ସୁରତରେ ଶବ ପୋଡ଼ିବାକୁ କାଠ ଅଭାବ, ଆଖୁ ଛେଦାରେ ପୋଡାଯାଉଛି ମୃତଦେହ

ସୁରତ: ଗୁଜୁରାଟର ସୁରତରେ କରୋନା ମହାମାରୀର ଭୟାବହତା ଜାରି ରହିଛି | ସ୍ଥିତି ଏମିତି ହୋଇଛି ଯେ ମୃତକଙ୍କ ଅନ୍ତିମ ସଂସ୍କାର କରିବାକୁ ମଶାଣିରେ ଜାଗା ଅଭାବ ଦେଖାଦେଇଛି | କେବଳ ଜାଗା ଅଭାବ ନୁହେଁ ବରଂ କାଠର ଅଭାବ ମଧ୍ୟ ଦେଖିବାକୁ ମିଳିଛି | ଆଉ ଏଥିପାଇଁ ବାଧ୍ୟ ହୋଇ ଏବେ ଆଖୁ ଛେଦା(ଆଖୁରୁ ରସ ବାହାରିବା ପରେ ବାହାରୁଥିବା ଚୋପା) ରେ ମୃତଦେହକୁ ପୋଡାଯାଉଛି | ବର୍ତ୍ତମାନ ସୁରତରେ ଚିନି କଳରୁ ବାହାରୁଥିବା ଆଖୁ ଛେଦାରେ ମୃତଦେହ ପୋଡାଯାଉଥିବାର ଦେଖିବାକୁ ମିଳିଛି | ପୂର୍ବରୁ ସୁରତରେ ତିନିଟି ମଶାଣି ଥିଲା |

ସୁରତର ଜାହାଙ୍ଗିରପୁର, ରାମନାଥ ଘେଲା ଓ ଅଶ୍ୱିନୀ କୁମାର ନାମକ ତିନିଟି ମଶାଣି ଥିବାବେଳେ କରୋନାର ଦ୍ଵିତୀୟ ସଂକ୍ରମଣରେ ମୃତକଙ୍କ ସଂଖ୍ୟା ଏତେ ବଢିଯାଇଛି ଯେ ଆଉ ଦୁଇଟି ମଶାଣି ଆରମ୍ଭ କରିବାକୁ ପଡିଛି | ୫ଟି ମଶାଣି ସତ୍ତ୍ୱେ ଏବେ କାଠର ଅଭାବ ଦେଖାଦେଇଥିବାରୁ ଚିନି କଳରୁ ଆଖୁ ଛେଦା ଏବେ ମଶାଣିକୁ ଯୋଗାଇଦିଆଯାଉଛି | ସୁରତ ଚିନି କଳର ନିର୍ଦ୍ଦେଶକ ଦର୍ଶନ ନାୟକ କହିଛନ୍ତି ଯେ ମଶାଣିରେ କାଠର ଅଭାବ ଯୋଗୁଁ ମାଗଣାରେ ଏବେ ଆଖୁ ଛେଦା ଯୋଗାଇଦିଆଯାଉଛି |

ତେବେ ସୁରତର ଏକ ମଶାଣିର କର୍ତୃପକ୍ଷ କହିଛନ୍ତି ଯେ ଏତେ ସଂଖ୍ୟାରେ ମୃତଦେହ ଆସୁଛି ଯେ ଏହାକୁ ଦାହ କରିବା ପାଇଁ ପୂର୍ବରୁ ଚିତା ପ୍ରସ୍ତୁତ କରି ରଖାଯାଉଛି | କାଠ ସଙ୍କଟ ଯୋଗୁଁ ଅଳ୍ପ କାଠ ସହ ଆଖୁ ଛେଦାର ବ୍ୟବହାର କରାଯାଉଛି | ଆଉ ଆଖୁ ଛେଦା ଅତ୍ୟନ୍ତ ଜ୍ବଳନଶୀଳ ହୋଇଥିବାବେଳେ ଶୀଘ୍ର ନିଆଁ ଲାଗିଥାଏ | ତେଣୁ କମ କାଠରେ ମଧ୍ୟ ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଯାଉଛି |

ସମ୍ବନ୍ଧିତ ଖବର