ମମତାଙ୍କ ସମର୍ଥନରେ ବାହାରିଲା ଶିବସେନା: ପଶ୍ଚିମବଙ୍ଗ ନିର୍ବାଚନରେ ଲଢ଼ିବ ନାହିଁ; କିନ୍ତୁ ତୃଣମୂଳ ପାଇଁ ପ୍ରଚାର କରିବ

ମୁମ୍ବାଇ: ଶିବସେନା ଆଜି (ଗୁରୁବାର) ଘୋଷଣା କରିଛି ଯେ ସେମାନେ ଆଗାମୀ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ; କିନ୍ତୁ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବରେ ମମତା ବାନାର୍ଜୀଙ୍କୁ ଜିତାଇବା ପାଇଁ ନିର୍ବାଚନ ପ୍ରଚାର କରିବେ। ଦଳର ସଭାପତି ଉଦ୍ଧବ ଠାକରେଙ୍କ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆ ଯାଇଥିବା କହିଛନ୍ତି ଦଳର ବରିଷ୍ଠ ନେତା ସଞ୍ଜୟ ରାଉତ।

ପଶ୍ଚିମବଙ୍ଗର ସାଂପ୍ରତିକ ଦୃଶ୍ୟକୁ ଦେଖିଲେ ଲାଗୁଛି ଚଳିତ ନିର୍ବାଚନ ଯେପରି ‘ଦିଦି ବନାମ ଅନ୍ୟ ସମସ୍ତେ’ ପରି ହୋଇପଡ଼ିଛି। ସମସ୍ତ ପ୍ରକାରର ‘ଅର୍ଥବଳ’, ‘ବାହୁବଳ’ ଓ ‘ମିଡିଆବଳ’କୁ ‘ମମତା ଦିଦି’ ବିରୋଧରେ ବ୍ୟବହାର କରାଯାଉଛି। ତେଣୁ ଚଳିତ ପଶ୍ଚିମବଙ୍ଗ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ନକରି ‘ମମତା ଦିଦି’ଙ୍କ ପାଇଁ ପ୍ରଚାର କରିବାକୁ ଶିବସେନା ନିଷ୍ପତ୍ତି ନେଇଛି। ଆମେ ମମତା ଦିଦିଙ୍କ ବିପୁଳ ସଫଳତା କାମନା କରୁଛୁ ବୋଲି ବରିଷ୍ଠ ଶିବସେନା ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ ଘୋଷଣା କରିଛନ୍ତି।

ଉଲ୍ଲେଖଯୋଗ୍ୟ, ୨୦୧୯ ବିଧାନସଭା ନିର୍ବାଚନ ପର୍ଯ୍ୟନ୍ତ ଶିବସେନା ବିଜେପି ନେତୃତ୍ୱାଧୀନ ଏନଡିଏ ସରକାରରେ ସହଯୋଗୀ ଥିଲା ଏବଂ ସେହି ବର୍ଷ ପ୍ରଥମ ଥର ପାଇଁ ପଶ୍ଚିମବଙ୍ଗରେ ଲୋକସଭା ନିର୍ବାଚନରେ ମଧ୍ୟ ପ୍ରତିଦ୍ୱନ୍ଦ୍ୱିତା କରିଥିଲା ଶିବସେନା। ୨୦୧୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ପଶ୍ଚିମବଙ୍ଗର ୨୧ଟି ଆସନରେ ମଧ୍ୟ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ଶିବସେନା ପ୍ରାର୍ଥୀ।

ସମ୍ବନ୍ଧିତ ଖବର