ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ବିଶେଷଜ୍ଞଙ୍କ ଚେତାବନୀ: କୋଭିଡ୍-୧୯ର ଉପଦ୍ରବ ତଥାପି କମିନି

ନ୍ୟୁୟର୍କ: ମହାମାରୀ କୋଭିଡ୍–୧୯ର ପରାକ୍ରମ ଖସିଆସିଛିି ବୋଲି ଜଣେ ବରିଷ୍ଠ ଖ୍ୟାତନାମା ଇଟାଲୀୟ ଡାକ୍ତର ଦେଇଥିିବା ବିବୃତିକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ହୁ)ର ବିଶେଷଜ୍ଞମାନେ ଖଣ୍ତନ କରିଛନ୍ତି। ଅଭିନବ କରୋନା ଭୂତାଣୁର ଉପସ୍ଥିତି ନୈଦାନିକ ସ୍ତରରେ ଆଉ ନାହିଁ ବୋଲି ଇଟାଲିର ଲୋମ୍ବାର୍ଡି ସ୍ଥିତ ସାନ୍ ରାଫେଲ୍ ହସ୍ପିଟାଲ୍‌ର ଇେଣ୍ଟସିଭ୍ କେୟାର୍ ମୁଖ୍ୟ ପ୍ରଫେସର ଆଲବର୍ଟୋ ଜାଙ୍ଗ୍ରିଲୋ ଏକ ଟେଲିଭିଜନ ସାକ୍ଷାତକାରରେ ସୂଚନା ଦେଇଥିଲେଃ ମାତ୍ର ଜାଙ୍ଗ୍ରିଲୋଙ୍କ ଏଭଳି ମତାମତ କୌଣସି ବିଜ୍ଞାନସମ୍ମତ ତଥ୍ୟ ଉପରେ ପର୍ଯ୍ୟବସିତ ନୁହେଁ ବୋଲି ‘ହୁ’ର ଭୂତାଣୁ ବିଶେଷଜ୍ଞ ମାରିଆ ଭାନ୍ କେର୍ଖୋଭଙ୍କ ସମେତ ଅନ୍ୟ ବିଶିଷ୍ଟ ସଂକ୍ରାମକ ରୋଗ ବିଶେଷଜ୍ଞ ଏବଂ ଭୂତାଣୁବିତ୍‌ମାନେ ଟିପ୍ପଣୀ କରିଛନ୍ତି।

ସେମାନଙ୍କ ମତରେ, ଏହି ଅଭିନବ କରୋନା ଭୂତାଣୁ ସାର୍ସ–କୋଭ୍–୨ର ସଂକ୍ରମଣ ହାରରେ କିମ୍ବା ଏହା ସୃଷ୍ଟି କରୁଥିବା ରୋଗ କୋଭ୍–୧୯ର ଭୟାବହତାରେ ହ୍ରାସ ଘଟୁଥିବାର କୌଣସି ତଥ୍ୟ ଏଯାଏ ହସ୍ତଗତ ହୋଇନାହିଁ। ଅବଶ୍ୟ ସଂକ୍ରମଣ ଜାରି ରହିଥିବା ବେଳେ ଭୂତାଣୁମାନେ ନିଜର ରୂପ ବଦଳାଇବାଟା କିଛି ଅସ୍ବାଭାବିକ ନୁହେଁ। ସେହିପରି ଏହି ଭୂତାଣୁର ବଂଶାନୁକ୍ରମିକ ପରିବର୍ତ୍ତନକୁ ଲକ୍ଷ୍ୟ କଲେ ମଧ୍ୟ ଏହା ନିଜର ଶକ୍ତି ହରାଇ ଦୁର୍ବଳ ହୋଇଯାଉଛି ବୋଲି ସେଭଳି କିଛି ଧାରଣା ମଧ୍ୟ ସୃଷ୍ଟି ହୋଇନାହିଁ। ଅପରପକ୍ଷେ, ଏହି ଭୂତାଣୁର ଉପଲବ୍ଧ ହୋଇଥିବା ୩୫,୦୦୦ ପ୍ରକାର ଅନୁବଂଶୀୟ ଉପାଦାନର ବିଶ୍ଳେଷଣରୁ ମଧ୍ୟ ଏହାର ଭୟାବହତା ହ୍ରାସ ହେବା ସମ୍ପର୍କରେ ସାମାନ୍ୟତମ ସୂଚନା ମିଳିନାହିଁ। ସୁତରାଂ ପ୍ରଫେସର ଜାଙ୍ଗ୍ରିଲୋଙ୍କ ଅନୁମାନ ଭିତ୍ତିିହୀନ ବୋଲି କୁହାଯାଇଛି। ଅପରପକ୍ଷେ, ଉକ୍ତ ଭୂତାଣୁର ସ୍ଥିତିରେ କିଛି ପରିବର୍ତ୍ତନ ଘଟିଥିବା ବିଷୟ ସେ ଆଦୌ କହିନାହାନ୍ତି ବୋଲି ଜାଙ୍ଗ୍ରିଲୋ ସଫେଇ ଦେଇଛନ୍ତି। ତେବେ ତାଙ୍କର ସହଯୋଗୀ ବୈଜ୍ଞାନିକମାନଙ୍କ ଦ୍ବାରା ପରିଚାଳିତ ଗବେଷଣାରୁ ସାର୍ସ–କୋଭ୍–୨ ଏବଂ ତାହାକୁ ଧାରଣ କରୁଥିବା ମନୁଷ୍ୟ ଶରୀର ମଧ୍ୟରେ ଥିବା ପାରସ୍ପରିକ ପ୍ରଭାବରେ ନିଶ୍ଚିତ ଭାବେ ପରିବର୍ତ୍ତନ ଘଟିଛି ଏବଂ ସେଥିରୁ ସେ ଏପରି ଟିପ୍ପଣୀ କରିଛନ୍ତି ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର