ବିଶ୍ବ ବ୍ୟାଙ୍କ ରିପୋର୍ଟ: ଭାରତ ଅସହନୀୟ ତାପ ଲହରି ଅନୁଭବ କରିପାରେ

ୱାସିଂଟନ: ଗତ କିଛି ଦଶନ୍ଧି ଭିତରେ ଭାରତ ଅସହନୀୟ ତାପ ଲହରିର ସମ୍ମୁଖୀନ ହୋଇଛି, ଯେଉଁଥିରେ ହଜାର ହଜାର ଲୋକ ମୃତ୍ୟୁବରଣ କରିଛନ୍ତି। ଜଳବାୟୁ ପରିବର୍ତ୍ତନ-ଜନିତ ଉକ୍ତ ସମସ୍ୟା ଆଗକୁ ଆହୁରି ଭୟଙ୍କର ହୋଇପାରେ ଯାହା ମଣିଷର ବଞ୍ଚିବାର ସହନୀୟ ସୀମାକୁ ଅତିକ୍ରମ କରିପାରେ ବୋଲି ବିଶ୍ବ ବ୍ୟାଙ୍କ ଦ୍ବାରା ପ୍ରସ୍ତୁତ ଏକ ନୂତନ ରିପୋର୍ଟରେ କୁହାଯାଇଛି। ‘ଭାରତର କୁଲିଂ ସେକ୍ଟରରେ ଜଳବାୟୁ ନିବେଶ ସୁଯୋଗ’ ଶୀର୍ଷକ ଉକ୍ତ ବିଶ୍ବ ବ୍ୟାଙ୍କ ରିପୋର୍ଟରେ କୁହାଯାଇଛି ଯେ, ଭାରତରେ ଏବେ ଉତ୍ତାପର ମାତ୍ରା ବଢ଼ୁଛି। ଉଚ୍ଚ ତାପମାତ୍ରାର ଋତୁ ବା ଗ୍ରୀଷ୍ମଋତୁ ସଅଳ ଆସୁଛି ଓ ଅଧିକ ଦିନ ରହି ଡେରିରେ ଯାଉଛି।

ଏପ୍ରିଲ ୨୦୨୨ରେ ବସନ୍ତରେ ବି ଗ୍ରୀଷ୍ମର ପ୍ରକୋପ ଦେଖିବାକୁ ମିଳିଥିଲା। ରାଜଧାନୀ ଦିଲ୍ଲୀରେ ତାପମାତ୍ରା ୪୬ ଡିଗ୍ରି ସେଲସିୟସକୁ ଟପିଥିଲା। ଶୀତ-ବସନ୍ତର ଫେଣ୍ଟାଫେଣ୍ଟି ଅନୁଭବ ପ୍ରଦାନ କରିଆସୁଥିବା ମାର୍ଚ୍ଚମାସରେ ବି ଅସ୍ବାଭାବିକ ଉତ୍ତାପ ଅନୁଭୂତ ହୋଇଥିଲା, ଯାହା ପୂର୍ବର ସବୁ ରେକର୍ଡକୁ ଭାଙ୍ଗି ଦେଇଥିଲା। ଆଗାମୀ ‘ଇଣ୍ଡିଆ କ୍ଲାଇମେଟ୍ ଆଣ୍ଡ୍ ଡେଭଲ‌ପମେଣ୍ଟ ପାର୍ଟନର୍ସ ମିଟ୍’ ଅବସରରେ ବିଶ୍ବବ୍ୟାଙ୍କର ଏହି ରିପୋର୍ଟ ପ୍ରକାଶିତ ହେବ। ବିଶ୍ବ ବ୍ୟାଙ୍କ ଦ୍ବାରା କେରଳ ସରକାରଙ୍କ ସହଯୋଗରେ ଏହି ବୈଠକ ଅନୁଷ୍ଠିତ ହେବ।

ଅଗଷ୍ଟ ୨୦୨୧ରେ ଆଇପିସିସି (ଆନ୍ତଃ-ସରକାରୀ ଜଳବାୟୁ ପରିବର୍ତ୍ତନ କମିଟି)ର ଷଷ୍ଠ ଆସେସମେଣ୍ଟ ରିପୋର୍ଟରେ ଚେତାବନୀ ଦିଆଯାଇଥିଲା ଯେ, ଆଗାମୀ ଦଶନ୍ଧିରେ ଭାରତୀୟ ଉପମହାଦେଶ ଅଧିକ ସଂଖ୍ୟକ ତୀବ୍ର ତାପ ଲହରି ଅନୁଭବ କରିବ। ଜି୨୦ କ୍ଲାଇମେଟ ରିସ୍କ ଆଟଲାସ ମଧ୍ୟ ୨୦୨୧ରେ ଅନୁରୂପ ଚେତାବନୀ ଦେଇଥିଲା। ଅଙ୍ଗାରକାମ୍ଳ ନିର୍ଗମନରେ ହ୍ରାସ ନ ଘଟିଲେ ଭାରତରେ ତାପଲହରି ଅସହନୀୟ ହେବ ବୋଲି ଏଥିରେ କୁହାଯାଇଥିଲା।
ବିଶ୍ବ ବ୍ୟାଙ୍କ ରିପୋର୍ଟରେ ଚେତାବନୀ ଦିଆଯାଇଛି ଯେ, ଭାରତରେ ବର୍ଦ୍ଧନଶୀଳ ତାପମାତ୍ରା ଅର୍ଥନୈତିକ ଉତ୍ପାଦକତାକୁ ସାଂଘାତିକ ଭାବେ ପ୍ରଭାବିତ କରିପାରେ। ୭୫ ପ୍ରତିଶତ ପର୍ଯ୍ୟନ୍ତ ଭାରତର କାର୍ଯ୍ୟଶକ୍ତି (ୱାର୍କଫୋର୍ସ) ବା ୩୮୦ ନିୟୁତ ଲୋକ ଖରାତରାରେ କାମ କରନ୍ତି। ତାପମାତ୍ରା ଆଉ ଅଧିକ ହେଲେ ସେମାନଙ୍କ ଦ୍ବାରା କାମ କରିବା ସମ୍ଭବ ହେବ ନାହିଁ। ତଥାପି କାମ କଲେ ତାହା ସେମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିପାରେ। ୨୦୩୦ ସୁଦ୍ଧା ୩୪ ନିୟୁତ ଭାରତୀୟ ଉତ୍ତାପ କାରଣରୁ କର୍ମଚ୍ୟୁତ ହେବାକୁ ବାଧ୍ୟ ହେବେ। ଏହାଦ୍ବାରା ଭାରତର ଉତ୍ପାଦକତା ହ୍ରାସ ପାଇବ ବୋଲି ରିପୋର୍ଟରେ କୁହାଯାଇଛି।

ସମ୍ବନ୍ଧିତ ଖବର