ନୂଆଦିଲ୍ଲୀ: ମେ ୩ ତାରିଖ ପର୍ଯ୍ୟନ୍ତ ଦେଶରେ ଲକ୍ଡାଉନ୍ ସମୟ ସୀମା ପରିବର୍ଦ୍ଧିତ ହେବା କଥା ଘୋଷଣା କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଲେ ଯେ କରୋନାଭାଇରସ୍ ସଂକ୍ରମଣ ପ୍ରତିରୋଧ କରିବାକୁ ଭାରତ ଆଦ୍ୟ ପର୍ଯ୍ୟାୟରୁ ଗ୍ରହଣ କରିଥିବା ପଦକ୍ଷେପକୁ ସମଗ୍ର ବିଶ୍ବ ପ୍ରଶଂସା କରୁଛି।
ଆଜି ଟେଲିଭିଜନ୍ ମାଧ୍ୟମରେ ଦେଶବାସୀଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଲେ ଯେ ଭାରତରେ କୌଣସି ସଂକ୍ରମଣ ଚିହ୍ନଟ ହେବା ପୂର୍ବରୁ ଆମେ କରୋନାଭାଇରସ୍ ଆକ୍ରାନ୍ତ ଦେଶମାନଙ୍କରୁ ଆସୁଥିବା ଯାତ୍ରୀମାନଙ୍କର ସ୍କ୍ରିନିଙ୍ଗ୍ ଆରମ୍ଭ କରିଥିଲୁ।
ସେ କହିଲେ ପଜିଟିଭ୍ ସଂଖ୍ୟା ୧୦୦ ହେବା ପୂର୍ବରୁ ବିଦେଶରୁ ଆସୁଥିବା ଯାତ୍ରୀମାନଙ୍କୁ ବାଧ୍ୟତାମୂଳକ ଭାବେ ୧୪ ଦିନ ଏକାନ୍ତବାସରେ ରହିବା ବ୍ୟବସ୍ଥା କରିଥିଲୁ। କେତେଗୁଡ଼ିଏ ସ୍ଥାନରେ ମଲ୍, କ୍ଲବ୍ ଏବଂ ଜିମ୍ ଆଦି ମଧ୍ୟ ବନ୍ଦ କରାଯାଇଥିଲା।
/sambad/media/post_attachments/wp-content/uploads/2020/04/ld-1-300x169.jpg)
ସେ ପୁଣି କହିଲେ ଯେ ଦେଶରେ ଯଥେଷ୍ଟ ଔଷଧ ଓ ରେସନ୍ ଗଚ୍ଛିତ ଅଛି। ଯୋଗାଣ ଶୃଙ୍ଖଳରେ ଆସୁଥିବା ବାଧାବିଘ୍ନର ସବୁବେଳେ ସମାଧାନ କରାଯାଉଛି। ସ୍ବାସ୍ଥଗତ ଭିତ୍ତିଭୂମି କ୍ଷେତ୍ରରେ ଆମେ ଦ୍ରୁତ ବେଗରେ ଅଗ୍ରଗତି କରୁଛୁ।
କରୋନାଭାଇରସ୍ ପରୀକ୍ଷା ନିମନ୍ତେ ଜାନୁଆରି ମାସରେ ଆମର ମାତ୍ର ଗୋଟିଏ ଲ୍ୟାବ୍ରୋଟରି ଥିଲା, ଆଜି ଆମର ସେଭଳି ୨୨୦ଟି ଲ୍ୟାବ୍ରୋଟରି ଅଛି। ସମଗ୍ର ବିଶ୍ବରୁ ପ୍ରାପ୍ତ ଅଭିଜ୍ଞତା କହୁଛି ଯେ ପ୍ରତି ୧୦ ହଜାର ରୋଗୀଙ୍କ ନିମନ୍ତେ ପ୍ରାୟ ୧୫୦୦/୧୬୦୦ ଶଯ୍ୟା ଆବଶ୍ୟକ। ଆଜି ସମଗ୍ର ଭାରତରେ ଆମେ ୧ ଲକ୍ଷରୁ ଅଧିକ ଶଯ୍ୟା ବନ୍ଦୋବସ୍ତ କରିପାରିଛୁ।
ବଡ଼ ବଡ଼ ଦେଶମାନେ କରୋନାଭାଇରସ୍ ମହାମାରୀଜନିତ ବିରାଟ ସଙ୍କଟର ମୁକାବିଲା କରିବାକୁ ଅସହାୟ ହୋଇପଡୁଥିବା ବେଳେ ଭାରତ ସୁରୁଖୁରୁରେ ପରିସ୍ଥିତର ମୁକାବିଲା କରୁଛି।
ଅର୍ଥନୈତିକ ଦୃଷ୍ଟିରୁ ଦେଖିଲେ ଆମକୁ ବ୍ୟାପକ କ୍ଷତି ସହିବାକୁ ପଡ଼ିଛି। କିନ୍ତୁ, ଭାରତବାସୀଙ୍କ ଜୀବନ ଅର୍ଥଠୁ ବଳି ମୂଲ୍ୟବାନ। ସୀମିତ ସମ୍ବଳରେ ଭାରତ ଯେମିତି ଅଗ୍ରଗତି ହାସଲ କରୁଛି ତାହାକୁ ଆଜି ବିଶ୍ବ ପ୍ରଶଂସା କରୁଛି।
ଯଦି ଭାରତ ଏହି ସବୁ ପଦକ୍ଷେପ ଗ୍ରହଣ କରି ନ ଥାନ୍ତା ପରିସ୍ଥିତି ଭିନ୍ନ ପ୍ରକାରର ହୋଇଥାଆନ୍ତା। ବିଗତ ଅଳ୍ପ କେତେ ଦିନର ଅନୁଭୂତି ଆମକୁ କହୁଛି ଯେ ଆମେ ଠିକ୍ ବାଟ ବାଛିଛନ୍ତି।