ନୂଆଦିଲ୍ଲୀ: ମହିଳାଙ୍କ ପ୍ରତିନିଧିତ୍ବ ବୃଦ୍ଧି ପାଇଁ ୧୯୯୬ରେ ପ୍ରଧାନମନ୍ତ୍ରୀ ଏଚ୍ଡି ଦେବଗୌଡ଼ାଙ୍କ ମିଳିତ ସାମ୍ମୁଖ୍ୟ ସରକାରଙ୍କ ଦ୍ବାରା ପ୍ରୟାସ ଆରମ୍ଭ କରାଯାଇଥିଲା। ହେଲେ ବିଧେୟକ ଉପରେ କୌଣସି ନିଷ୍ପତ୍ତି ହେବା ପୂର୍ବରୁ ଦେବଗୌଡ଼ାଙ୍କ ସରକାରର ପତନ ଘଟିଥିଲା। ଏହା ପରେ ମହିଳା ସଂରକ୍ଷଣ ବିଧେୟକରେ ଏସ୍ସି-ଏସ୍ଟି-ଓବିସି ଆରକ୍ଷଣ ଦାବି ହେବା ପରେ ଇନ୍ଦ୍ର କୁମାର ଗୁଜରାଲ ସରକାର ଏହି ବିଲ୍କୁ ଶୀତଳ ଭଣ୍ଡାରକୁ ଠେଲି ଦେଇଥିଲେ। ତା’ପରେ ଅଟଳ ବିହାରୀ ବାଜପେୟୀଙ୍କ ସରକାର ଆରକ୍ଷଣ ବିବାଦ କାରଣରୁ ଏହି ବିଧେୟକକୁ ପାରିତ କରିବା ଦିଗରେ ସଫଳ ହୋଇପାରି ନଥିଲେ। ଏହି ବିଲ୍କୁ ପାରିତ କରାଇବାକୁ ନେଇ ମନମୋହନ ସିଂହଙ୍କ ୟୁପିଏ-୨ ସରକାରଙ୍କ ଦ୍ବାରା ପ୍ରୟାସ କରାଯାଇଥିଲା। ସେତେବେଳେ ୨୦୧୦ରେ ରାଜ୍ୟସଭାରେ ବିଲ୍କୁ ପାରିତ କରାଯାଇଥିଲା ହେଲେ ଲୋକସଭାରେ ସାମାଜିକ ନ୍ୟାୟର ପକ୍ଷଧର ଦଳମାନଙ୍କ ବିରୋଧ ଯୋଗୁ ବିଲ୍ ପାରିତ ହୋଇପାରି ନଥିଲା। ଏହା ପରେ ମୋଦୀ ସରକାରଙ୍କ ଦ୍ବିତୀୟ ପାଳିରେ ଏହି ବିଲ୍କୁ ପାରିତ କରାଇବା ନେଇ ପଦକ୍ଷେପ ନିଆଯାଇଛି।
ରାଜନୈତିକ ସମୀକ୍ଷକଙ୍କ କହିବା ଅନୁସାରେ ଗତ ଦଶ ବର୍ଷରେ ମହିଳାଙ୍କ ଭୋଟିଂ ଧାରାରେ ବଡ଼ ପରିବର୍ତ୍ତନ ଆସିଛି। ପୁରୁଷଙ୍କ ତୁଳନାରେ ମହିଳାଙ୍କ ଭୋଟ ପ୍ରତିଶତ ବଢ଼ିଛି। ମୋଦୀ ସରକାରଙ୍କ ୯ ବର୍ଷର କାର୍ଯ୍ୟକାଳରେ ମହିଳା କୈନ୍ଦ୍ରିକ ଯୋଜନା ଯୋଗୁ ବିଜେପିକୁ ମହିଳା ବର୍ଗର ସମର୍ଥନ ମିଳିଛି। ଏଭଳି ସ୍ଥିତିରେ ମୋଦୀ ସରକାର ଆଗାମୀ ଲୋକସଭା ନିର୍ବାଚନରେ ମହିଳା ଭୋଟରଙ୍କ ସମର୍ଥନ ପରିସରକୁ ବୃଦ୍ଧି ପାଇଁ ମହିଳା ସଂରକ୍ଷଣ ବିଲ୍ ଗୃହୀତ ପାଇଁ ତତ୍ପରତା ପ୍ରର୍ଦଶନ କରିଛନ୍ତି। ସଂସଦରେ ମହିଳା ସଂରକ୍ଷଣ ବିଲ୍କୁ ଗୃହୀତ କରାଇବା ପାଇଁ ସରକାରଙ୍କ ସାମ୍ନାରେ ସଂଖ୍ୟାର ଅଭାବ ନାହିଁ। ଲୋକସଭାରେ ସରକାରଙ୍କୁ ସ୍ପଷ୍ଟ ବହୁମତ ହାସଲ ଅଛି। ରାଜ୍ୟସଭାରେ ବିଜେଡି, ୱାଇଏସ୍ଆର୍ସିପି ଓ ବିଆର୍ଏସ୍ର ସମର୍ଥନ ମିଳିବା ନିଶ୍ଚିତ।
ବିଜେଡି ଦୀର୍ଘ ଦିନରୁ ମହିଳା ସଂରକ୍ଷଣ ବିଲ୍କୁ ପାରିତ କରିବା ପାଇଁ ଦାବି କରିଆସୁଥିଲା। ରାଜ୍ୟ ସରକାରଙ୍କ ଦ୍ବାରା ସଂସଦ ଓ ସମସ୍ତ ରାଜ୍ୟର ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ଲାଗୁ ସଂବନ୍ଧୀୟ ଏକ ସଂକଳ୍ପନାମାକୁ ୨୦୧୮ ନଭେମ୍ବରରେ ରାଜ୍ୟ ବିଧାନସଭାରେ ଗୃହୀତ କରାଯାଇଥିଲା। ପରବର୍ତ୍ତୀ ସମୟରେ ବିଜେଡି ପକ୍ଷରୁ ଏକ ପ୍ରତିନିଧିମଣ୍ଡଳୀ ୨୨ଟି ରାଜନୈତିକ ଦଳର ନେତାମାନଙ୍କୁ ଭେଟି ବିଲ୍କୁ ସଂସଦରେ ସମର୍ଥନ ପାଇଁ କହିଥିଲେ। ଅନ୍ୟପକ୍ଷରେ, କଂଗ୍ରେସ ମଧ୍ୟ ମହିଳା ସଂରକ୍ଷଣ ବିଲ୍କୁ ସମର୍ଥନ କରିବା ପକ୍ଷରେ ରହିଛି। ହେଲେ ସମାଜବାଦୀ ପାର୍ଟି, ଆର୍ଜେଡି, ଡିଏମ୍କେ ଭଳି ଦଳ ମହିଳା ସଂରକ୍ଷଣ ବିଲ୍ ବିରୋଧରେ ରହିଛନ୍ତି।