ଘନଉଛି ବିଶ୍ୱରେ ଆଣବିକ ଯୁଦ୍ଧର ଆଶଙ୍କା

ଓ୍ଵାସିଂଟନ :  ବିଶ୍ୱରେ ପ୍ରଳୟ ଆସିବାର ଆଶଙ୍କା ଆଉ ଟିକିଏ ବଢିଯାଇଛି । ଏକଥା ଆଶଙ୍କା କରୁଛନ୍ତି ବିଶ୍ୱର ପ୍ରମୁଖ ଆଣବିକ ବିଜ୍ଞାନିମାନେ । ଏଥିପାଇଁ ପ୍ରଳୟ ଘଣ୍ଟା ବା ‘ଡୁମ୍ସ ଡେ କ୍ଲକ୍‌’କୁ ଅଧ ମିନିଟ୍‌ ଆଗୁଆ କରିଦେଇଛନ୍ତି । ଏହା ଫଳରେ ୫୦ ଦଶକର ଶୀତଳ ଯୁଦ୍ଧ ପରେ ବିଶ୍ୱରେ ମନୁଷ୍ୟକୃତ ପ୍ରଳୟ ଆରମ୍ଭ ହେବାର ସମ୍ଭବନା ସବୁଠାରୁ ଅଧିକ ରହିଛି । ଗତ ୨୦୧୬ରେ ଡୋଲାଲ୍ଡ ଟ୍ରମ୍ଫ ଆମେରିକା ରାଷ୍ଟ୍ରପତି ନିର୍ବାଚିତ ହେବା ପରେ ଏହି ଘଣ୍ଟାକୁ ୩୦ ସେକେଣ୍ଡ ଆଗକୁ ନିଆଯାଇଥିଲା । ଏବେ ଏହି ଘଣ୍ଟା କଣ୍ଟା ମଧ୍ୟରାତ୍ରିଠାରୁ ୨ ମିନିଟ୍‌ ଦୂରରେ ରହିଛି ।

ଡୁମ୍ସ ଡେ କ୍ଲକ ବା ପ୍ରଳୟ ଘଣ୍ଟା ଏକ ପ୍ରକାରର ସାଂକେତିକ ଘଣ୍ଟା ଯାହାକି ପୃଥିବୀ ମଣିଷକୃତ କାରଣ ଯୋଗୁଁ ଧ୍ୱଂସ ହେବାର ଆଶଙ୍କାକୁ ବୁଝାଏ । ମଣିଷକୃତ କାରଣ ମଧ୍ୟରେ ରହିଛି ପରମାଣୁ ଯୁଦ୍ଧ, ଜଳବାୟୁ ପରିବର୍ତ୍ତନ । ପୁଣି ଜୈବିକ ଓ ରାସାୟନିକ ଯୁଦ୍ଧ କାରଣରୁ ହେବାକୁ ଥିବା ପ୍ରଳୟ ମଧ୍ୟ ଏଥରେ ରହିଛି ।

ଏହି ଘଣ୍ଟା ୧୯୪୭ରେ ବୁଲେଟିନ ଅଫ ଆଟମିକ୍‌ ସାଇଣ୍ଟିଷ୍ଟର ସାଇନ୍ସ ଏଣ୍ଡ ସିକ୍ୟୁରିଟି ବୋର୍ଡ ଦ୍ୱାରା ସ୍ଥାପନା କରାଯାଇଥିଲା । ଏହି ବୋର୍ଡରେ ବିଶ୍ୱର ଅନେକ ଆଣବିକ ବିଜ୍ଞାନି  ଓ ନୋବେଲ ବିଜେତା ସଦସ୍ୟ ଅଛନ୍ତି । ଆରମ୍ଭରେ ଏହି ଘଣ୍ଟା କଣ୍ଟା ମଧ୍ୟରାତ୍ରି ଠାରୁ ୭ ମିନିଟ୍‌ ଲେଟ୍‌ ଥିଲା । ଏହି ମଧ୍ୟ ରାତ୍ରି ହିଁ ସାଂକେତିକ ଭାବେ ପ୍ରଳୟକୁ ବୁଝାଏ ।

ବିଶ୍ୱରେ ଏବେ ଉତ୍ତର କୋରିଆର ଆଣବିକ କାର୍ଯ୍ୟକ୍ରମକୁ ନେଇ ଚିନ୍ତା ପ୍ରକାଶ ପାଇଛି । ଏହି କାରଣରୁ ଆମେରିକା ଓ ଉତ୍ତରକୋରିଆ ମଧ୍ୟରେ ବିବାଦ ବଢିଛି । ଲାଗୁଛି ଯେ କୌଣସି ସମୟରେ ଆଣବିକ ଯୁଦ୍ଧ ଲାଗିଯିବ । କିନ୍ତୁ ଏହି ପରିସ୍ଥିତିକୁ ଥଣ୍ଡା କରିବାରେ ବିଶ୍ୱ ନେତୃବୃନ୍ଦଙ୍କ ଉଦାସିନତା ପରିସ୍ଥିତିକୁ ଆହୁରି ଜଟିଳ କରିଛି । ପୁଣି ଜଳବାୟୁ ପରିବର୍ତ୍ତନ ଏହି ଚିନ୍ତାକୁ ଆହୁରି ବଢାଇଦେଇଛି ।

 

 

 

 

 

 

 

ସମ୍ବନ୍ଧିତ ଖବର