ନୂଆଦିଲ୍ଲୀ: ଗତ ଦୁଇ ବର୍ଷ ହେବ ଆକ୍ରିଡେଟେଡ୍ ସୋସିଆଲ୍ ହେଲଥ୍ ଆକ୍ଟିଭିଷ୍ଟ୍(ଆଶା) କର୍ମୀମାନେ ସ୍ୱାଭିମାନ ପାଇଁ କରୁଥିବା ଲଢ଼େଇର ଶେଷରେ ଫଳ ମିଳିଛି। କଣ୍ଡମ୍ ପ୍ୟାକେଟ୍ରେ ‘ଆଶା ନିରୋଧ’ ଛପା ଯାଉଥିବାରୁ ସେମାନେ ବିଭିନ୍ନ ମହଲରେ ହାସ୍ୟାସ୍ପଦ ପାଲଟୁଥିଲେ। ସମାଜସେବା ପାଇଁ ସେମାନେ ନିଜକୁ ନିୟୋଜିତ କରୁଥିବା ବେଳେ ଅନେକ କିନ୍ତୁ ସେମାନଙ୍କର ମଜାକ ଉଡ଼ାଉଥିଲେ ବୋଲି ଅଭିଯୋଗ ଆଣି କଣ୍ଡୋମ ପ୍ୟାକେଟ୍ରୁ ‘ଆଶା’ ଶବ୍ଦ ହଟାଇବା ପାଇଁ ଆଶାକର୍ମୀମାନେ ଦାବି କରିଥିଲେ। ଶେଷରେ ସେମାନଙ୍କ ଦାବି ପୂରା ହୋଇଛି। ନୂଆ କଣ୍ଡୋମ ପ୍ୟାକେଟ୍ରେ ‘ଆଶା ନିରୋଧ’ ବଦଳରେ କେବଳ ‘ନିରୋଧ’ ଛପାଯାଇଛି ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ରହିଛି।
ନେସ୍ନାଲ୍ ହେଲ୍ଥ ରୁରାଲ୍ ମିସନ୍(ଏନ୍ଏଚ୍ଆର୍ଏମ୍) କଣ୍ଡୋମ୍ ପ୍ୟାକେଟ୍ ଉପରେ ଆଶା ଛାପିବା ପାଇଁ ନେଇଥିବା ନିଷ୍ପତ୍ତିକୁ ନେଇ ଆଶାକର୍ମୀମାନେ ନିଜର ନାରାବାଜୀ ଦେଖାଇଥିଲେ। ଫଳସ୍ୱରୁପ ଏବେ ଆଉ ନୂଆ ପ୍ୟାକେଟ୍ରେ ‘ଆଶା’ ଶବ୍ଦ ଦେଖିବାକୁ ମିଳିନାହିଁ। ଏନ୍ଏଚ୍ଆର୍ଏମ ପକ୍ଷରୁ କୁହାଯାଇଥିଲା ଯେ ଜୁଲାଇରେ ନାମ ପରିବର୍ତ୍ତନ କରାଯିବ। ମାତ୍ର ବିକ୍ଷୋଭ ପାଇଁ ନାମ ପରିବର୍ତ୍ତନ କରାଯିବ ବୋଲି କୌଣସି ସୂଚନା ନଥିଲା।
ସୂତ୍ରରୁ ଜାଣିବାକୁ ମିଳିଛି ଯେ ନିକଟରେ ଦିଲ୍ଲୀଠାରେ ଏକ ବୈଠକରେ ଏ ସଂପର୍କରେ ଆଲୋଚନା ହୋଇଥିଲା। ମଧ୍ୟପ୍ରଦେଶର ଜଣେ ମନ୍ତ୍ରୀ କଣ୍ଡୋମ ପ୍ୟାକେଟ୍ ଉପରୁ ‘ଆଶା’ ଶବ୍ଦ କାଟିବାକୁ ନିବେଦନ କରିଥିଲେ। ଆଶାକର୍ମୀମାନଙ୍କ ସ୍ୱାଭିମାନକୁ ଏହା କ୍ଷୁର୍ଣ୍ଣ କରୁଛି ବୋଲି ସେ ଦର୍ଶାଇଥିଲେ।
ଏହି ଗୋଟାଏ ଶବ୍ଦକୁ ନେଇ ବିଭିନ୍ନ ଆଶାକର୍ମୀ ନିକଟରେ ଅଭିଯୋଗ ଆଣି ସେ ସାମ୍ନା କରୁଥିବା ଅସୁବିଧାକୁ ଜଣାଇଥିଲେ। ଏହି ଶବ୍ଦ କଣ୍ଡୋମ ପ୍ୟାଟେରେ ଛପିବା ଦ୍ୱାରା କେହି ସର୍ବସାଧାରଣରେ ଲଜ୍ଜିତ ହେଉଥିବା ବେଳେ ଆଉ କେହି ନିଜ ସ୍ୱାମୀଙ୍କଠାରୁ ଗାଳି ଶୁଣୁଥିବାର ଅଭିଯୋଗ ହୋଇଥିଲା।
ଏ ସବୁ ଦିଗକୁ ଲକ୍ଷ କରି କମଲ୍ ଜୈଶଓ୍ଵାଲ୍ ନାମକ ଜଣେ ସମାଜସେବୀ କହିଛନ୍ତି କି, ‘ଆଶାକର୍ମୀମାନେ ହେଉଛନ୍ତି ସ୍ୱାସ୍ଥ୍ୟ ବିଭାଗର ମେରୁଦଣ୍ଡ। ସେମାନେ ‘ଆଶା ନିରୋଧ’ ବାଣ୍ଟିବା ବେଳେ ଅସୁବିଧା ପରିସ୍ଥିତି ସାମ୍ନା କରୁଛନ୍ତି।’
ଏହି ସମସ୍ୟାକୁ ଲକ୍ଷ କରି ମଝିରେ ସରକାରର ‘ଆଶା’କୁ ‘ଶଶା’ ବୋଲି ଲେଖିବାର ନିର୍ଦ୍ଦେଶ ଦେଇଥିଲେ। ମାତ୍ର ତାପରେ ବି ସମସ୍ତେ ଏହାକୁ ‘ଆଶା’ ବୋଲି ହିଁ ପଢ଼ିଥିଲେ। ବର୍ତ୍ତମାନ ଏହାକୁ ସଂପୂର୍ଣ୍ଣ ଭାବେ ପ୍ୟାକେଟ୍ ଉପରୁ ଉଠାଇ ଦିଆଯାଇଛି।