ଇମ୍ଫାଲ: ହିଂସାଗ୍ରସ୍ତ ମଣିପୁରର ଇଥାମ ଗ୍ରାମରେ ଶନିବାର ମହିଳା ଆନ୍ଦୋଳନକାରୀମାନେ ସୁରକ୍ଷା ବାହିନୀକୁ ଘେରାଉ କରି ୧୨ ଜଣ କୁଖ୍ୟାତ ଆତଙ୍କବାଦୀଙ୍କୁ ଛଡ଼ାଇ ନେବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ମିଳିତ ସୁରକ୍ଷା ବାହିନୀର ବିଶାଳ ଅପରେସନ ଦ୍ବାରା ଗିରଫ ହୋଇଥିବା ୧୨ ଆତଙ୍କବାଦୀଙ୍କୁ ଛାଡ଼ି ଦେବା ପାଇଁ ଉକ୍ତ ମହିଳା ଆନ୍ଦୋଳନକାରୀମାନେ ସୁରକ୍ଷା ବାହିନୀକୁ ଘେରିଯାଇ ଆକ୍ରମଣ ଧମକ ଦେଇଥିଲେ। କୌଣସି ବଡ଼ ଅଘଟଣକୁ ଏଠାଇବା ପାଇଁ ସୁରକ୍ଷା ବାହିନୀ ସମସ୍ତ ଆତଙ୍କବାଦୀଙ୍କୁ ମୁକ୍ତ କରିଛି। ସେମାନଙ୍କ ମଧ୍ୟରେ ସୁରକ୍ଷା ବାହିନୀ ଉପରେ ପୂର୍ବରୁ ବଡ଼ ଆକ୍ରମଣ ମାମଲାର କେତେକ ମାଷ୍ଟରମାଇଣ୍ଡ୍‌ ମଧ୍ୟ ରହିଥିବା ଜଣାପଡ଼ିଛି। ସେନା ପକ୍ଷରୁ ଗିରଫ କରାଯାଇଥିବା କେୱାଇକେଏଲ୍‌ (କାଙ୍ଗଲି ୟାଓଲ କାନ୍ନା ଲୁପ) ଗୋଷ୍ଠୀର ୧୨ ଆତଙ୍କବାଦୀଙ୍କୁ ଆନ୍ଦୋଳନକାରୀ ମହିଳା ଏଭଳି ଢଙ୍ଗରେ ମୁକ୍ତ କରିନେବା ଘଟଣା ରାଜ୍ୟରେ ଭୁଶୁଡ଼ି ପଡ଼ିଥିବା ଆଇନଶୃଙ୍ଖଳା ସ୍ଥିତିକୁ ଦର୍ଶାଉଛି।

Advertisment

ଭାରତୀୟ ସେନାର ସ୍ପିୟର କର୍ପସ (ବର୍ଚ୍ଛା ବାହିନୀ) ପକ୍ଷରୁ ଟ୍ବିଟ୍ କରି କୁହାଯାଇଛି ଯେ, ଜଣେ ସ୍ଥାନୀୟ ନେତାଙ୍କ ନେତୃତ୍ୱରେ ପ୍ରାୟ ୧୨୦୦-୧୫୦୦ ମହିଳା ଉକ୍ତ ଅଞ୍ଚଳକୁ ଘେରି ରହିଥିଲେ। ସୁରକ୍ଷା ବାହିନୀକୁ ଆଇନଗତ କାର୍ଯ୍ୟାନୁଷ୍ଠାନ ଜାରି ରଖିବାକୁ ସୁଯୋଗ ଦେବା ପାଇଁ ଅନୁରୋଧ କରାଯାଇଥିଲେ ମଧ୍ୟ ସେମାନେ କିଛି ଶୁଣି ନ ଥିଲେ। ସମ୍ଭାବ୍ୟ ବିପଦ ଏବଂ ଅଧିକ ଲୋକ ମୃତାହତ ହେବା ଆଶଙ୍କା କରି ସେନା ପକ୍ଷରୁ ସମସ୍ତ ୧୨ଜଣ ଆତଙ୍କବାଦୀଙ୍କୁ ଛାଡ଼ି ଦିଆଯାଇଥିଲା। ଏହାପରେ ସୁରକ୍ଷା ବାହିନୀ ଆତଙ୍କବାଦୀଙ୍କ ନିକଟରୁ ଜବତ ହୋଇଥିବା ଅସ୍ତ୍ରଶସ୍ତ୍ର ନେଇ ଉକ୍ତ ଅଞ୍ଚଳ ପରିତ୍ୟାଗ କରିଥିଲା।

ଗିରଫ ହୋଇଥିବା ଆତଙ୍କବାଦୀଙ୍କ ମଧ୍ୟରେ ମୋଇରାଙ୍ଗଥେମ୍ ତାମ୍ବା ମଧ୍ୟ ରହିଥିଲା, ଯିଏ କି ପୂର୍ବରୁ ସୁରକ୍ଷା ବାହିନୀ ଉପରେ ଅନେକ ବଡ଼ ଆକ୍ରମଣର ମାଷ୍ଟରମାଇଣ୍ଡ୍‌। ଷଷ୍ଠ ଡୋଗ୍ରା ରେଜିମେଣ୍ଟ ଉପରେ ୨୦୧୫ରେ ହୋଇଥିବା ପ୍ରଚଣ୍ଡ ଆକ୍ରମଣର ସେ ମାଷ୍ଟରମାଇଣ୍ଡ ଥିଲା। ଅନ୍ୟ ଆତଙ୍କବାଦୀଙ୍କ ବିରୋଧରେ ମଧ୍ୟ ଯବାନ ଓ ନିରୀହ ଲୋକଙ୍କୁ ହତ୍ୟା ନେଇ ଅନେକ ମାମଲା ରହିଛି। ଏହି ଆତଙ୍କବାଦୀଙ୍କୁ ଆନ୍ଦୋଳନକାରୀ ମହିଳାମାନେ ଛଡ଼ାଇ ନେବା ପରେ ସେନା ପକ୍ଷରୁ ମଣିପୁରବାସୀଙ୍କୁ ଏକ ନିବେଦନ ଜାରି କରି ଆଇନଶୃଙ୍ଖଳା ରକ୍ଷା କରିବାରେ ସାହାଯ୍ୟ କରିବାକୁ ଅନୁରୋଧ କରାଯାଇଛି।