ବେକାରି ପ୍ରସଙ୍ଗରେ କଂଗ୍ରେସ-ବିଜେପି ମୁହାଁମୁହିଁ

ନୂଆଦିଲ୍ଲୀ : ବେକାରି ପ୍ରସଙ୍ଗରେ କଂଗ୍ରେସ-ବିଜେପି ମୁହାଁମୁହିଁ ହୋଇଛନ୍ତି। ବେକାରି ହାରକୁ ନେଇ ଆଜି କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ଶ୍ରୀ ଗାନ୍ଧୀ କହିଛନ୍ତି, ପ୍ରଧାନମନ୍ତ୍ରୀ ବର୍ଷକୁ ୨ କୋଟି ନିଯୁକ୍ତି ଯୋଗାଇବେ ବୋଲି କହିଥିଲେ। କିନ୍ତୁ ୫ ବର୍ଷ ପରେ ଲିକ୍ ହୋଇ ପ୍ରକାଶ ପାଇଥିବା ରିପୋର୍ଟ କାର୍ଡ ଜାତୀୟ ବିପର୍ଯ୍ୟୟକୁ ପଦାକୁ ଆଣିଛି। ବେକାରି ହାର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। କେବଳ ୨୦୧୭-୧୮ରେ ୬.୫ କୋଟି ଯୁବକ ବେକାର ରହିଛନ୍ତି। ନରେନ୍ଦ୍ର ମୋଦୀ ଗାଦି ଛାଡ଼ିବା ବେଳ ଆସିଯାଇଛି ବୋଲି ରାହୁଲ ତାଙ୍କ ଟ୍ବିଟ୍ ବାର୍ତାରେ କହିଛନ୍ତି। କଂଗ୍ରେସର ମୁଖ୍ୟ ପ୍ରବକ୍ତା ରଣଦୀପ ସୂର୍ଯ୍ୟେୱାଲା ଓ ଅଭିଷେକ ସିଂଘଭି ମଧ୍ୟ ଏହି ରିପୋର୍ଟକୁ ନେଇ ସରକାରଙ୍କୁ ସମାଲୋଚନା କରିଛନ୍ତି।

କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ସରକାରଙ୍କୁ ସମାଲୋଚନା କରିବା ପରେ ବିଜେପି ଦଳ ଏହାର ଜବାବ ରଖିଛି। କଂଗ୍ରେସ ସଭାପତି ଏହି ପ୍ରସଙ୍ଗକୁ ଠିକ୍ ସେ ବୁଝିନାହାନ୍ତି। ଯିଏ କେବେ‌ହେଲେ ଉତ୍ତମ ଚାକିରି କରିନାହିଁ ସେ ହିଁ କେବଳ ଏଭଳି ମିଥ୍ୟା ସମ୍ବାଦର ପ୍ରଚାର କରିପାରନ୍ତି। ବିଜେପି ପକ୍ଷରୁ ଏକ ଟ୍ବିଟ୍ ବାର୍ତାରେ କୁହାଯାଇଛି, ରାହୁଲ ଇଟାଲୀର ସ୍ବେଚ୍ଛାଚାରୀ ଶାସକ ମୁସୋଲିନଙ୍କ ଅଦୂରଦର୍ଶିତାଙ୍କୁ ଆହରଣ କରିଛନ୍ତି। ସେ ଏହି ପ୍ରସଙ୍ଗକୁ ଭଲଭାବେ ବୁଝିନାହାନ୍ତି। ଇପିଏଫଓର ତଥ୍ୟରୁ ଜଣାପଡ଼ିଛି ଯେ ଗତ ୧୫ ମାସ ମଧ୍ୟରେ ଦେଶରେ ନିଯୁକ୍ତି ବହୁମାତ୍ରାରେ ବୃଦ୍ଧି ପାଇଛି ବୋଲି ବିଜେପି କହିଛି।

ସମ୍ବନ୍ଧିତ ଖବର