ନୂଆଦିଲ୍ଲୀ: ଦେଶରେ ବିଦ୍ୟୁତ ଯାନ ବିକ୍ରି ଉପରେ ସରକାର ଗୁରୁତ୍ବ ଦେଉଛନ୍ତି। ଏଭଳି ସ୍ଥିତିରେ ଦେଶରେ ଏକ ନୂଆ ଧାରା ସାମ୍ନାକୁ ଆସିଛି। ପେଟ୍ରୋଲ ଏବଂ ଡିଜେଲରେ ପରିଚାଳିତ କାର୍‌ ତୁଳନାରେ ଅଧିକ ସଂଖ୍ୟାରେ ଇଲେକ୍ଟ୍ରିକ କାର୍‌ ମହିଳାମାନେ କିଣୁଛନ୍ତି। ପ୍ରାୟତଃ ପ୍ରତି ୪ ଜଣ ଇଲେକ୍ଟ୍ରିକ କାର୍‌ ଗ୍ରାହକଙ୍କ ମଧ୍ୟରେ ଜଣେ ମହିଳା ରହିଛନ୍ତି। ପେଟ୍ରୋଲ ଏବଂ ଡିଜେଲରେ ଚାଳିତ କାର୍‌ କ୍ଷେତ୍ରରେ ମହିଳାଙ୍କ ଯୋଗଦାନ କିନ୍ତୁ ୧୧ରୁ ୧୨ ପ୍ରତିଶତ ମଧ୍ୟରେ ସୀମିତ ରହିଛି। ଇ-କାର ଶିଳ୍ପର ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ, ଡ୍ରାଇଭିଂ ସହିତ ମାଲିକାନା ହାସଲ କରିବା ସହଜ ହେବାରେ ଲାଗିଛି। ଏଥିସହିତ ଲୋକମାନେ ପରିବେଶ ପ୍ରତି ମଧ୍ୟ ‌ଅଧିକ ସଚେତନ ହେଉଛନ୍ତି। ଅନ୍ୟପକ୍ଷରେ ଅଧିକରୁ ଅଧିକ ମହିଳା ମଧ୍ୟ ଏବେ ଚାକିରି କରିବା ସହିତ ରୋଜଗାର ମଧ୍ୟ କରୁଛନ୍ତି। ଆର୍ଥିକ ଦୃଷ୍ଟିରୁ ସେମାନେ ସଶକ୍ତ ରହୁଥିବାରୁ ଗାଡ଼ି କିଣିବା ନିଷ୍ପତ୍ତିରେ ସେମାନଙ୍କ ଭୂମିକା ଅଧିକ ରହୁଛି। ଏଥିପାଇଁ ଦେଶରେ ଅଧିକରୁ ଅଧିକ ମହିଳା ଇଲେକ୍ଟ୍ରିକ କାର କିଣୁଛନ୍ତି ବୋଲି ସେମାନେ ମତ ଦେଇଛନ୍ତି।

Advertisment

ଦେଶରେ ଇଲେକ୍ଟ୍ରିକ କାର୍‌ ବିକ୍ରି କ୍ଷେତ୍ରରେ ସବୁଠୁ ଆଗରେ ଟାଟା ମୋଟର୍ସ ରହିଛି। ଏହି କମ୍ପାନିର କହିବାନୁଯାୟୀ, ବିଦ୍ୟୁତ୍‌ କାର ବିକ୍ରିରେ ମହିଳାଙ୍କର ଅଂଶ ପ୍ରାୟ ୨୪ ପ୍ରତିଶତ ରହିଛି। ‌ସେହିଭଳି ଅନ୍ୟତମ ପ୍ରମୁଖ ଇଲେକ୍ଟ୍ରିକ କାର୍‌ ବିକ୍ରେତା ଏମଜି ମୋଟର୍ସର ମୋଟ ଇଲେକ୍ଟ୍ରିକ କାର ବିକ୍ରିରେ ମହିଳା ଗ୍ରାହକଙ୍କ ଅଂଶ ୨୩ରୁ ୨୪ ପ୍ରତିଶତ ରହିଥିବା କୁହାଯାଉଛି। ଅନ୍ୟପକ୍ଷରେ ଜୀବାଶ୍ମ ଇନ୍ଧନରେ ଚାଲୁଥିବା କାର୍‌ରେ ମହିଳା ଗ୍ରାହକଙ୍କ ଅଂଶ ୧୧ରୁ ୧୨ ପ୍ରତିଶତ ମଧ୍ୟରେ ରହିଛି। ଦେଶରେ ଇଲେକ୍ଟ୍ରିକ ପାସେଞ୍ଜର ଯାନ ବର୍ଗରେ ଟାଟା ମୋଟର୍ସ ଏବଂ ଏମଜି ମୋଟର୍ସର ମୋଟ ଯୋଗଦାନ ୮୫ ପ୍ରତିଶତ ପାଖାପାଖି ରହିଛି। ଏମଜି ମୋଟର ଇଣ୍ଡିଆର ଡେପୁଟି ‌ଏମଡି ଗୌରବ ଗୁପ୍ତାଙ୍କ କହିବାନୁଯାୟୀ, ଇଲେକ୍ଟ୍ରିକ ଗାଡ଼ିର ପ୍ରଦର୍ଶନ ସହିତ ମାଲିକାନା ହାସଲ କରିବା ସହଜ ହେଉଥିବାରୁ ମହିଳାମାନେ ଏହି କାର୍‌ କିଣିବା ପ୍ରତି ଅଧିକ ଆଗ୍ରହ ପ୍ରକାଶ କରୁଛନ୍ତି।