ନୂଆଦିଲ୍ଲୀ: ଦୀର୍ଘ ୧୭ ଦିନ ପରେ ଦିନର ଆଲୋକ ଦେଖିବାକୁ ଯାଉଥିବା ସିଲ୍କୟାରା ଟନେଲର ୪୧ ଶ୍ରମିକ ଭୀଷଣ ଅବସାଦ ଓ ମାନସିକ ଦ୍ବନ୍ଦ୍ବର ସମ୍ମୁଖୀନ ହୋଇପାରନ୍ତି ବୋଲି ମନୋବିଜ୍ଞାନୀମାନେ କହିଛନ୍ତି। ଉଦ୍ଧାର ହୋଇଥିବା ଶ୍ରମିକମାନଙ୍କ ପାଇଁ ବାହ୍ୟ ସହାୟତା ଏବଂ ଅତିରିକ୍ତ ପରାମର୍ଶ ଜରୁରୀ ବୋଲି ବିଶେଷଜ୍ଞମାନେ କହିଛନ୍ତି। ଖ୍ୟାତନାମା ମନୋବିଜ୍ଞାନୀ ଶ୍ୱେତା ଶର୍ମା କହିଛନ୍ତି ଯେ ସମସ୍ତ ପ୍ରାଥମିକ ଚିକିତ୍ସା ପରେ ଶ୍ରମିକମାନଙ୍କୁ ଲଗାତାର ପରାମର୍ଶ ଏବଂ କେତେକ କ୍ଷେତ୍ରରେ ଔଷଧ ମଧ୍ୟ ଆବଶ୍ୟକ। ‘କେବଳ ପ୍ରେରଣା ଏବଂ ପ୍ରୋତ୍ସାହନ ଶ୍ରମିକମାନଙ୍କୁ ବଞ୍ଚାଇବାର ଶକ୍ତି ଦେବ। ସେମାନଙ୍କର ସ୍ବତନ୍ତ୍ର ଯତ୍ନ ନିଆଯିବା ଉଚିତ ଏବଂ ଶ୍ରମିକମାନଙ୍କ ଇଚ୍ଛା ଶକ୍ତି ବଢ଼ାଇବା ପାଇଁ ଯୋଜନାବଦ୍ଧ ପ୍ରୟାସ ଜରୁରୀ’ ବୋଲି ସେ କହିଛନ୍ତି। ବହୁତ ବଡ଼ ମାନସିକ ଆଘାତରୁ ବାହାରିଥିବା ଶ୍ରମିକମାନଙ୍କ ମାନସିକ ସ୍ଥିତି ସ୍ବାଭାବିକ ରଖିବା ପାଇଁ କିଛିଦିନ ନିରନ୍ତର ପ୍ରୟାସ କରାଯିବାକୁ ବରିଷ୍ଠ ମାନସିକ ରୋଗ ବିଶେଷଜ୍ଞ ନିମେଶ ଦେଶାଇ କହିଛନ୍ତି। ସେମାନଙ୍କର ଅଭିଜ୍ଞତା ବାଣ୍ଟିବାକୁ ସେମାନଙ୍କୁ ସୁଯୋଗ ଦିଆଗଲେ ହିଁ ମାନସିକ ଜଟିଳତାରୁ ମୁକ୍ତି ମିଳିବ ବୋଲି ଦେଶାଇ କହିଛନ୍ତି।