ତେହେରାନ : ଇରାନରେ ଦୁଇଜଣ ମହିଳା ହିଜାବ ନ ପିନ୍ଧି ବାଳ ମୁକୁଳା କରି ଏକ ଦୋକାନକୁ କିଛି ଜିନିଷ କିଣିବା ପାଇଁ ଯାଇଥିବା ବେଳେ ଦୋକାନୀ ଜଣକ ସଉଦା ଦେବା ପରିବର୍ତ୍ତେ ମହିଳା ଦୁଇଜଣଙ୍କ ମୁଣ୍ଡ ଉପରକୁ ଦହି ଫୋପାଡ଼ିଥିଲା। ଏହାପରେ ପୁଲିସ ମହିଳାଦ୍ବୟଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ଏହାର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି।

Advertisment

ଏହି ଭିଡ଼ିଓରେ ଦେଖିବାକୁ ମିଳୁଛି, ମହିଳାଦ୍ବୟ ଏକ ଦୋକାନକୁ ଯାଇ ଦୋକାନୀ ସହ କଥା ହେବା ବେଳେ ସେମାନେ ବାଳ ମୁକୁଳା ରଖିଥିବାରୁ ଦୋକାନୀ ଜଣକ ରାଗିଯାଇଥିଲା। ଏହାପରେ ସେ ଥାକରୁ ଦହି ପରି ଦେଖାଯାଉଥିବା କିଛି ତରଳ ଧଳା ପଦାର୍ଥ ତାଙ୍କ ମୁଣ୍ଡ ଉପରକୁ ଫିଙ୍ଗିଥିଲା।

ଇରାନର ବିଚାର ବିଭାଗ ପକ୍ଷରୁ କୁହାଯାଇଛି ଯେ ବାଳ ମୁକୁଳା ରଖିବାରୁ ମହିଳାଦ୍ବୟଙ୍କୁ ଗିରଫ କରାଯାଇଛି। କାରଣ ଇରାନୀ ଆଇନରେ କେଶ ଦେଖାଇବା ମନା। ମହିଳାଙ୍କ ଉପରକୁ ଦହି ଫୋପାଡ଼ିଥିବା ଦୋକାନୀକୁ ବି ଆଇନଶୃଙ୍ଖଳା ଭଙ୍ଗ କରିବା ଅଭିଯୋଗରେ ଗିରଫ କରାଯାଇଛି।

ଇରାନରେ ମାସମାସ ଧରି ହିଜାବ-ବିରୋଧୀ ଆନ୍ଦୋଳନ ଚାଲିଥିବା ବେଳେ ଏହି ଗିରଫଦାରି ଘଟିଛି। ଇରାନରେ ମହିଳାମାନେ ହିଜାବ ପିନ୍ଧିବା ବାଧ୍ୟତାମୂଳକ ଥିବାବେଳେ ବଡ଼ବଡ଼ ସହରରେ ବହୁ ମହିଳା ଏହା ପିନ୍ଧୁ ନ ଥିବା ଦେଖାଯାଉଛି। ମେହସା ଆମିନି ନାମ୍ନୀ ୨୨ ବର୍ଷୀୟା ମହିଳାଙ୍କ ହାଜତ ମୃତ୍ୟୁ ପରେ ଦେଶରେ ହିଜାବ-ବିରୋଧୀ ଆନ୍ଦୋଳନ ତେଜିଛି। ବହୁ ମହିଳା ସରକାରଙ୍କ ଆଇନ, କଟକଣା ଓ ଗିରଫଦାରିକୁ ଖାତିର ନ କରି ବିନା ହିଜାବରେ ବାହାରେ ବୁଲିବା ଦେଖାଯାଉଛି। ଇତିମଧ୍ୟରେ ରାଷ୍ଟ୍ରପତି ଇବ୍ରାହିମ ରାୟସି କହିଛନ୍ତି ଯେ ଇରାନ୍‌ରେ ପ୍ରତ୍ୟେକ ମହିଳା ହିଜାବ ଆଇନ ମାନିବାକୁ ବାଧ୍ୟ, ଅନ୍ୟଥା କଠୋର ଦଣ୍ଡର ସମ୍ମୁଖୀନ ହେବାକୁ ପଡ଼ିବ।