ନୂଆଦିଲ୍ଲୀ: ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ୍‌ୱେ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି। ପ୍ରାୟ ୯୮ ହଜାର କୋଟି ଟଙ୍କା ନିବେଶରେ ନିର୍ମାଣ ହେଉଥିବା ଏହି ଏକ୍ସପ୍ରେସ୍‌ୱେ କାର୍ଯ୍ୟ ୨୦୨୩ ମାର୍ଚ୍ଚ ସୁଦ୍ଧା ଶେଷ ହେବ। ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ଦିଲ୍ଲୀରୁ ମୁମ୍ବାଇ ପର୍ଯ୍ୟନ୍ତ ଯାତ୍ରା କରିବାର ସମୟ ଯାହା ବର୍ତମାନ ୨୪ ଘଣ୍ଟା ପାଖାପାଖି ରହିଛି ତାହା ୧୨ ଘଣ୍ଟା ପର୍ଯ୍ୟନ୍ତ ହ୍ରାସ ପାଇବ। ଏହି ପ୍ରକଳ୍ପର ୩୭୫ କିମି କାମ ଶେଷ ହୋଇଥିବା ବେଳେ ଆଉ ୧୨୦୦ କିମିର କାର୍ଯ୍ୟ ଆରମ୍ଭ କରିବା ଲାଗି ବରାଦ ଦିଆଯାଇସାରିଛି। ୨୦୧୮ ମାର୍ଚ୍ଚରେ ଏହି ପ୍ରକଳ୍ପର ପରିକଳ୍ପନା କରାଯାଇଥିଲା। ୨୦୧୯ ମାର୍ଚ୍ଚରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏହି ପ୍ରକଳ୍ପ ମୁକୁନ୍ଦ୍ରା ଅଭୟାରଣ୍ୟ ଓ ମାଥେରଣ ଜୈବ ସମ୍ବେଦନଶୀଳ ଅଂଚଳ ଦେଇ ଗତି କରିବ। ସେଥିରେ ଥିବା ବନ୍ୟଜନ୍ତୁ ମାନଙ୍କ ଉପରେ ଯେଭଳି ପ୍ରକଳ୍ପର ପ୍ରଭାବ ପଡ଼ିବ ନାହିଁ ତାହାକୁ ନିଶ୍ଚିତ କରିବା ଲାଗି ଆଠ ଲେନ୍ ବିଶିଷ୍ଟ ଟନେଲ୍ ନିର୍ମାଣ କରାଯିବ। ଏହା ବ୍ୟତୀତ ଆଠ ମିଟର ଉଚ୍ଚତାର ପାଚେରୀ ଓ ଉତ୍ସର୍ଗୀକୃତ ଧ୍ବନୀ ପ୍ରାଚୀରର ମଧ୍ୟ ବ୍ୟବସ୍ଥା କରାଯିବ।