ଚାପଗ୍ରସ୍ତ ହୋଇ ମାନସିକ ଭାରସାମ୍ୟ ହରାଉଛନ୍ତି ଏଆଇଆଇଏମ୍‌ଏସ୍‌ ଡାକ୍ତର; ଗୋଟିଏ ସପ୍ତାହରେ ୫ ଡାକ୍ତର ଭର୍ତ୍ତିହେଲେ ମାନସିକ ଓ୍ଵାର୍ଡରେ

ନୂଆଦିଲ୍ଲୀ: ଦେଶର ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଏକ ଅନନ୍ୟ ମାଇଲ ଖୁଣ୍ଟ ସ୍ଥାପନ କରିବାରେ ସମର୍ଥ ହୋଇଥିବା ନୂଆଦିଲ୍ଲୀର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏଆଇଆଇଏମ୍‌ଏସ୍‌) କିନ୍ତୁ ଏଠାରେ କାର୍ଯ୍ୟରତ ଏହାର ଡାକ୍ତରମାନଙ୍କ ପାଇଁ ଆଉ ନିରାପଦ ହୋଇ ରହିପାରି ନାହିଁ। ଏଠାରେ କାର୍ଯ୍ୟରତ ଡାକ୍ତରମାନେ କାର୍ଯ୍ୟଭାରାରେ ମାତ୍ରାତିରିକ୍ତ ଭାବେ ଚାପଗ୍ରସ୍ତ ହୋଇ ନିଜର ମାନସିକ ଭାରସାମ୍ୟ ହରାଇ ମାନସିକ ଓ୍ଵାର୍ଡରେ ଚିକିତ୍ସିତ ହେବା ଓ  ଆଉ କେତେଜଣ ଆତ୍ମହତ୍ୟା କରିବା ଘଟଣା ଏବେ ଲୋକଲୋଚନକୁ ଆସିବା ପରେ ଏହାକୁ ନେଇ ଦେଶବ୍ୟାପି ଆଲୋଡ଼ନ ସୃଷ୍ଟି ହୋଇଛି।

ଗତ ଏକ ସପ୍ତାହ ମଧ୍ୟରେ ନୂଆଦିଲ୍ଲୀ ଏଆଇଆଇଏମ୍‌ଏସ୍‌ରେ କାର୍ଯ୍ୟରତ ପାଞ୍ଚଜଣ ଡାକ୍ତର ସେମାନଙ୍କ ନିଜର ମାନସିକ ଚିକିତ୍ସା ପାଇଁ ମାନସିକ ଓ୍ଵାର୍ଡରେ ଭର୍ତ୍ତି ହୋଇଥିବା ବେଳେ; ନିଶ୍ଚେତକ ବିଭାଗରେ କାର୍ଯ୍ୟରତ ଡାକ୍ତର ରାହୁଲ (ଛନ୍ଦନାମ) ଚାପଗ୍ରସ୍ତ ହୋଇ ଆତ୍ମହତ୍ୟା ପାଇଁ ଉଦ୍ଦ୍ୟମ କରୁଥିବା ବେଳେ ତାଙ୍କର ଅନ୍ୟ ସହକର୍ମୀ ଡାକ୍ତରମାନେ ତାଙ୍କୁ ବଞ୍ଚାଇବାରେ ସମର୍ଥ ହୋଇଥିବା ଜାଣିବାକୁ ମିଳିଛି।

ଏଆଇଆଇଏମ୍‌ଏସ୍‌ର ଡାକ୍ତରମାନେ ସାଂଘାତିକ ଭାବେ ମାନସିକ ରୋଗର ଶିକାର ହେବା ଓ ସେମାନଙ୍କ ମଧ୍ୟରେ ଆତ୍ମହତ୍ୟା ପ୍ରବଣତା ବୃଦ୍ଧି ପାଉଥିବା ଦେଖିବା ପରେ ରେସିଡେଣ୍ଟ ଡକ୍ଟରର୍ସ ଆସୋସିଏସନ (ଆରଡିଏ) ପକ୍ଷରୁ ଚାପଗ୍ରସ୍ତ ଡାକ୍ତରମାନଙ୍କର କାଉନସେଲିଂ ପାଇଁ ଜଣେ କାଉନସିଲରଙ୍କୁ ନିଯୁକ୍ତ କରିବା ପାଇଁ ଏବଂ ନିଜର ସୁବିଧା ଅସୁବିଧା ଜଣାଇବା ପାଇଁ ଏକ ହେଲ୍‌ପଲାଇନ୍‌ ନମ୍ବରର ପ୍ରତିଷ୍ଠା କରିବା ପାଇଁ ପରିଚାଳନା କର୍ତ୍ତୃପକ୍ଷଙ୍କ ନିକଟରେ ଦାବି କରାଯାଇଥିଲା। ହେଲେ, ଏହି ଦାବି ଏଯାବତ୍‌ ପୂରଣ ହୋଇପାରି ନାହିଁ। ଅନ୍ୟପକ୍ଷରେ ବିଗତ ଦୁଇବର୍ଷ ମଧ୍ୟରେ ଏଆଇଆଇଏମ୍‌ଏସ୍‌ର ବହୁ ଡାକ୍ତର ଆତ୍ମହତ୍ୟା କରିଥିବା ବେଳେ ସେମାନଙ୍କ ଆତ୍ମହତ୍ୟାର କାରଣ ଆଜି ପର୍ଯ୍ୟନ୍ତ ଜଣାପଡ଼ି ପାରି ନାହିଁ।

ସାଂପ୍ରତିକ ପରିସ୍ଥିତିକୁ ଦେଖି ଆରଡିଏର ସଭାପତି ଡାକ୍ତର ହରଜିତ୍‌ ସିଂହ ଭଟ୍ଟି ଏଆଇଆଇଏମ୍‌ଏସ୍‌ର ନିର୍ଦ୍ଦେଶକ ଡାକ୍ତର ରଣଦୀପ୍‌ ଗୁଲେରିଆଙ୍କୁ ଭେଟି ଚାପମୁକ୍ତ ହୋଇ କାର୍ଯ୍ୟ ସଂପାଦନ କରିବାକୁ ଡାକ୍ତରମାନଙ୍କୁ କର୍ମକ୍ଷେତ୍ରରେ ଉପଯୁକ୍ତ ପରିବେଶ ଓ ବାତାବରଣ ଯୋଗାଇ ଦେବା ପାଇଁ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର