ମାଲ୍‌ଦାରୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ଶବ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ

କୋଲକାତା: ହାଇଦ୍ରାବାଦରେ ମହିଳା ଡାକ୍ତରଙ୍କୁ ଗଣ ଦୁଷ୍କର୍ମ ପରେ ଜିଅନ୍ତା ଜାଳିଦେବା ଘଟଣା ସମଗ୍ର ଦେଶରେ ଆଲୋଡ଼ନ ସୃଷ୍ଟି କରିଥିବା ବେଳେ ଆଜି ପଶ୍ଚିମବଙ୍ଗର ମାଲ୍‌ଦାରୁ ଜଣେ ମହିଳାଙ୍କ ସମ୍ପୂର୍ଣ୍ଣ ପୋଡ଼ିଯାଇଥିବା ମୃତ ଦେହ ଉଦ୍ଧାର କରାଯିବା ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସ୍ଥିତି ସୃଷ୍ଟି କରିଛି। ଦୁର୍ବୃତ୍ତମାନେ ସମ୍ପୃକ୍ତ ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରି ଜାଳି ଦେଇଥିବା ପୁଲିସ ଅନୁମାନ କରୁଛି। ତେବେ ଏହି ଘଟଣା ଜଣାପଡ଼ିବା ପରେ ସ୍ଥାନୀୟ ଅଞ୍ଚଳରେ ଲୋକେ ରାସ୍ତାକୁ ଓହ୍ଲାଇଛନ୍ତି। ମହିଳାଙ୍କ ପ୍ରତି ଏଭଳି ବର୍ବରତା ବିରୋଧରେ ସ୍ଥାନୀୟ ମହିଳାମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଦୁଷ୍କର୍ମ ପରେ ଏଭଳି ଜଘନ୍ୟ ହତ୍ୟା କରାଯାଇଥିବା ଆଶଙ୍କା କରାଯାଉଥିବାରୁ ଘଟଣାର ସତ୍ୟାସତ୍ୟ ଉନ୍ମୋଚନ କରିବାକୁ ମହିଳା ସଂଗଠନମାନେ ଦାବି କରିଛନ୍ତି। ପୀଡ଼ିତା ମହିଳାଙ୍କ ଶରୀର ସମ୍ପୂର୍ଣ୍ଣ ପୋଡ଼ି ଯାଇଥିବାରୁ ତାଙ୍କୁ ଚିହ୍ନଟ କରିବା କଷ୍ଟକର ହୋଇ ପଡ଼ିଛି ବୋଲି ମାଲ୍‌ଦା ଡିଏସ୍‌ପି ପ୍ରଶାନ୍ତ ଦେବନାଥ କହିଛନ୍ତି। ଘଟଣାରୁ ପ୍ରକାଶ, ଆଜି ସକାଳୁ ମାଲ୍‌ଦାର ଇଂଲିସ ବଜାର ଥାନା ନିକଟସ୍ଥ ଏକ ଆମ୍ବ ବଗିଚାରେ କିଛି ଚାଷୀମାନେ ମହିଳାଙ୍କର ପୋଡ଼ିଯାଇଥିବା ମୃତ ଶରୀରକୁ ଦେଖିବାକୁ ପାଇଥିଲେ। ସ୍ଥାନୀୟ ଲୋକଙ୍କଠାରୁ ସୂଚନା ପାଇବା ପରେ ମାଲ୍‌ଦା ଏସ୍‌ପି ଆଲୋକ ରାଜୋରିଆ ଘଟଣା ସ୍ଥଳକୁ ଯାଇଥିଲେ। ମହିଳାଙ୍କ ଶବ ଉଦ୍ଧାର କରାଯାଇ ମାଲ୍‌ଦା ମେଡିକାଲ କଲେଜକୁ ବ୍ୟବଚ୍ଛେଦ ପାଇଁ ପଠାଯା‌ଇଛି। ତେବେ ମହିଳାଙ୍କ ଶରୀରର କେତେକ ସ୍ଥାନରେ କ୍ଷତ ଚିହ୍ନ ଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ମହିଳାଙ୍କ ମୃତ ଶରୀର ନିକଟରୁ ହଳେ ଚପଲ, ଦିଆସିଲି କାଠି ମଧ୍ୟ ପୁଲିସ ପାଇଛି। ତେବେ ଉକ୍ତ ମହିଳାଙ୍କୁ ଦୁଷ୍କର୍ମ କରାଯାଇଛି କି ନାହିଁ ପୁଲିସ ସେ ଦିଗର ଅନୁସନ୍ଧାନ କରୁଛି ବୋଲି ଏସ୍‌ପି ରାଜୋରିଆ କହିଛନ୍ତି।

ସମ୍ବନ୍ଧିତ ଖବର