ଟୋକିଓ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମା’ ହୀରାବେନଙ୍କ ପରଲୋକରେ ଦେଶ ବିଦେଶରୁ ଶୋକବାର୍ତ୍ତାର ସୁଅ ଛୁଟିଛି । ବିଶ୍ବ ନେତାମାନେ ମୋଦୀଙ୍କ ମାତୃବିୟୋଗ ପାଇଁ ଶୋକବାର୍ତ୍ତା ଦେବା ସହ ସମବେଦନା ଜ୍ଞାପନ କରିଛନ୍ତି। ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଡ଼ା ପ୍ରଥମ ବିଶ୍ବନେତାଭାବେ ମୋଦୀଙ୍କ ମାତୃବିୟୋଗରେ ଗଭୀର ଶୋକ ପ୍ରକାଶ କରିଥିଲେ। ଏକ ଟ୍ବିଟ୍‌ କରି କିଶିଡ଼ା ଲେଖିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଆପଣଙ୍କ ପ୍ରିୟ ମା’ଙ୍କ ବିୟୋଗ ପାଇଁ ମୁଁ ଗଭୀର ଶୋକପ୍ରକାଶ କରୁଛି। ତାଙ୍କର ଅମର ଆତ୍ମାକୁ ଶାନ୍ତି ମିଳୁ।

Advertisment

ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଳ ଦହଲ ମଧ୍ୟ ମୋଦୀଙ୍କ ମା’ଙ୍କ ମୃତ୍ୟୁ ଘଟଣାରେ ଶୋକ ପ୍ରକାଶ କରିଛନ୍ତି । ଏକ ଟ୍ବିଟ୍‌ କରି ନେପାଳ ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମା’ଙ୍କ ପରଲୋକ ଖବର ଶୁଣି ମୁଁ ଗଭୀର ଭାବେ ଦୁଃଖିତ। ମୋଦୀଜୀ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ଗଭୀର ସମବେଦନା ଜ୍ଞାପନ କରୁଛି। ଅମରଆତ୍ମାର ସଦ୍‌ଗତି କାମନା କରୁଛି।

ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ କହିଛନ୍ତି ମା’ଙ୍କ ବିୟୋଗ ଜୀବନର ବହୁତ ବଡ଼ କ୍ଷତି ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମାତୃ ବିୟୋଗରେ ମୁଁ ଗଭୀର ସମବେଦନା ପ୍ରକାଶ କରୁଛି। ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ମହିନ୍ଦା ରାଜପକ୍ଷ ମଧ୍ୟ ମୋଦୀଙ୍କ ମା’ଙ୍କ ମୃତ୍ୟୁ ଘଟଣାରେ ଶୋକ ପ୍ରକାଶ କରିଛନ୍ତି। ଏକ ଟ୍ବିଟ୍‌ କରି ମହିନ୍ଦା ରାଜପକ୍ଷ ଲେଖିଛନ୍ତି, ଶ୍ରୀମତୀ ହୀରାବା ମୋଦୀଙ୍କ ମୃତ୍ୟୁ ଘଟଣାରେ ମୁଁ ଗଭୀର ଭାବେ ଦୁଃଖିତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କୁ ମୁଁ ଗଭୀର ସମବେଦନା ଜ୍ଞାପନ କରୁଛି। ଏଭଳି ଦୁଃଖ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ତାଙ୍କ ପରିବାର ସହ ଆମେ ଅଛୁ।
ପୂର୍ବତନ ନେପାଳ ପ୍ରଧାନମନ୍ତ୍ରୀ ଶେର ବାହାଦୁର ଦେଉବା ମଧ୍ୟ ‌ମୋଦୀଙ୍କ ମା’ଙ୍କ ମୃତ୍ୟୁ ଘଟଣାରେ ଶୋକ ପ୍ରକାଶ କରିଛନ୍ତି। ଭାରତରେ ଅବସ୍ଥାପିତ ରୁଷ୍‌ ରାଷ୍ଟ୍ରଦୂତ ଡେନିସ ଆଲିପଭ ମୋଦୀଙ୍କ ମା’ଙ୍କ ମୃତ୍ୟୁ ଘଟଣାରେ ଶୋକ ପ୍ରକାଶ କରି କହିଛନ୍ତି, ‘ଏତେ ବଡ଼ କ୍ଷତି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମୋର ଗଭୀର ସ‌ମବେଦନା।

ଜାପାନ ରାଷ୍ଟ୍ରଦୂତ ଫିଲିପ ଆକେରମାନ ଏକ ଟ୍ବିଟ୍‌ କରି କହିଛନ୍ତି, ସମ୍ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମୋର ଗଭୀର ସମବେଦନା। ଏଭଳି ଦୁଃଖ ସମୟରେ ଆମେ ପ୍ରଧାନମନ୍ତ୍ରୀ ଏବଂ ତାଙ୍କ ପରିବାର ସହ ରହିଛୁ।