ଜେରୁଜେଲମ୍: ହମାସ ୭ ଅକ୍ଟୋବର ୨୦୨୩ରେ ଇସ୍ରାଏଲ ଉପରେ ଆକ୍ରମଣ କରି ୧୨୦୦ରୁ ଅଧିକ ଇସ୍ରାଏଲକୁ ଅତି ନିର୍ମମ ଭାବରେ ହତ୍ୟା କରିବା ସହିତ  ୨୫୦ ଲୋକଙ୍କୁ ବନ୍ଧକ ମଧ୍ୟ କରିଥିଲା। ହମାସର ଏହି ନିଷ୍ଠୁର କାର୍ଯ୍ୟ ପରେ ଇସ୍ରାଏଲ ହମାସକୁ ଧ୍ୱଂସ କରିବାକୁ ଶପଥ ନେଇଛି।

Advertisment

ଏହା ପରେ ପାଲେଷ୍ଟାଇନର ଗାଜାରେ ଏୟାର ଷ୍ଟ୍ରାଇକ୍ ଏବଂ ସ୍ଥଳଭାଗରେ ଆକ୍ରମଣ କରି ଇସ୍ରାଏଲ ହମାସର ମେରୁଦଣ୍ଡକୁ ସମ୍ପୂର୍ଣ୍ଣ ଭାଙ୍ଗି ଦେଇଥିଲା। ଏହାପୂର୍ବରୁ, ଇସ୍ରାଏଲର ଟାର୍ଗେଟ କେବଳ ହମାସ ଥିଲା। ତା’ପରେ ହିଜବୁଲ୍ଲା ମଧ୍ୟ ଲେବାନନ ମାଟିରୁ ଇସ୍ରାଏଲ ବିରୁଦ୍ଧରେ ଯୁଦ୍ଧ ଆରମ୍ଭ କରିଥିଲା। ହିଜବୁଲ୍ଲା ଶହ ଶହ ରକେଟ ଏବଂ କ୍ଷେପଣାସ୍ତ୍ର ସହିତ ଇସ୍ରାଏଲକୁ ଟାର୍ଗେଟ କରିଥିଲା।

ଇସ୍ରାଏଲ ହମାସକୁ ଛାଡି ହିଜବୁଲ୍ଲା ଶିବିର  ଉପରେ ଆକ୍ରମଣ କରିଥିଲା। କିଛି ଦିନ ମଧ୍ୟରେ ଇସ୍ରାଏଲ ହିଜବୁଲ୍ଲା ମୁଖ୍ୟ ହାସନ ନସ୍‌ରଲ୍ଲାଙ୍କ ସମେତ ଅନେକ ବରିଷ୍ଠ କମାଣ୍ଡରଙ୍କୁ ହତ୍ୟା କରିଛି। ଇସ୍ରାଏଲ ଏପର୍ଯ୍ୟନ୍ତ ଏହି ଯୁଦ୍ଧରେ ହମାସ ଏବଂ ହିଜବୁଲ୍ଲାର ସମସ୍ତ ପ୍ରମୁଖ କମାଣ୍ଡରଙ୍କୁ ହତ୍ୟା କରିଛି। ଏବେ ଇସ୍ରାଏଲ୍‌ର ପରବର୍ତ୍ତୀ ଲକ୍ଷ୍ୟ ହେଉଛି ହୁତି ବିଦ୍ରୋହୀ।

ୟେମେନର ହୋଦିଦା ବନ୍ଦରରେ ହୋଇଥିବା ଏକ ବଡ଼ ଧରଣର ଏୟାର ଷ୍ଟ୍ରାଇକରେ ଇସ୍ରାଏଲ ଶହ ଶହ ହୁତି ବିଦ୍ରୋହୀଙ୍କୁ ହତ୍ୟା କରିଛି। ହୁତି ବିଦ୍ରୋହୀମାନେ ପୂର୍ବରୁ ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ଦ୍ବାରା ଇସ୍ରାଏଲ ଉପରେ ଆକ୍ରମଣ କରିଥିଲେ। ଇରାନ ହମାସ ଏବଂ ହିଜବୁଲ୍ଲା ସହିତ ହୁତି ବିଦ୍ରୋହୀଙ୍କୁ ମଧ୍ୟ ସମର୍ଥନ କରୁଛି। ଇସ୍ରାଏଲ ହୋଦିଦା ବନ୍ଦରକୁ ଟାର୍ଗେଟ କରିଥିଲା ​​କାରଣ ହୁତି ବିଦ୍ରୋହୀମାନେ ଏହି ବନ୍ଦରକୁ ଇରାନରୁ ଅସ୍ତ୍ରଶସ୍ତ୍ର ଆଣିବା ପାଇଁ ବ୍ୟବହାର କରିଥାନ୍ତି ଏବଂ ଏହି ବନ୍ଦର ଗତ କିଛି ବର୍ଷ ଧରି ହୁତି ବିଦ୍ରୋହୀଙ୍କ ଅଧୀନରେ ରହିଛି।

ଯଦିଓ ଇରାନ ଇସ୍ରାଏଲ ବିରୋଧରେ ସିଧାସଳଖ ଯୁଦ୍ଧକୁ ଏଡ଼େଇ ଦେଉଥିଲା, ତଥାପି ଇସ୍ରାଏଲର ଶତ୍ରୁମାନଙ୍କୁ ଅସ୍ତ୍ରଶସ୍ତ୍ର ଏବଂ ଆର୍ଥିକ ସହାୟତା ଯୋଗାଉଥିଲା। ଗତ ବର୍ଷ ହମାସ ଦ୍ୱାରା ହୋଇଥିବା ଆକ୍ରମଣ ପୂର୍ବରୁ ମଧ୍ୟ ଇସ୍ରାଏଲ ସାମୟିକ ଭାବେ ଯୁଦ୍ଧ କରୁଥିଲା, କିନ୍ତୁ ବର୍ତ୍ତମାନ ଇସ୍ରାଏଲ ଏହାର ପୁରୁଣା ଶତ୍ରୁମାନଙ୍କୁ ମୂଳରୁ ହଟାଇବା ପାଇଁ ରଣନୀତି ଅନୁସରଣ କରୁଛି । ହମାସ ଏବଂ ହିଜବୁଲ୍ଲାର ସମସ୍ତ ବରିଷ୍ଠ କମାଣ୍ଡରଙ୍କୁ ହତ୍ୟା କରି ଇସ୍ରାଏଲ ନିଜ ବିରୁଦ୍ଧରେ କୌଣସି ଆକ୍ରମଣକୁ ବରଦାସ୍ତ କରିବ ନାହିଁ ବୋଲି କହିଛି।

କିଛି ଦିନ ପୂର୍ବରୁ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ମିଳିତ ଜାତିସଂଘରେ କାହାର ନାମ ନ ନେଇ  ଇରାନକୁ ଚେତାବନୀ ଦେଇଥିଲେ ଏବଂ କହିଥିଲେ ଯେ ଯେଉଁମାନେ ଇସ୍ରାଏଲକୁ ଟାର୍ଗେଟ କରୁଛନ୍ତି, ସେମାନଙ୍କୁ ଏହାର ପରିଣାମର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ରହିବାକୁ ପଡ଼ିବ। ନେତାନ୍ୟାହୁ ଏହା ମଧ୍ୟ କହିଥିଲେ ଯେ ଇସ୍ରାଏଲର ସେନାଙ୍କ ପହଞ୍ଚିବାର କ୍ଷମତା ବାହାରେ କୌଣସି ସ୍ଥାନ ନାହିଁ।

ଇସ୍ରାଏଲର ଆକ୍ରମଣାତ୍ମକ ମନୋଭାବ ଯୋଗୁଁ ଇରାନ ମଧ୍ୟ ବ୍ୟାକ୍‌ପୁଟରେ ଥିବା ଜଣାପଡିଛି। ହିଜବୁଲ୍ଲା ମୁଖ୍ୟ ହାସନ ନସ୍‌ରଲ୍ଲାଙ୍କ ମୃତ୍ୟୁ ପରେ ଇରାନ ମଧ୍ୟ ଇସ୍ରାଏଲର ଆକ୍ରମଣକୁ ଭୟ କରିବା ଆରମ୍ଭ କରିଛି। ଇରାନର ସର୍ବୋଚ୍ଚ ନେତା ଆୟତୁଲ୍ଲା ଅଲି ଖାମେନେଇଙ୍କୁ ଏକ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ବର୍ତ୍ତମାନ ଇରାନ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ଏକ ବୈଠକ ଡାକିଛି। ଇରାନ ସମ୍ଭାବ୍ୟ ବିପଦକୁ ଅନୁଭବ କରିଛି ଏବଂ ନିଜକୁ ରକ୍ଷା କରିବାର ଉପାୟ ଖୋଜୁଛି।

ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଏକ ହଜାର ଦିନରୁ ଅଧିକ ସମୟ ବିତିଗଲାଣି। ଏହି ସଂଗ୍ରାମରେ ଗୋଟିଏ ପଟେ ରୁଷିଆ ଚୀନ୍ ସହିତ ଛିଡା ହୋଇଥିବାବେଳେ ୟୁକ୍ରେନକୁ ଆମେରିକା ଏବଂ ନାଟୋର ସମର୍ଥନ ମିଳୁଛି। ଏହି ଯୁଦ୍ଧ ଯୋଗୁ ତୃତୀୟ ବିଶ୍ୱଯୁଦ୍ଧର ବିପଦ ରହିଛି। ଯଦିଓ ଭାରତ ସମେତ କେତେକ ଦେଶ ଏହି ଯୁଦ୍ଧକୁ ବନ୍ଦ କରିବାକୁ ଚେଷ୍ଟା କରୁଛନ୍ତି। ତଥାପି ଯୁଦ୍ଧ ସମାପ୍ତ ହେବାର କୌଣସି ସମ୍ଭାବନା ନାହିଁ। ଯଦି ଦୁଇ ଦେଶ ମଧ୍ୟରେ ଅସ୍ତ୍ରବିରତି ନ ହୁଏ ତେବେ ଏହା ନିଶ୍ଚିତ ଯେ ୟୁରୋପ ଯୁଦ୍ଧକ୍ଷେତ୍ରରେ ପରିଣତ ହେବ। ୟୁରୋପ ଆଡକୁ ଯୁଦ୍ଧର ପ୍ରଭାବ ମଧ୍ୟ  ମୁହାଁଉଥିବା କୁହାଯାଉଛି।

ଇସ୍ରାଏଲ୍ ଯେପରି ଗୋଟିଏ ପରେ ଗୋଟିଏ ଆକ୍ରମଣ କରୁଛି, ଏହା କେବେ ବଡ଼ ଯୁଦ୍ଧରେ ପରିଣତ ହେବ ତାହା କେହି ଜାଣି ନାହାନ୍ତି। କାରଣ ଇରାନ ବ୍ୟତୀତ ମଧ୍ୟ ପୂର୍ବର ଅନ୍ୟାନ୍ୟ ଦେଶ ମଧ୍ୟ ଇସ୍ରାଏଲକୁ ସେମାନଙ୍କର ଶତ୍ରୁ ଭାବରେ ବିବେଚନା କରନ୍ତି ଏବଂ ସେମାନେ ମଧ୍ୟ ଉପଯୁକ୍ତ ସୁଯୋଗକୁ ଅପେକ୍ଷା କରିଛନ୍ତି। ଫଳରେ ତୃତୀୟ ବିଶ୍ୱଯୁଦ୍ଧର ବିପଦର ଘନ ଛାୟା ୟୁରୋପୀୟ ଦେଶମାନଙ୍କ ଉପରେ ମାଡ଼ି ଆସୁଥିବା କୁହାଯାଉଛି।

ଦୀର୍ଘ ଦିନ ଧରି ଚୀନ୍ ବିରୋଧରେ ସମ୍ଭାବ୍ୟ ଯୁଦ୍ଧ ପାଇଁ ତାଇୱାନ ପ୍ରସ୍ତୁତି ଚଳାଇଛି। ଆମେରିକା ତାଇୱାନ ସହିତ ଦୃଢ଼ ଭାବରେ ଛିଡା ହୋଇଛି ଏବଂ ଏହାକୁ ସାହାଯ୍ୟ କରିବାକୁ ୫୬୭ ନିୟୁତ ଡଲାର ମୂଲ୍ୟର ପ୍ରତିରକ୍ଷା ଚୁକ୍ତି ଅନୁମୋଦନ କରିଛି। କେବଳ ଏତିକି ନୁହେଁ, ତାଇୱାନ ମଧ୍ୟ ଆମେରିକାଠାରୁ ଲ୍ୟାଣ୍ଡ ଲଞ୍ଚ ହେଉଥିବା ହରପନ୍ ଆଣ୍ଟି-ଜାହାଜ କ୍ଷେପଣାସ୍ତ୍ରର ପ୍ରଥମ ବ୍ୟାଚ୍ ଗ୍ରହଣ କରିଛି।

ଚୀନ୍‌ର ଏୟାର ଷ୍ଟ୍ରାଇକ୍‌ରୁ ନିଜକୁ ରକ୍ଷା କରିବାରେ ଏହି କ୍ଷେପଣାସ୍ତ୍ର ତାଇୱାନ ପାଇଁ ଉପଯୋଗୀ ହେବ। ଅନ୍ୟପକ୍ଷରେ, ଜାପାନର ଯୁଦ୍ଧ ଜାହାଜ କିଛି ଦିନ ପୂର୍ବରୁ ତାଇୱାନ ଷ୍ଟ୍ରାଇଟ୍ ଦେଇ ଯାଇଥିଲା। ତାଇୱାନ ଏବଂ ଚୀନ୍ ମଧ୍ୟରେ ଏହି ବିବାଦ ରହିଛି। ଚୀନ୍ ତାଇୱାନକୁ ନିଜ ଅଞ୍ଚଳ ବୋଲି ଦାବି କରିଆସୁଛି। 

ଏବେ ବିଶ୍ବର ଅନେକ ଦେଶ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବରେ ଯୁଦ୍ଧର ଦୁଇଟି ଦିଗରେ ଜଡିତ ଅଛନ୍ତି ଏବଂ ଯଦି ତୃତୀୟ ଫ୍ରଣ୍ଟ ମଧ୍ୟ ଖୋଲିବ, ତେବେ ତୃତୀୟ ବିଶ୍ୱଯୁଦ୍ଧର ଆଶଙ୍କା ମଧ୍ୟ ବୃଦ୍ଧି ପାଇବ ବୋଲି କୁହାଯାଉଛି। ଏଭଳି ସଙ୍କଟରେ ସମଗ୍ର ବିଶ୍ବ ବାରୁଦ ଗଦାରେ ବସିଥିବାବେଳେ କେତେବେଳେ ଯେ ତୃତୀୟ ବିଶ୍ବଯୁଦ୍ଧର ବିଗୁଲ ବାଜିବ ତାହା କାହାକୁ ଜଣାନାହିଁ ବୋଲି ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା ହେଉଛି।