ଓଡ଼ିଆ ସାହିତ୍ୟଧାରାରେ ଗାନ୍ଧୀ ବିଚାରଧାରା ଏବେ ବି ଜୀବନ୍ତ

ବିଶ୍ୱ ପୁସ୍ତକ ମେଳାରେ ଜାତୀୟ ଆଲୋଚନାଚକ୍ର

ନୂଆଦିଲ୍ଲୀ : ମହାତ୍ମା ଗାନ୍ଧୀଙ୍କ ବ୍ୟକ୍ତିତ୍ବରେ ଭାରତୀୟ ଜନଜୀବନ ଯେପରି ପ୍ରଭାବିତ ହୋଇଥିଲା ତାର ପଟାନ୍ତର ନାହିଁ। ଗାନ୍ଧୀଜୀ ପ୍ରତିଟି କ୍ଷେତ୍ରରେ ମଣିଷର ଚେତନାକୁ ଯେପରି ସ୍ପର୍ଶ କରିଥିଲେ, ଠିକ୍‌ ସେମିତି ଦାର୍ଶନିକ, ଭାବୁକ, ଚିନ୍ତକ, ଲେଖକ ଓ ଶିଳ୍ପୀଙ୍କୁ ଅନୁପ୍ରାଣିତ କରିଥିଲେ। ଦିଲ୍ଲୀ ବିଶ୍ବ ପୁସ୍ତକ ମେଳାରେ ‘ଓଡ଼ିଆ ସାହିତ୍ୟରେ ଗାନ୍ଧୀ ଦର୍ଶନ’ ଶୀର୍ଷକ ଜାତୀୟ ଆଲୋଚନାଚକ୍ରରେ ବିଶିଷ୍ଟ ବ୍ୟକ୍ତିମାନେ ଏହି ମତ ପ୍ରଦାନ କରିଛନ୍ତି।

ମଙ୍ଗଳବାର ଅପରାହ୍ନରେ ପ୍ରଗତି ମଇଦାନଠାରେ ବିଶ୍ବ ପୁସ୍ତକ ମେଳା ପରିସରରେ ଓଡ଼ିଶା ସାହିତ୍ୟ ଏକାଡେମୀ ଆନୁକୂଲ୍ୟରେ ‘ଓଡ଼ିଆ ସାହିତ୍ୟରେ ଗାନ୍ଧୀ ଦର୍ଶନ’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଉତ୍ସବକୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦେଶକ ବିଜୟ କୁମାର ନାୟକ ଉଦ୍‌ଘାଟନ କରି କହିଥିଲେ, ଗାନ୍ଧୀଜୀ ଚଳିତ ସମୟର ସବୁଠାରୁ ବଡ଼ ବହି। ସମଗ୍ର ଜୀବନ ତାଙ୍କର ମାତୃଭାଷାର ପ୍ରାଧାନ୍ୟ ଉପରେ ଗୁରୁତ୍ବ ଆରୋପ କରିଥିଲେ। ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଶିଷ୍ଟ ଲେଖକ ଦାଶ ବେନହୁର କହିଥିଲେ ଯେ, ଗାନ୍ଧି ସ୍ବୟଂ ଥିଲେ ସାହିତ୍ୟର ଏକ ସଫଳ ରୂପାୟନ। ଓଡ଼ିଆ ସାହିତ୍ୟ ଧାରାରେ ଗାନ୍ଧୀଜୀ ବିଚାରଧାରା ଏବେ ବି ଜୀବନ୍ତ ବୋଲି କହିଥିଲେ। ସମ୍ମାନିତ ଅତିଥି ଭାବେ ବିଶିଷ୍ଟ କବି ଅମରେନ୍ଦ୍ର ଖଟୁଆ କହିଲେ ଯେ ଗାନ୍ଧୀଙ୍କ ବିଚାରଧାରାର ପ୍ରତିଫଳନ ସାହିତ୍ୟରେ ବିଭିନ୍ନ ବିଭବକୁ ଋଦ୍ଧିମନ୍ତ କରିଛି।

ଉତ୍ସବରେ ଓଡ଼ିଶା ସାହିତ୍ୟ ଏକାଡେମୀର କାର୍ଯ୍ୟକାରୀ ପରିଷଦର ସଦସ୍ୟ ଡଃ ବିଜୟାନନ୍ଦ ସିଂ ସଭାପତିତ୍ବ କରି କହିଥିଲେ ଯେ, ଗାନ୍ଧୀଜୀଙ୍କୁ ନେଇ ଓଡ଼ିଆ ସାହିତ୍ୟ ଯେପରି ରଚିତ ଓ ପ୍ରଭାବିତ ହୋଇଛି ତାହା ଜାତୀୟ ଇତିହାସରେ ବିରଳ। ପ୍ରାରମ୍ଭରେ ଓଡ଼ିଶା ସାହିତ୍ୟ ଏକାଡେମୀର ଅନ୍ୟତମ କାର୍ଯ୍ୟନିର୍ବାହୀ ସଦସ୍ୟ ଚନ୍ଦ୍ରଶେଖର ହୋତା ସ୍ବାଗତ ଅଭିଭାଷଣ ମାଧ୍ୟମରେ କହିଲେ ଯେ ଦିଲ୍ଲୀଠାରେ ଏକାଡେମୀ ସମ୍ପାନ ଆୟୋଜିତ କରି ପୂଜ୍ୟପୂଜାର ପରମ୍ପରାକୁ ନବଦିଗନ୍ତ ପ୍ରଦାନ କରିଛି। ଏ ଅବସରରେ ସଂଯୋଜକ ଦେବେନ୍ଦ୍ର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃ୍ତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଦିଲ୍ଲୀର ବହୁ ବୁଦ୍ଧିଜୀବୀ ଓ ସାହିତ୍ୟିକ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର