ଭାରତରେ ଥିବା ବିଶ୍ୱର ସବୁଠାରୁ ବଡ ପକ୍ଷୀ ମୂର୍ତ୍ତି ବାବଦରେ ଜାଣିଛନ୍ତି କି ?

ମହିଳାଙ୍କ ସୁରକ୍ଷା ଓ ସମ୍ମାନକୁ ନେଇ ସମର୍ପିତ କଳାକୃତି

କୋଲ୍ଲମ: ରାମାୟଣରେ ଉଲ୍ଲେଖ ଥିବା ଜଟାୟୁ ଅଧ୍ୟାୟ ବାବଦରେ ଆପଣ ଅଳ୍ପ ବହୁତେ ଜାଣିଥିବେ | ଲଙ୍କାପତି ରାବଣ ଯେତେବେଳେ ମାତା ସୀତାଙ୍କର ଅପହରଣ କରିଥିଲା ସେତେବେଳେ ଜଟାୟୁ ପକ୍ଷୀ ଏହାର ବିରୋଧ କରିଥିଲା | ଉଭୟ ରାବଣ ଓ ଜଟାୟୁଙ୍କ ମଧ୍ୟରେ ହୋଇଥିବା ଯୁଦ୍ଧରେ ଜଟାୟୁର ଗୋଟିଏ ଡେଣା କଟିଯାଇଥିଲା | କିନ୍ତୁ ଜଟାୟୁ ସେତେବେଳେ ପର୍ଯ୍ୟନ୍ତ ଜୀବିତ ରହିଲେ ଯେ ପର୍ଯ୍ୟନ୍ତ ପ୍ରଭୁ ରାମ ଆସିନଥିଲେ | ଜଟାୟୁ ହିଁ ପ୍ରଭୁ ରାମଙ୍କୁ କହିଥିଲେ ଯେ ରାବଣ ଦକ୍ଷିଣ ଦିଗକୁ ଯାଇଛି |

ସେହି ଜଟାୟୁଙ୍କ ସ୍ମୃତି ସ୍ୱରୂପ କେରଳର କୋଲ୍ଲମରେ ନିର୍ମାଣ କରାଯାଇଛି ବିଶ୍ୱର ସବୁଠାରୁ ବଡ ପକ୍ଷୀର ମୂର୍ତ୍ତି | ରାମାୟଣ କଥାକୁ ଆଧାର କରି ଏହି ପକ୍ଷୀର ମୂର୍ତ୍ତିରେ ମଧ୍ୟ ଗୋଟିଏ ଡେଣା ନାହିଁ | ଏହି ମୂର୍ତ୍ତିର ଚଉଡା ୧୫୦ ଫୁଟ ହୋଇଥିବାବେଳେ ଉଚ୍ଚତା ୭୦ ଫୁଟ ଓ ଲମ୍ବା ୨୦୦ ଫୁଟ ରହିଛି | ଏହି କଳାକୃତି ୩୦ ହଜାର ବର୍ଗ ଫୁଟ ଅଂଚଳରେ ବ୍ୟାପି ରହିଛି | ଏହି କଳାକୃତି ନିର୍ମାଣ ପାଇଁ ୧୦ ବର୍ଷ ଲାଗିଥିବାବେଳେ ସମୁଦ୍ର ପତନ ଠାରୁ ୧ହଜାର ଫୁଟ ଉପରେ ରହିଛି |

ବିଶ୍ୱାସ ରହିଛି ଜଟାୟୁ ଆହତ ହେବା ପରେ ଏହି ପାହାଡ଼ ଉପରେ ଖସିପଡିଥିଲେ | ଏହି ମୂର୍ତ୍ତିର ନିର୍ମାଣ କରାଇଛନ୍ତି ଜଣାଶୁଣା ଫିଲ୍ମ ନିର୍ମାତା ରାଜୀବ ଅଞ୍ଚଲ | ରାଜୀବଙ୍କ କହିବା ମୁତାବକ ଜଟାୟୁ ପୌରାଣିକ ଇତିହାସରେ ଏମିତି ଜଣେ ଚରିତ୍ର ଥିଲେ ଯିଏ କି ମହିଳା ସୁରକ୍ଷା ଓ ସମ୍ମାନ ପାଇଁ ଜୀବନ ଦେଇଥିଲେ | ବଡ କଥା ଏହି ଜଟାୟୁ ପାର୍କରେ କେବଳ ମହିଳା କର୍ମଚାରୀ ହିଁ ନିୟୋଜିତ ହୋଇଛନ୍ତି | କଂକ୍ରିଟରେ ନିର୍ମାଣ ହୋଇଥିବା ଏହି ବିଶାଳ ପକ୍ଷୀ ମୂର୍ତ୍ତି ପାଇଁ ୧୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ୨୦୧୮ରେ ଏହା ସମାପ୍ତ ହୋଇଥିଲା |

ସମ୍ବନ୍ଧିତ ଖବର