‘ଚାକିରି ଲାଗି ଅନୁପଯୁକ୍ତ’ ଅନ୍ତଃସତ୍ତ୍ବା ମହିଳା ଗାଇଡ୍‌ଲାଇନ୍‌ ପାଇଁ ‘ଷ୍ଟେଟ୍‌ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ’କୁ ଦିଲ୍ଲୀ ମହିଳା କମିସନ୍‌ ନୋଟିସ୍‌

ନୂଆଦିଲ୍ଲୀ: ୩ ମାସରୁ ଅଧିକ ଦିନ ଅନ୍ତଃସତ୍ତ୍ବା ଥିବା ମହିଳାମାନଙ୍କୁ ଚାକିରିରେ ଯୋଗ ଦେବାକୁ ବାରଣ କରିଥିବା କାରଣରୁ ଦିଲ୍ଲୀ ମହିଳା କମିସନ୍‌ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ୍‌କୁ ନୋଟିସ୍‌ ଜାରି କରିଛି।

ସୂଚନାଯୋଗ୍ୟ, ଚାକିରି ପାଇଁ ମନୋନୀତା ‌ହୋଇଥିବା ମହିଳା ପ୍ରାର୍ଥୀ ଯଦି ସେ ସମୟରେ ୩ ମାସର ଅନ୍ତଃସତ୍ତ୍ବା ଥିବେ, ତେବେ ତାଙ୍କୁ ‘ସାମୟିକ ଭାବେ ଅନୁପଯୁକ୍ତା’ ବୋଲି ବିବେଚନା କରାଯିବ। କିନ୍ତୁ, ପିଲା ଜନ୍ମ କରିବାର ୪ ମାସ ପରେ ତାଙ୍କୁ ଚାକିରିରେ ଯୋଗ ଦେବାକୁ ଅନୁମତି ଦିଆଯାଇ ପାରିବ ବୋଲି ୨୦୨୧ ଡିସେମ୍ବର ୩୧ ତାରିଖ ଦିନ ‘ଏସ୍‌ବିଆଇ’ର ସଦ୍ୟତମ ଗାଇଡ୍‌ଲାଇନ୍‌ରେ ଉଲ୍ଲେଖ ଅଛି।

ଟୁଇଟ୍‌ କରି ଦିଲ୍ଲୀ ମହିଳା କମିସନ୍‌ର ଅଧ୍ୟକ୍ଷା ସ୍ବାତୀ ମାଲିୱାଲ୍‌ କହିଛନ୍ତି, ଉକ୍ତ ମହିଳାମାନଙ୍କୁ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ୍‌ ‘ସାମୟିକ ଭାବେ ଅନୁପଯୁକ୍ତା’ ବୋଲି କହୁଛନ୍ତି। କିନ୍ତୁ, ବ୍ୟାଙ୍କ୍‌ର ଏଭଳି ନିଷ୍ପତ୍ତି ଅନ୍ୟାୟ ଏବଂ ବେଆଇନ ହୋଇଥିବାରୁ ଆଇନ ଅନୁସାରେ ଯୋଗାଇ ଦିଆଯାଇଥିବା ‘ମାଟର୍ଣ୍ଣିଟି ବେନିଫିଟ୍‌’କୁ ପ୍ରଭାବିତ କରିପାରେ। ତେଣୁ, ଏହି ମହିଳା ବିରୋଧୀ ନିୟମ ପ୍ରତ୍ୟାହାର କରି ନେବାକୁ ଆମେ ସେମାନଙ୍କୁ ନୋଟିସ୍‌ ଦେଇଛୁ।

Image Courtesy of OneIndia

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଷ୍ଟେଟ୍‌ ବ୍ୟାଙ୍କ୍‌ ଜାରି କରିଥିବା ଉକ୍ତ ସର୍କ୍ୟୁଲାର୍‌ରେ ଉଲ୍ଲେଖ ଅଛି ଯେ, ‘ସାମୟିକ ଭାବେ ଅନୁପଯୁକ୍ତା’ ବୋଲି ବିବେଚନା କରାଯାଉଥିବା ସମ୍ପୃକ୍ତ ମହିଳା ପିଲା ଜନ୍ମ କରିବାର ୪ ମାସ ମଧ୍ୟରେ ପୁଣି କାର୍ଯ୍ୟ କ୍ଷେତ୍ରରେ ଯୋଗ ଦେଇ ପାରିବେ।

ଏହାର ଅର୍ଥ ମନୋନୀତ ହୋଇଥିଲେ ମଧ୍ୟ ‘ସାମୟିକ ଭାବେ ଅନୁପଯୁକ୍ତା’ ହେତୁ ୩ ମାସ ଅନ୍ତଃସତ୍ତ୍ବା ଥିବା ମହିଳା ପ୍ରାର୍ଥିନୀ ତୁରନ୍ତ କାର୍ଯ୍ୟରେ ଯୋଗ ଦେଇପାରିବେ ନାହିଁ ବୋଲି ବ୍ୟାଙ୍କ୍‌ ନିୟମ କରିଥିବା ପରି ମନେହୁଏ। ଏହା ବଡ଼ ସାଙ୍ଘାତିକ କଥା। ଏହା ୨୦୨୦ ‘କୋଡ୍‌ ଅଫ୍‌ ସୋସିଆଲ୍‌ ସିକ୍ୟୁରିଟି’ଦ୍ବାରା ଯୋଗାଇ ଦିଆଯାଥିବା ‘ମାଟର୍ଣ୍ଣିଟି ବେନିଫିଟ୍‌’ର ବିରୁଦ୍ଧାଚରଣ କରୁଛି।

ଏଭଳି ଗାଇଡ୍‌ଲାଇନ୍‌ର ପ୍ରସ୍ତୁତି ପ୍ରକ‌୍ରିୟା ବୁଝାଇ ଦେବା ପାଇଁ ଏବଂ ଏହାକୁ ଅନୁମ‌ୋଦନ କରିଥିବା ଅଧିକାରୀଙ୍କ ନାମ ଜଣାଇବାକୁ ଦିଲ୍ଲୀ ମହିଳା କମିସନ୍‌ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ୍‌କୁ ନିର୍ଦେଶ ଦେଇଛି।

ସମ୍ବନ୍ଧିତ ଖବର