୪ମାସ ହେଲା ଦରମା ମିଳିନଥିବାରୁ ବେଙ୍ଗାଲୁରୁସ୍ଥିତ ଆଇଫୋନ କାର୍ଯ୍ୟାଳୟରେ ଭଙ୍ଗାରୁଜା କଲେ କର୍ମଚାରୀ, ଗାଡ଼ିରେ ଲଗାଇଲେ ନିଆଁ

ନୂଆଦିଲ୍ଲୀ: ଆଇଫୋନ୍ ନିର୍ମାତା କମ୍ପାନି ଉଇଷ୍ଟ୍ରନର ବେଙ୍ଗାଲୁରୁ କାର୍ଯ୍ୟାଳୟରେ କର୍ମଚାରୀମାନେ ଭଙ୍ଗାରୁଜା କରିବା ସହ ବାହାରେ ଥିବା ଗାଡ଼ିରେ ନିଆଁ ଲଗାଇ ଦେଇଛନ୍ତି । କିଛି ମାସ ହେବ ଦରମା ନମିଳିବାରୁ କର୍ମଚାରୀମାନେ ରାଗରେ ଏଭଳି କରିଥିବା ସୂଚନା ମିଳିଛି । ତାଇୱାନ କମ୍ପାନି ଉଇଷ୍ଟ୍ରନ ସେଂଟ୍ରାଲ ବେଙ୍ଗାଲୁରୁରେ ଏକ କାରଖାନା କରି ଆଇଫୋନ ଓ ଅନ୍ୟ ମୋବାଇଲ କମ୍ପାନିମାନଙ୍କ ପାଇଁ ମୋବାଇଲ ପ୍ରସ୍ତୁତ କରୁଥିଲା । ଏଭଳି ଘଟଣା ପରେ କର୍ଣ୍ଣାଟକ ସରକାର ଏଭଳି ହିଂସାକୁ ନିନ୍ଦା କରିଛନ୍ତି, ଏହା ସହ କର୍ମଚାରୀମାନଙ୍କ ବକେୟା ଦରମା ତୁରନ୍ତ ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ଉଇଷ୍ଟ୍ରନ କମ୍ପାନି କର୍ଣ୍ଣାଟକର କୋଲାର ଜିଲ୍ଲା ନର୍ସପୁରରେ ଥିବା ପ୍ଲାଣ୍ଟରେ ଶନିବାର କର୍ମଚାରୀମାନେ କମ୍ପାନି ବିରୋଧରେ ନାରାବାଜି କରିବା ସହ କାର୍ଯ୍ୟାଳୟ ଉପରେ ପଥରମାଡ଼ କରିଥିଲେ । ଏହାସହ କମ୍ପାନିର ବୋର୍ଡ ଓ ଗାଡିକୁ ନିଆଁ ଲଗାଇ ପୋଡ଼ି ଦେଇଥିଲେ । ଜଣେ ଟ୍ରେଡ ୟୁନିୟନ ନେତାଙ୍କ କହିବା ମୁତାବକ ଏଠାରେ କାମ କରୁଥିବା କର୍ମଚାରୀମାନଙ୍କ ମଧ୍ୟରେ ଅଧିକାଂଶ କର୍ମଚାରୀ ଏଠାରେ ଚୁକ୍ତି ଭିତ୍ତିରେ ଚାକିରି କରିଛନ୍ତି । ହେଲେ କମ୍ପାନି ପକ୍ଷରୁ ସେମାନଙ୍କୁ ସଠିକ୍ ସମୟରେ ଦରମା ପ୍ରଦାନ କରାଯାଉ ନାହିଁ । ଏହା ସହ ଯେତେବେଳେ ବି ଦରମା ଦିଆଯାଉଛି ସେତେବେଳେ ବିଭିନ୍ନ ଆଳରେ କର୍ମଚାରୀମାନଙ୍କ ଦରମା କାଟି ଦିଆଯାଉଛି । ଏହାକୁ ନେଇ ଅନେକ ଦିନ ଧରି କର୍ମଚାରୀମାନଙ୍କ ଭିତରେ ଅସନ୍ତୋଷ ଥିଲା, ଯାହାକି ଆଜି ପ୍ରତିବାଦର ରୂପ ନେଇଛି ।

indiatoday

ଅନ୍ୟପଟେ ଏଭଳି ଘଟଣାର ସୂଚନା ପାଇବା ପରେ ସେଠାରେ ପୁଲିସ ମୁତୟନ କରାଯାଇଛି । ଆନ୍ଦୋଳନସ୍ଥଳରେ ପୁଲିସ ପହଞ୍ଚି ଲାଠି ଚାର୍ଜ କରିବା ପରେ ଆନ୍ଦୋଳନରତ କର୍ମଚାରୀମାନେ ଘଟଣା ସ୍ଥଳ ଛାଡି ଦେଇଥିଲେ । କର୍ଣ୍ଣାଟକର ଉପ-ମୁଖ୍ୟମନ୍ତ୍ରୀ ତଥା ଆଇଟି ଓ ଇଲେକ୍ଟ୍ରୋନିକ୍ସ ବିଭାଗର ମନ୍ତ୍ରୀ ଡା. ସି. ଅକ୍ଷତନାରାୟଣ ଟ୍ୱିଟ ଯୋଗେ କହିଛନ୍ତି କି, କୌଣସି ବି ପରିସ୍ଥିତିରେ ଆଇନକୁ ହାତକୁ ନେବା ଏକ ଅପରାଧ । କାରଣ ପ୍ରତିଟି ସମସ୍ୟାକୁ ସମାଧାନ କରିବାକୁ ସରକାରଙ୍କ ପାଖରେ ବିଭାଗର ଅଭାବ ନାହିଁ । ସେ ଆହୁରି କହିଛନ୍ତି କି ହିଂସା କରିଥିବା କର୍ମଚାରୀଙ୍କ ଉପରେ ପୁଲିସ କାର୍ଯ୍ୟାନୁଷ୍ଠାନ ନେବ । ଏହାସହ କର୍ମଚାରୀମାନେ ସେମାନଙ୍କ ବକେୟା ଦରମା କିଭଳି ପାଇବେ ସେ ନେଇ ସରକାର ତୁରନ୍ତ ପଦକ୍ଷେପ ନେବେ ।

ସମ୍ବନ୍ଧିତ ଖବର