ମହିଳା ସଂରକ୍ଷଣ ବିଲ୍: ୨୫ ବର୍ଷ ହେଲା ଝୁଲୁଛି

ନୂଆଦିଲ୍ଲୀ: ଲୋକସଭା ଏବଂ ରାଜ୍ୟସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ବିଲ୍‌ ଗତ ୨୫ ବର୍ଷ ହେଲା ଝୁଲି ରହିଛି। ଲୋକସଭାରେ ୪ ଥର ଏହି ବିଲ୍‌ ଆଗତ ହୋଇଛି। ହେଲେ ଦୁଇ ସଦନରେ ପାସ୍‌ ହୋଇପାରି ନାହିଁ। ସମାଜବାଦୀ ପାର୍ଟିର ମୁଲାୟମ ସିଂହ ଯାଦବ ଏବଂ ରାଷ୍ଟ୍ରୀୟ ଜନତା ଦଳର ଲାଲୁ ପ୍ରସାଦ ଯାଦବଙ୍କ ବିରୋଧ ଯୋଗୁଁ ମହିଳା ସଂରକ୍ଷଣ ବିଲ୍‌ର ଅଟକି ରହିଛି।

୨୦୦୮ ମସିହାରେ ତତ୍କାଳୀନ କେନ୍ଦ୍ର ଆଇନ ମନ୍ତ୍ରୀ ଏଚ୍‌ ଆର୍‌ ଭରଦ୍ବାଜ ରାଜ୍ୟସଭାରେ ନୂତନ ମହିଳା ସଂରକ୍ଷଣ ବିଲ୍‌ ଆଗତ କରିବା ପୂର୍ବରୁ ସଂସଦ ବାହାରେ ୟୁପିଏ ସହଯୋଗୀମାନେ ଏହାର ବିରୋଧ କରିଥିଲେ। ରାଜ୍ୟସଭାରେ ବିଲ୍‌କୁ ନେଇ ଆଲୋଚନା ହେବା ପୂର୍ବରୁ ଏହାକୁ ଚିରିବାକୁ ଉଦ୍ୟମ କରାଯାଇଥିଲା। ସେତେବେଳେ କିଛି ମହିଳା ସାଂସଦ ଭରଦ୍ବାଜଙ୍କ ଏହି ବିଲ୍‌କୁ ଉଦ୍ଧାର କରିଥିଲେ। ଷ୍ଟାଣ୍ଡିଂ କମିଟିକୁ ବିଲ୍‌କୁ ପଠାଇ ଦିଆଯାଇଥିଲା। ପୁନର୍ବାର ଏହି ବିଲ୍‌ ରାଜ୍ୟସଭାରେ ଆଗତ ହେବା ପୂର୍ବରୁ ସମାଜବାଦୀ ପାର୍ଟି ଓ ରାଷ୍ଟ୍ରୀୟ ଜନତା ଦଳ ୟୁପିଏଠାରୁ ସମର୍ଥନ ପ୍ରତ୍ୟାହାର କରିନେଲେ। କୌଣସି ପ୍ରକାରେ ବିଲ୍‌ଟି ରାଜ୍ୟସଭାରେ ପାରିତ ହୋଇଗଲା। କିନ୍ତୁ ପରବର୍ତ୍ତୀ ୪ ବର୍ଷ ପର୍ଯ୍ୟନ୍ତ ବିଲ୍‌ଟି ଲୋକସଭାରେ ପାରିତ ହୋଇ ପାରିଲା ନାହିଁ। ୧୫ତମ ଲୋକସଭା ଭଙ୍ଗ ହେବାରୁ ବିଲ୍‌ଟି ରଦ୍ଦ ହୋଇଗଲା।

ସୂଚନାଯୋଗ୍ୟ, ୧୯୯୬ ମସିହା ଆଜିର ଦିନରେ ଅର୍ଥାତ୍‌ ସେପ୍ଟେମ୍ବର ୧୨ ତାରିଖରେ ପ୍ରଥମ ଥର ପାଇଁ ସଂସଦରେ ମହିଳା ସଂରକ୍ଷଣ ବିଲ୍‌ ଆଗତ ହୋଇଥିଲା। ୧୯୯୮, ୧୯୯୯ ଏବଂ ୨୦୦୮ରେ ୪ ଥର ବିଲ୍‌ଟିକୁ ପାସ୍‌ କରାଇବା ପାଇଁ ଉଦ୍ୟମ ହୋଇଛି। ହେଲେ ଏହା ପାରିତ ହୋଇପାରି ନାହିଁ।

ସମ୍ବନ୍ଧିତ ଖବର