ଶ୍ରମିକ ଚାଲିଲେ ୧୫୦ କିମି : ଗୁଜରାଟ ଛାଡ଼ିଲେ ୫୦ ହଜାର ଦାଦନ ଶ୍ରମିକ, ହାତରେ କାମ ନାହିଁ କି ଖାଦ୍ୟ ନାହିଁ

ଅହମ୍ମଦାବାଦ : କରୋନା ଭାଇରସ୍‌ର ମୁକାବିଲା ପାଇଁ ସମଗ୍ର ଦେଶରେ ୨୧ ଦିନିଆ ଲକ୍‌ଡାଉନ୍‌ ଘୋଷଣା ହେବା ପରେ ଆଜି ପ୍ରାୟ ୫୦ ହଜାର ଦାଦନ ଶ୍ରମିକ ଚାଲି ଚାଲି ଗୁଜରାଟ ଛାଡ଼ିଛନ୍ତି। ଏହି ଦାଦନ ଶ୍ରମିକମାନେ ନିଜ ରାଜ୍ୟ ରାଜସ୍ଥାନ ଅଭିମୁଖେ ଯିବା ପାଇଁ କୌଣସି ସାଧାନ ନଥିବାରୁ ପ୍ରାୟ ୧୫୦ କିମି ରାସ୍ତା ଚାଲି ଚାଲି ଫେରୁଛନ୍ତି। ପୁଲିସ ସେମାନଙ୍କୁ ଅଟକାଇ ଏଭଳି ଯାତ୍ରା ନ କରିବାକୁ ବୁଝାଇଥିଲା। ଗୁଜରାଟର ବିଭିନ୍ନ ସ୍ଥାନରୁ ରାଜସ୍ଥାନ ଅଭିମୁଖେ ଦାଦନ ଶ୍ରମିକମାନଙ୍କ ସୁଅ ଛୁଟିବାରେ ଲାଗିଛି। ତେବେ ଦାଦନ ଶ୍ରମିକମାନଙ୍କୁ ସ୍ବତନ୍ତ୍ର ପରିବହନ ବ୍ୟବସ୍ଥା ମାଧ୍ୟମରେ ରାଜସ୍ଥାନରେ ପହଞ୍ଚାଇବାକୁ ଅହମ୍ମଦାବାଦର ଜଣେ କଂଗ୍ରେସ ନେତା ଦାବି କରିଛନ୍ତି। ଏହି ଦାଦନ ଶ୍ରମିକମାନେ ଗୁଜରାଟ-ରାଜସ୍ଥାନ ସୀମାର ଆରାବଳି ଜିଲ୍ଲାର ରତନପୁର ଅଞ୍ଚଳକୁ ଯାଉଥିଲେ। ପାଦରେ ଚାଲି ଚାଲି ଗୁଜରାଟ ଛାଡୁଥିବା ରାଜସ୍ଥାନର ଜଣେ ଦାଦନ ଶ୍ରମିକ ରାଧେଶ୍ୟାମ ପଟେଲ୍‌ଙ୍କ କହିବା ଅନୁଯାୟୀ, ଲକ୍‌ଡାଉନ୍‌ ହେବା ଫଳରେ ସେମାନଙ୍କ ହାତରୁ କାମ ଚାଲିଯାଇଛି। ଏବେ ହାତରେ କିଛି କାମ ନାହିଁ। ବିନା କାମରେ ଏବଂ ବିନା ଅର୍ଥରେ ସେମାନେ ଏଠି କିପରି ଚଳିବେ। ଏହା ଏବେ ସେମାନଙ୍କ ପାଇଁ ବଡ଼ ସମସ୍ୟା ପାଲଟିଛି। ଏଣୁ ସେମାନେ ଗୁଜରାଟ ଛାଡ଼ିବାକୁ ବାଧ୍ୟ ହେଉଛନ୍ତି ବୋଲି ଦାଦନ ଶ୍ରମିକ ରାଧେଶ୍ୟାମ କହିଛନ୍ତି। ରାଜସ୍ଥାନର ଅଧିକାଂଶ ଶ୍ରମିକ ଅହମ୍ମଦାବାଦରେ ବିଭିନ୍ନ ଚା’ ଏବଂ ଜଳଖିଆ ଦୋକାନରେ କାମ କରୁଥିଲେ। ମାତ୍ର ଲକ୍‌ଡାଉନ୍‌ ଫଳରେ ସେମାନଙ୍କ କାମ ବନ୍ଦ ହୋଇଯାଇଛି। ସେମାନଙ୍କ ହାତରେ ଟଙ୍କା ନାହିଁ କି ଖାଦ୍ୟ ନାହିଁ। ସେମାନେ ଖାଇବେ କ’ଣ ଓ ଚଳିବେ କେମିତି ବୋଲି ଶ୍ରମିକମାନେ କହିଛନ୍ତି। ଏଣୁ ବାଧ୍ୟ ହୋଇ ସେମାନେ ଚାଲିଚାଲି ନିଜ ଗାଁ ଅଭିମୁଖେ ଯାଉଛନ୍ତି ବୋଲି ଅନ୍ୟ ଜଣେ ଶ୍ରମିକ ମଙ୍ଗିଲାଲ୍‌ କହିଛନ୍ତି। ‌

ଅପରପକ୍ଷେ, ରାଜସ୍ଥାନର ଏହି ଦାଦନ ଶ୍ରମିକମାନଙ୍କୁ ପ୍ୟାକେଟ୍‌ ଖାଦ୍ୟ ଓ ପାଣି ଯୋଗାଇ ଦିଆଯାଉଛି ବୋଲି ଗାନ୍ଧୀନଗର ରେଞ୍ଜ ଆଇଜି ମୟଙ୍କସିଂ ଚାଓଡ଼ା କହିଛନ୍ତି। ଶ୍ରମିକମାନଙ୍କୁ ଦଳଦଳ ହୋଇ ରାଜସ୍ଥାନ ନ ଫେରିବାକୁ ବୁଝାଯାଉଛି ବୋଲି ଚାଓଡା କହିଛନ୍ତି। ମାତ୍ର, ଏହା ସତ୍ତ୍ବେ ହଜାର ହଜାର ସଂଖ୍ୟାରେ ଦାଦନ ଶ୍ରମିକ ଗୁଜରାଟର ବିଭିନ୍ନ ସ୍ଥାନରୁ ସଂଘବଦ୍ଧ ହୋଇ ଫେରୁଥିବାର ଦେଖାଯାଉଛି। ପାଖାପାଖି ୫୦,୦୦୦ ଦାଦନ ଶ୍ରମିକ ଗୁଜରାଟ ଛାଡ଼ି ରାଜସ୍ଥାନ ଯାଉଛନ୍ତି ବୋଲି ‘ଗୁଜରାଟ ଦାଦନ ଶ୍ରମିକ କଂଗ୍ରେସ’ ସଭାପତି ଅଶୋକ ପଞ୍ଜାବୀ ଦାବି କରିଛନ୍ତି। ଏ ନେଇ ସେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ସହ ଆଲୋଚନା କରିଛନ୍ତି ବୋଲି ପଞ୍ଜାବୀ ସୂଚନା ଦେଇଛନ୍ତି। ସେହିଭଳି ସୁରାଟ୍‌ରୁ ମଧ୍ୟ ହଜାର ହଜାର ସଂଖ୍ୟାରେ ଦାଦନ ଶ୍ରମିକ ପାଦରେ ଚାଲିଚାଲି ରାଜସ୍ଥାନ ଅଭିମୁଖେ ଯାଉଥିବାର ଦେଖାଯାଇଛି।

ସମ୍ବନ୍ଧିତ ଖବର