କୁଲଭୂଷଣ ମାମଲାରେ ଭାରତର ବିଜୟ, ଫାଶୀ ଦଣ୍ଡାଦେଶ ନିଷ୍ପତ୍ତିର ପୁନର୍ବିଚାର ପାଇଁ ଆଇସିଜେର ପାକିସ୍ତାନକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: କୁଲଭୂଷଣ ଯାଦବ ମାମଲାରେ ଇଣ୍ଟରନ୍ୟାସନାଲ କୋର୍ଟ ଅଫ୍‌ ଜଷ୍ଟିସ୍‌ (ଆଇସିଜେ)ରେ ଆଜି ଭାରତ ସପକ୍ଷରେ ରାୟ ଶୁଣାଇଛନ୍ତି। ଆଇସିଜେର ୧୬ ଜଣ ବିଚାରପତିଙ୍କୁ ନେଇ ଗଠିତ ନ୍ୟାୟପୀଠ କୁଲଭୂଷଣ ମାମଲାରେ ଭାରତର ମତ ସପକ୍ଷରେ ମୋହର ଲଗାଇଛନ୍ତି । ପାକିସ୍ତାନ ଜେଲରେ ବନ୍ଦୀଥିବା ଭାରତୀୟ ନାଗରିକ ତଥା ପୂର୍ବତନ ନୌସେନା ଅଧିକାରୀ କୁଲଭୂଷଣ ‘କନ୍‌ସୁଲାର ଆକ୍‌ସେସ’ ଦିଆଯିବା ଆବଶ୍ୟକ ବୋଲି ରାୟ ଶୁଣାଇଛି  ଆଇସିଜେ। ଏଥିସହ ଅନ୍ୟାଦେଶ ପର୍ଯ୍ୟନ୍ତ କୁଲଭୂଷଣଙ୍କ ଫାଶୀ ଦଣ୍ଡାଦେଶ ସ୍ଥଗିତ ରଖିବା ସହ ପାକିସ୍ତାନ ତା’ ନିଷ୍ପତ୍ତିର ପୁନର୍ବିଚାର କରୁ ବୋଲି କହିଛି ଆଇସିଜେ।

ଆଇସିଜେର ୧୬ ବିଚାରପତିଙ୍କ ମଧ୍ୟରୁ ୧୫ ଜଣ ଭାରତ ସପକ୍ଷରେ ଥିଲେ । କେବଳ ଜଣେ ବିଚାରପତି  ବିପକ୍ଷରେ ମତ ରଖିଥିଲେ  । ଏବେ କୁଳଭୂଷଣ ଯାଦବଙ୍କୁ ଆଇନଗତ ସହାୟତା ମିଳିପାରିବ । ପାକିସ୍ତାନକୁ ଫାଶୀ ଦଣ୍ଡାଦେଶର  ପୁନର୍ବିଚାର କରିବାକୁ କହିଛନ୍ତି ଅନ୍ତର୍ଜାତୀୟ ଅଦାଲତ । ଆଇସିଜେର ଏହି ରାୟ ପରେ ପାକିସ୍ତାନ ଜେଲରେ ବନ୍ଦୀଥିବା କୁଲଭୂଷଣଙ୍କୁ ଆଇନଗତ ସହାୟତା ମିଳିବା ସହ ଭାରତୀୟ ଦୂତାବାସର ଅଧିକାରୀ ତାଙ୍କୁ ଭେଟି ପାରିବେ।

ଭାରତୀୟ ନାଗରିକ କୁଳଭୂଷଣ ଯାଦବଙ୍କୁ ଭାରତୀୟ ଗୁପ୍ତଚର ବୋଲି ମିଥ୍ୟା ଆଖ୍ୟା ଦେଇ ପାକିସ୍ତାନର ସାମରିକ ଅଦାଲତ ତାଙ୍କୁ ଯେଉଁ ମୁତ୍ୟୁ ଦଣ୍ଡାଦେଶ ଶୁଣାଇଥିଲା, ତାର ଶୁଣାଣି କରି ଏପରି ରାୟ ଦେଇଛନ୍ତି ଇଣ୍ଟରନ୍ୟାସନାଲ କୋର୍ଟ ଅଫ୍‌ ଜଷ୍ଟିସ୍‌ (ଆଇସିଜେ)। ଏହି ମାମଲାରେ ଭାରତ ଆଇସିଜେର ଦ୍ୱାରସ୍ଥ ହେବାପରେ ଏହି ମାମଲାର ବିଚାର କରି ୨୦୧୭ ମେ ୧୮ ତାରିଖରେ ଏହି ମାମଲାର ବିଚାର ଶେଷ ନହେବା ପର୍ଯ୍ୟନ୍ତ କୁଳଭୂଷଣ ଯାଦବଙ୍କ ମୁତ୍ୟୁ ଦଣ୍ଡାଦେଶ ଉପରେ ସ୍ଥଗିତାଦେଶ ଜାରି କରିଥିଲା।

Zee India

ଉଲ୍ଲେଖଯୋଗ୍ୟ, ପାକିସ୍ତାନର ଇଣ୍ଟର୍‌-ସର୍ଭିସ୍‌ ଇଣ୍ଟେଲିଜେନ୍‌ସ୍‌ (ଆଇଏସ୍‌ଆଇ) ନିଜର ଏକ ପ୍ରକ୍ସି ଗ୍ରୁପ୍‌ ଜୈଶ୍‌ ଅଲ୍‌ ଅଦଲକୁ ବ୍ୟବହାର କରି ଯାଦବଙ୍କୁ ଇରାନ୍‌ର ଚାବାହାରରୁ ଅପହରଣ କରିବା ପାଇଁ ଷଡ଼ଯନ୍ତ୍ର କରିଥିଲା। ପରବର୍ତ୍ତୀ ସମୟରେ ଯାଦବଙ୍କୁ ପାକିସ୍ତାନୀ ଏଜେନ୍‌ସି ଜାଲ୍‌ ଗୁପ୍ତଚରଗିରି ମାମଲାରେ ଫସାଇ ଦେବା ସହ ଭାରତୀୟ ଗୁପ୍ତଚର ବୋଲି କହିଥିଲା। ଏବଂ କୁଳଭୂଷଣ ଯାଦବଙ୍କର ବିଚାର କରି ପାକିସ୍ତାନର ସାମରିକ ଅଦାଲତ ତାଙ୍କୁ ଫାଶି ଦଣ୍ଡାଦେଶ ଦେଇଥିଲା।

ସମ୍ବନ୍ଧିତ ଖବର