ଶୀର୍ଷସ୍ତରରେ ଥିବା ୧% ଭାରତୀୟଙ୍କ ପାଖରେ ଅଛି ଜାତୀୟ ଆୟର ୨୨%: ରିପୋର୍ଟ

ନୂଆଦିଲ୍ଲୀ: ଶୀର୍ଷସ୍ତରରେ ଥିବା ୧% ଜନତାଙ୍କ ପାଖରେ ବର୍ଷ ୨୦୨୧ର ସମୁଦାୟ ଜାତୀୟ ଆୟର ଏକପଞ୍ଚମାଂଶ ଥାଇ ‘ବିଶ୍ବ ଅସମାନତା ରିପୋର୍ଟ’ରେ ଭାରତ ଏକ ଗରିବ ଏବଂ ଅତି ଅସମତୁଲ ରାଷ୍ଟ୍ର ଭାବେ ପରିଗଣିତ ହୋଇଛି। ସର୍ବନିମ୍ନ ସ୍ତରରେ ଥିବା ଜନତାଙ୍କ ପାଖରେ ଜାତୀୟ ଆୟର ମାତ୍ର ୧୩% ରହିଥିବା କଥା ଉକ୍ତ ରିପୋର୍ଟରେ ଉଲ୍ଲେଖ ଅଛି।

‘ବିଶ୍ବ ଅସମାନତା ରିପୋର୍ଟ ୨୦୨୨’ ଶୀର୍ଷକ ଉକ୍ତ ରିପୋର୍ଟର ଲେଖକ ହେଉଛନ୍ତି ‘ୱାର୍ଲଡ୍‌ ଇନେକ୍ବାଲିଟି ଲ୍ୟାବ୍‌’ର ସହ-ନିର୍ଦେଶକ ଲ୍ୟୁକାସ୍‌ ଚାନ୍ସେଲ୍‌। ଏଥିରେ ତାଙ୍କୁ ସହଯୋଗ କରିଛନ୍ତି ଫରାସୀ ଅର୍ଥନୀତିଜ୍ଞ ଟୋମାସ୍‌ ପିକେଟିଙ୍କ ସମେତ ଅନ୍ୟ କେତେଜଣ ବିଶେଷଜ୍ଞ।

ବିଶ୍ବର ସବୁଠୁ ଅଧିକ ଅସମାନତା ଦେଶମାନଙ୍କ ମଧ୍ୟରେ ଭାରତ ଅନ୍ୟତମ ବୋଲି ମଧ୍ୟ ଉକ୍ତ ରିପୋର୍ଟରେ ଉଲ୍ଲେଖ ଅଛି।

ଉପରୋକ୍ତ ରିପୋର୍ଟରେ ଉଲ୍ଲେଖ ଅଛି ଯେ, ପ୍ରାପ୍ତ ବୟସ୍କ ଭାରତୀୟମାନଙ୍କର ହାରାହାରି ଜାତୀୟ ଆୟ ୨୦୪,୨୦୦ ଟଙ୍କା ହୋଇଥିବା ବେଳେ ତଳସ୍ତରରେ ଥିବା ୫୦% ଜନତାଙ୍କ ଆୟ ହେଉଛି ୫୩,୬୧୦ ଟଙ୍କା। ଏହାଛଡ଼ା, ଶୀର୍ଷସ୍ତରରେ ଥିବା ଜନତା ୨୦ ଗୁଣରୁ ଅଧିକ (ଟ. ୧,୧୬୬,୫୨୦) ଆୟ କରୁଛନ୍ତି।

Image Courtesy of The Hindu

ରିପୋର୍ଟ ଅନୁସାରେ, ଭାରତରେ ହାରାହାରି ପାରିବାରିକ ଆୟ ହେଉଛି ଟ. ୯୮୩,୦୧୦। ୧୯୮୦ ମଧ୍ୟ ଭାଗରେ ପ୍ରଣୋଦିତ ଅନିୟମିତକରଣ ଏବଂ ଉଦାରିକରଣ ନୀତି ହିଁ ଆୟରେ ସର୍ବାଧିକ ବୃଦ୍ଧି ଘଟାଇବା ସହ ବିଶ୍ବରେ ସମ୍ପଦ ଅସମାନତାର କାରଣ ହୋଇଥିବା କଥା ରିପୋର୍ଟରେ ଦର୍ଶାଯାଇଛି।

ଏହା ବ୍ୟତିରେକେ, ଭାରତରେ ଲିଙ୍ଗଗତ ଅସମାନତା ବି ଖୁବ୍‌ ଅଧିକ। ମହିଳା ଶ୍ରମିକମାନଙ୍କ ଆୟର ଅଂଶ ୧୮% ସହ ସମାନ। ଚୀନ୍‌କୁ ବାଦ ଦେଲେ ଏହା ଏସିଆର ହାରାହାରି ଆୟ ଠାରୁ ଉଲ୍ଲେଖନୀୟ ଭାବେ କମ୍।

ଲ୍ୟୁକାସ୍‌ ଚାନ୍‌ସେଲ୍‌ ମଧ୍ୟ କହିଛନ୍ତି ଯେ, କୋଭିଡ୍‌ ସଙ୍କଟ ମଧ୍ୟ ଧନିକ ଏବଂ ବାକି ଜନତାଙ୍କ ମଧ୍ୟରେ ତାରତମ୍ୟକୁ ଅଧିକ ବିଗାଡ଼ି ଦେଇଛି।

ସମ୍ବନ୍ଧିତ ଖବର