ନୂଆଦିଲ୍ଲୀ: ନିକଟରେ ସାମ୍ବାଦିକମାନଙ୍କ ଘରେ ପୁଲିସ ଚଢ଼ଉ କରି ସେମାନଙ୍କ ମୋବାଇଲ ଆଦି ଜବତ କରିବା ମାମଲାରେ ପ୍ରଧାନବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି ସାମ୍ବାଦିକ ସଂଗଠନ। ପ୍ରଧାନବିଚାରପତିଙ୍କ ଉଦ୍ଦେଶ୍ୟରେ ଲେଖାଯାଇଥିବା ଏକ ଚିଠିରେ ଡିଜିପବ୍ ନ୍ୟୁଜ୍ ଇଣ୍ଡିଆ ଫାଉଣ୍ଡେସନ, ଇଣ୍ଡିଆନ୍ ଓମେନ୍ସ ପ୍ରେସ୍ କର୍ପସ୍ ଏବଂ ପ୍ରେସ୍ କ୍ଲବ୍ ଅଫ୍ ଇଣ୍ଡିଆ ସମେତ ଅନ୍ୟାନ୍ୟ ସଂସ୍ଥା ଦସ୍ତଖତ କରିଛନ୍ତି। ସାମ୍ବାଦିକ ସଂଗଠନଗୁଡ଼ିକ କହିଛନ୍ତି ଯେ, ଭାରତରେ ସାମ୍ବାଦିକମାନଙ୍କ ଏକ ବଡ଼ ଗୋ‌ଷ୍ଠୀ ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନର ଆଶଙ୍କା ଭିତରେ କାମ କରୁଥିବା ଦେଖିବାକୁ ମିଳୁଛି। ମନଇଚ୍ଛା ସାମ୍ବାଦିକମାନଙ୍କ ଫୋନ୍ ଓ ଲାପ୍‌ଟପ୍ ଜବତକୁ ନିରୁତ୍ସାହିତ କରିବା ପାଇଁ ନିୟମ ପ୍ରଣୟନ କରିବା, ସାମ୍ବାଦିକମାନଙ୍କୁ ଜେରା କରିବା ଓ ସେମାନଙ୍କଠାରୁ କିଛି ଜିନିଷ ଜବତ କରିବା ପାଇଁ ମାର୍ଗଦର୍ଶିକା ପ୍ରସ୍ତୁତ କରିବା ଏବଂ ସରକାରୀ ଏଜେନ୍ସିଗୁଡ଼ିକର ଉତ୍ତରଦାୟିତ୍ବକୁ ସୁନିଶ୍ଚିତ କରିବା ପାଇଁ ସେମାନେ ଦାବି କରିଛନ୍ତି।

Advertisment

ନ୍ୟୁଜ୍ ପୋର୍ଟାଲ ନ୍ୟୁଜ୍‌କ୍ଲିକ୍‌ର ୪୬ ଜଣ ସାମ୍ବାଦିକ-କର୍ମଚାରୀଙ୍କ ଘରେ ଅକ୍ଟୋବର ୩ ତାରିଖରେ ଚଢ଼ଉ କରାଯାଇଥିବାରୁ ଏହାକୁ ବିରୋଧ କରି ସାମ୍ବାଦିକ ସଂଗଠନଗୁଡ଼ିକ ପ୍ରଧାନବିଚାରପତିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଚିଠିରେ ଲେଖାଯାଇଛି, ଆମେ କହୁନାହୁଁ ଯେ ସାମ୍ବାଦିକମାନେ ଆଇନଠାରୁ ଊର୍ଦ୍ଧ୍ୱରେ। ତେବେ ଗଣମାଧ୍ୟମ ପ୍ରତି ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନ ଦ୍ୱାରା ସମାଜର ଗଣତାନ୍ତ୍ରିକ ଢାଞ୍ଚା ପ୍ରଭାବିତ ହେଉଛି। ସାମ୍ବାଦିକ ଏବଂ ନ୍ୟୁଜ୍ ପ୍ରଫେସନାଲ ଭାବେ ଆମେ ଯେକୌଣସି ତଦନ୍ତରେ ସହଯୋଗ କରିବାକୁ ସବୁବେଳେ ପ୍ରସ୍ତୁତ। ତେବେ କୌଣସି ଗଣତାନ୍ତ୍ରିକ ଦେଶରେ ସାମ୍ବାଦିକମାନଙ୍କୁ ବ୍ୟାପକ ଜେରା କରିବା ଓ ସେମାନଙ୍କ ମୋବାଇଲ ଆଦି ଜବତ କରିବା ନିଶ୍ଚିତ ଭାବେ ଗ୍ରହଣୀୟ ନୁହେଁ ବୋଲି ପ୍ରଧାନ ବିଚାରପତିଙ୍କ ଉଦ୍ଦେଶ୍ୟରେ ଲିଖିତ ଚିଠିରେ କୁହାଯାଇଛି।