ସିଲ୍କିୟାରା: ଉତ୍ତରକାଶୀର ଧୂଳିମୟ ସିଲ୍କିୟାରା ଟନେଲ ଭିତରେ ୧୩୦ ଘଣ୍ଟାରୁ ଅଧିକ ସମୟ ଫସି ରହିବା ପରେ ୪୧ ଜଣ ଶ୍ରମିକ ଏବେ କୋଷ୍ଠକାଠିନ୍ୟ, ମୁଣ୍ଡବିନ୍ଧା, ଚିନ୍ତା ଓ ମାନସିକ ଆଘାତ ଭଳି ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଖାଦ୍ୟ, ପାଣି, ଔଷଧ ଓ ଅମ୍ଳଜାନ ଯୋଗାଇ ଦିଆଯାଉଛି ବୋଲି ଅଧିକାରୀମାନେ କହୁଥିବା ବେଳେ ଡାକ୍ତରୀ ବିଶେଷଜ୍ଞମାନେ କହିଛନ୍ତି ଯେ କେବଳ ଶୁଖିଲା ଫଳ, ମୁଢ଼ି ଓ ପପ୍କର୍ଣ୍ଣ ଯଥେଷ୍ଟ ନୁହେଁ। ଦିନକୁ ତିନି ଥର ପେଟପୂରା ଭୋଜନରେ ଅଭ୍ୟସ୍ତ ବ୍ୟକ୍ତିଙ୍କ ପାଇଁ ଏହା ସମୁଦ୍ରକୁ ଶଂଖେ, ଯାହା ସେମାନଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରିପାରେ। ଡେରାଡୁନର ଜଣେ ବରିଷ୍ଠ ସରକାରୀ ଡାକ୍ତର କହିଛନ୍ତି ଯେ ଟନେଲରେ ବିପୁଳ ପରିମାଣରେ ସିଲିକା (ସରୁ ବାଲିକଣା) ଥିବାରୁ ସେମାନେ ଶ୍ୱାସକ୍ରିୟା ଜନିତ ସମସ୍ୟାର ସମ୍ମୁଖୀନ ହେବାର ଆଶଙ୍କା ରହିଛି।
ଏହାବ୍ୟତୀତ କିଛି ବ୍ୟକ୍ତି ହାଇପୋକ୍ସିଆ ଅନୁଭବ କରିପାରନ୍ତି। ସ୍ୱାଭାବିକ ଅମ୍ଳଜାନ ସ୍ତର, ନାଡି ଗତି ଏବଂ ରକ୍ତଚାପ ବଜାୟ ରଖିବାପାଇଁ ସଂଘର୍ଷ କରିପାରନ୍ତି ବୋଲି ଡାକ୍ତର ସତର୍କ କରାଇ ଦେଇଛନ୍ତି। ଉତ୍ତରକାଶୀ ସିଏମ୍ଓ ଆର୍ସିଏସ୍ ପନୱାର କହିଛନ୍ତି ଯେ ସେମାନେ ଏ ପରିସ୍ଥିତିରେ ସେମାନଙ୍କର ସର୍ବୋତ୍ତମ ପ୍ରୟାସ କରୁଛନ୍ତି। ଫସି ରହିଥିବା ଶ୍ରମିକଙ୍କ ଅନୁରୋଧ ଅନୁଯାୟୀ ଆମେ ଭିଟାମିନ୍ ସି ଏବଂ କୋଷ୍ଠକାଠିନ୍ୟ ଓ ମୁଣ୍ଡବିନ୍ଧା ପାଇଁ ଔଷଧ ଯୋଗାଇ ଦେଇଛୁ। ଇଣ୍ଡିଆନ୍ ସାଇକିଆଟ୍ରିକ୍ ସୋସାଇଟି ମଧ୍ୟ ଶ୍ରମିକମାନଙ୍କ ମଧ୍ୟରେ ସମ୍ଭାବ୍ୟ ମାନସିକ ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ଚିନ୍ତା ପ୍ରକଟ କରିଛି। ଇଣ୍ଡିଆନ୍ ସାଇକିଆଟ୍ରିକ୍ ସୋସାଇଟିର ଉପାଧ୍ୟକ୍ଷ ଲକ୍ଷ୍ମୀକାନ୍ତ ରାଠୀ କହିଛନ୍ତି ଯେ ଉଦ୍ଧାର ପରବର୍ତ୍ତୀ କାଉନସେଲିଂର ଆବଶ୍ୟକତା ରହିଛି। ଏତେ ଦିନ ଧରି ସୁଡ଼ଙ୍ଗ ଭିତରେ ଫସି ରହିବା ପରେ ଶ୍ରମିକମାନେ ମାନସିକ ସ୍ୱାସ୍ଥ୍ୟ ସମସ୍ୟା- ଚିନ୍ତା ଓ ଅବସାଦର ସମ୍ମୁଖୀନ ହେବାର ସମ୍ଭାବନା ରହିଛି।