ୍‌ ମହିଳା

ନୂଆଦିଲ୍ଲୀ: ବର୍ଷର ଶେଷ ଦିନରେ ଆଜି ‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁସଲମାନ ମହିଳାଙ୍କ ଅଧିକାର ସଂପର୍କରେ ଗୁରୁତ୍ୱାରୋପ କରିଛନ୍ତି। ଏବେ ମୁସଲମାନ ମହିଳା ଏକୁଟିଆ ହଜ୍‌ ଯାତ୍ରା କରିପାରିବେ ଏବଂ ସରକାର ସେ ନେଇ ବିହୀତ ପଦକ୍ଷେପ ଗ୍ରହଣ କରିଛନ୍ତି। ‘ମହରମ୍‌’ ବା ନିଜର ପୁରୁଷ ଅଭିଭାବକ ବିନା ଜଣେ ମୁସଲମାନ ମହିଳା ହଜ୍‌ ଯାତ୍ରା କରିପାରିବ ନାହିଁ ବୋଲି ଥିବା ନିୟମକୁ ସରକାର ହଟାଇ ଦେଇଛନ୍ତି। ସଂଖ୍ୟାଲଘୁ ମନ୍ତ୍ରାଳୟର ସୂଚନା ମୁତାବକ ଚଳିତ ବର୍ଷ ୧୩ ଶହ ମୁସଲମାନ ମହିଳା ଏକାକୀ ହଜ୍‌ ଯାତ୍ରା କରିବା ପାଇଁ ସରକାରଙ୍କ ନିକଟରେ ଆବେଦନ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ,ଦେଶ ସ୍ୱାଧୀନତା ପାଇବାର ୭୦ ବର୍ଷ ପରେ ବି ପୁରୁଷ ଓ ନାରୀ ମଧ୍ୟରେ ଲିଙ୍ଗଗତ ଭେଦଭାବ ଦୂର ହୋଇପାରି ନାହିଁ। ତେଣୁ ଏହି ଭେଦଭାବକୁ ଦୂର କରିବା ପାଇଁ କେନ୍ଦ୍ର ସରକାରଙ୍କର ଏହା ଏକ ନୂତନ ପ୍ରୟାସ। ସେପଟେ ହଜ୍‌ଯାତ୍ରୀଙ୍କୁ ସରକାର ଲଟେରୀ ମାଧ୍ୟମରେ ଚୟନ କରୁଥିବା ବେଳେ ଚଳିତବର୍ଷଠାରୁ ମହିଳା ଯାତ୍ରୀଙ୍କୁ ଏହି ଲଟେରିରେ ସାମିଲ କରାଯିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ସମ୍ବନ୍ଧିତ ଖବର