ପୁଣି ଉନ୍ନାଓ ! ଏସ୍‌ପିଙ୍କ ଅଫିସ ବାହାରେ ଯୌନ ନିର୍ଯାତନାର ଶିକାର ହୋଇଥିବା ମହିଳାଙ୍କ ଆତ୍ମାହୁତି ଉଦ୍ୟମ

କାନପୁର: ଉତ୍ତରପ୍ରଦେଶର ଉନ୍ନାଓରେ ଆଜି ସକାଳେ ଏକ ଅଭାବନୀୟ ଘଟଣା ଘଟିଛି। ଯୌନ ନିର୍ଯାତନାର ଶିକାର ହୋଇଥିବା ଜଣେ ୨୩ ବର୍ଷୀୟା ମହିଳା ଉନ୍ନାଓ ଜିଲ୍ଲା ସିଭିଲ୍‌ ଲାଇନ୍ସ ଅଞ୍ଚଳରେ ଏସ୍‌ପିଙ୍କ ଅଫିସ୍‌ ବାହାରେ ଆତ୍ମାହୁତି ଉଦ୍ୟମ କରିଥିଲେ। ମହିଳା ଜଣଙ୍କ ନିଜ ଶରୀରରେ କିରାସିନି ଢାଳି ନିଆଁ ଲଗାଇ ଦେଇଥିଲେ। ଡ୍ୟୁଟିରେ ଥିବା ମହିଳା କନେଷ୍ଟବଳ ତୁରନ୍ତ ପୀଡ଼ିତାଙ୍କ ଶରୀରରୁ ନିଆଁ ଲିଭାଇଥିଲେ। ମହିଳାଙ୍କୁ ପ୍ରଥମେ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଏବଂ ପରେ ତାଙ୍କୁ କାନପୁରର ଲାଲା ଲାଜପତ ରାୟ ହସ୍ପିଟାଲକୁ ସ୍ଥାନାନ୍ତର କରି ଚିକିତ୍ସା କରାଯାଉଛି। ପୀଡ଼ିତାଙ୍କୁ ଯୌନ ନିର୍ଯାତନା ଅଭିଯୋଗ ଆଧାରରେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ପୀଡ଼ିତା ହତାଶ ହୋଇ ଏଭଳି ଚରମ ପଦକ୍ଷେପ ନେଇଛନ୍ତି।

ପୀଡ଼ିତାଙ୍କ ପରିବାର ସଦସ୍ୟଙ୍କ ସୂତ୍ରରୁ ଜଣାପଡ଼ିଛି ଯେ ମାମଲାରେ ମୁଖ୍ୟ ଅଭିଯୁକ୍ତକୁ କୋର୍ଟରେ ଆଗୁଆ ଜାମିନ ମିଳିବା ପରେ ପୀଡ଼ିତା ବିଭିନ୍ନ ଥାନାକୁ ଯାଇ ଅଭିଯୁକ୍ତକୁ ଗିରଫ କରିବାପାଇଁ ଅନୁରୋଧ କରିଥିଲେ। କିନ୍ତୁ ତାଙ୍କର ଅଭିଯୋଗ ପ୍ରତି କର୍ଣ୍ଣପାତ କରାନଯିବାରୁ ‌ସେ ଏଭଳି ଚରମ ପଦକ୍ଷେପ ନେଇଛନ୍ତି। ଅନ୍ୟ ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି ଉକ୍ତ ମାମଲାରେ ତଦନ୍ତ ଆରମ୍ଭ ହୋଇଛି। ପୀଡ଼ିତା ଚିକିତ୍ସିତ ହେଉଥିବା ଡାକ୍ତରଖାନାରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ମହିଳା ଜଣଙ୍କ ଗତ ଅକ୍ଟୋବର ୨ରେ ହାସନଗଞ୍ଜ କୋଟୱାଲି ପୁଲିସରେ ଏଫ୍‌ଆଇଆର ରୁଜୁ କରିଥିଲେ। ମହିଳାଙ୍କ ଅଭିଯୋଗ ଅନୁଯାୟୀ ସେ ଅଧେଶ ସିଂହ ନାମକ ଜଣେ ବ୍ୟକ୍ତି ସହ ୧୦ ବର୍ଷ ସମ୍ପର୍କରେ ଥିଲେ। ବିବାହ ପ୍ରତିଶ୍ରୁତି ଦେଇ ସେ ତାଙ୍କୁ ବାରମ୍ବାର ‌ଯୌନ ନିର୍ଯାତନା ଦେଇଥିଲେ। ମହିଳା ଜଣଙ୍କ ଅଭିଯୋଗ କରିଥିଲେ ଯେ ଅଧେଶଙ୍କ ବାପା, ଭାଇ ଏବଂ ତାଙ୍କ ପତ୍ନୀ ଦ୍ବାରା ତାଙ୍କୁ ହତ୍ୟା ଉଦ୍ୟମ କରାଯାଇଥିଲା।

ସମ୍ବନ୍ଧିତ ଖବର