ୱାସିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନୋବେଲ ଶାନ୍ତି ପୁରସ୍କାର ସ୍ୱପ୍ନ ଆଜି ଧୂଳିସାତ୍ ହୋଇଯାଇଛି। ନୋବେଲ କମିଟି ୨୦୨୫ର ନୋବେଲ ଶାନ୍ତି ପୁରସ୍କାର ଭେନେଜୁଏଲାର ବିରୋଧୀ ଦଳ ନେତ୍ରୀ ମାରିଆ କୋରିନାଙ୍କୁ ପ୍ରଦାନ କରିଛନ୍ତି। ନୋବେଲ ପୁରସ୍କାର ପାଇବା ପାଇଁ ପ୍ରବଳ ଉଦ୍ୟମ କରିଥିବା ଟ୍ରମ୍ପ ତାଙ୍କ ମିସନରେ ବିଫଳ ହୋଇଥିବା ବେଳେ ନୋବେଲ କମିଟିର ପଦକ୍ଷେପକୁ ମଧ୍ୟ ଆଜି ହ୍ବାଇଟ୍ ହାଉସ ସମାଲୋଚନା କରିଛି। ଶୁକ୍ରବାର ହ୍ୱାଇଟ୍ ହାଉସ୍ ବିଜେତାଙ୍କ ଚୟନ ପ୍ରକ୍ରିୟାକୁ ସମାଲୋଚନା କରି କହିଛି ଯେ ଏହି ନିଷ୍ପତ୍ତି ବିଶ୍ୱ ଶାନ୍ତି ପ୍ରତି ପ୍ରତିବଦ୍ଧତା ପରିବର୍ତ୍ତେ ରାଜନୈତିକ ପକ୍ଷପାତିତାକୁ ପ୍ରତିଫଳିତ କରୁଛି।
ହ୍ୱାଇଟ୍ ହାଉସ୍ ମୁଖପାତ୍ର ଷ୍ଟିଭେନ୍ ଚେଙ୍ଗ୍ ନୋବେଲ ଶାନ୍ତି ପୁରସ୍କାର ଘୋଷଣା ଉପରେ ଟ୍ରମ୍ପ ପ୍ରଶାସନର ପ୍ରଥମ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ରାଷ୍ଟ୍ରପତି ଟ୍ରମ୍ପ ଶାନ୍ତି ଚୁକ୍ତି ଜାରି ରଖିବେ ଏବଂ ଯୁଦ୍ଧ ସମାପ୍ତ କରି ଜୀବନ ରକ୍ଷା କରିବେ। ସେ ହୃଦୟରୁ ଜଣେ ମାନବବାଦୀ ଏବଂ ତାଙ୍କ ଭଳି କେହି ହୋଇ ପାରିବେ ନାହିଁ। ଟ୍ରମ୍ପଙ୍କ ଦୃଢ ଇଚ୍ଛାଶକ୍ତିକୁ କେହି ଦୋହଲାଇ ପାରିବେ ନାହିଁ। ଷ୍ଟିଭେନ୍ କହିଛନ୍ତି ଯେ ଏହି ନିଷ୍ପତ୍ତି ପରେ ନୋବେଲ ପୁରସ୍କାର କମିଟି ପ୍ରମାଣିତ କରିଛି ଯେ ସେମାନେ ବିଶ୍ୱ ଶାନ୍ତି ଅପେକ୍ଷା ରାଜନୀତିକୁ ଅଧିକ ଗୁରୁତ୍ୱ ଦେଉଛନ୍ତି ଏବଂ କମିଟିର ନିଷ୍ପତ୍ତିରେ ରାଜନୈତିକ ପକ୍ଷପାତ ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ ଚଳିତ ବର୍ଷର ନୋବେଲ ଶାନ୍ତି ପୁରସ୍କାର ଡୋନାଲ୍ଡ ଟ୍ରମ୍ପଙ୍କ ସ୍ଥାନରେ ଭେନେଜୁଏଲାର ମାରିଆ କୋରିନା ମାଚାଡୋଙ୍କୁ ମିଳିବାକୁ ବିଭିନ୍ନ ମହଲ ସ୍ବାଗତ କରିଛନ୍ତି। ସୂଚନାଯୋଗ୍ୟ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦ୍ବିତୀୟ ବାର କ୍ଷମତାକୁ ଆସିବା ପରଠାରୁ ନୋବେଲ ଶାନ୍ତି ପୁରସ୍କାର ପାଇଁ ନିଜର ଅଭିଳାଷ ପ୍ରକାଶ କରିଛନ୍ତି। ଏଥିପାଇଁ ସେ ଲଗାତାର ପ୍ରଚାର ମଧ୍ୟ କରୁଥିଲେ। ଟ୍ରମ୍ପ ଓ ତାଙ୍କ ଟିମ୍ ଦାବି କରନ୍ତି ଯେ ସେମାନେ ୮ଟି ଯୁଦ୍ଧ ବନ୍ଦ କରିଦେଇଛନ୍ତି। ଗତ ଦୁଇ ବର୍ଷ ଧରି ଚାଲିଥିବା ଗାଜା ସଂଘର୍ଷ ଏଥିରେ ଅନ୍ତର୍ଭୁକ୍ତ। ଆମେରିକା, ଇସ୍ରାଏଲ ଏବଂ ପାକିସ୍ତାନ ସମେତ ଆଠଟି ଦେଶ ଟ୍ରମ୍ପଙ୍କୁ ନୋବେଲ ଶାନ୍ତି ପୁରସ୍କାର ପାଇଁ ମନୋନୀତ କରିଥିଲେ ମଧ୍ୟ ନୋବେଲ କମିଟି ଏଥିରେ ଆଦୌ ପ୍ରଭାବିତ ହୋଇନାହିଁ।
ନୋବେଲ୍ କମିଟି ସଭାପତିଙ୍କ ମନ୍ତବ୍ୟ ଆମର ନିଷ୍ପତ୍ତି କାର୍ଯ୍ୟ ଉପରେ ଆଧାରିତ
ନରୱେର ନୋବେଲ କମିଟି ଆଜି ମାରିଆ କୋରିନା ମାଚାଡୋଙ୍କୁ ୨୦୨୫ ନୋବେଲ ଶାନ୍ତି ପୁରସ୍କାର ବିଜେତା ଘୋଷଣା କରି କହିଛନ୍ତି ଯେ ଭେନେଜୁଏଲାର ଲୋକଙ୍କ ପାଇଁ ଗଣତାନ୍ତ୍ରିକ ଅଧିକାରକୁ ପ୍ରୋତ୍ସାହିତ କରିବା ଏବଂ ଏକଛତ୍ରବାଦରୁ ଗଣତନ୍ତ୍ର ଆଡ଼କୁ ଏକ ଶାନ୍ତିପୂର୍ଣ୍ଣ ପରିବର୍ତ୍ତନ ହାସଲ କରିବା ପାଇଁ ତାଙ୍କର ସଂଗ୍ରାମ ପାଇଁ ମାଚାଡୋ ଏହି ପୁରସ୍କାର ଜିତିଛନ୍ତି। ଏହି ଘୋଷଣା ଅବସରରେ ଜଣେ ସାମ୍ବାଦିକ ନୋବେଲ କମିଟି ସଭାପତିଙ୍କୁ ପଚାରିଥିଲେ- ‘ଗତ କିଛି ମାସ ମଧ୍ୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବାରମ୍ବାର କହିଛନ୍ତି ଯେ ସେ ନୋବେଲ ଶାନ୍ତି ପୁରସ୍କାର ପାଇବାକୁ ଯୋଗ୍ୟ ଏବଂ ଏହା ପାଇବାକୁ ପସନ୍ଦ କରନ୍ତି। ଏପରିକି ସେ କହିଛନ୍ତି ଯେ ଯଦି ସେ ଏହା ନ ପାଆନ୍ତି ତେବେ ଏହା ଆମେରିକା ପାଇଁ ଅପମାନ ହେବ। ନୋବେଲ ଶାନ୍ତି ପୁରସ୍କାର କମିଟିର ଅଧ୍ୟକ୍ଷ ଭାବରେ ଆପଣ ଏହା ବିଷୟରେ କ’ଣ କହିବେ? ରାଷ୍ଟ୍ରପତି ଟ୍ରମ୍ପ ଏବଂ ତାଙ୍କ ସମର୍ଥକଙ୍କ ଦ୍ୱାରା ବୈଶ୍ବିକ ସ୍ତରରେ ଏଥିପାଇଁ ଅଭିଯାନ ମଧ୍ୟ ଚାଲିଥିଲା ଏବଂ କମିଟିର ଚିନ୍ତାଧାରାକୁ ଏହା କିପରି ପ୍ରଭାବିତ କରିଛି? ଉଭୟ ପ୍ରଶ୍ନର ଉତ୍ତରରେ ନୋବେଲ କମିଟିର ସଭାପତି ଜର୍ଗେନ୍ ୱାଟ୍ନେ ଫ୍ରାଇଡନ୍ସ କହିଛନ୍ତି- ‘ନୋବେଲ ଶାନ୍ତି ପୁରସ୍କାରର ଦୀର୍ଘ ଇତିହାସରେ, ଏହି କମିଟି ଅନେକ ପ୍ରକାରର ଅଭିଯାନ ଓ ଗଣମାଧ୍ୟମ ଉତ୍ତେଜନା ଦେଖିଛି। ଆମେ ପ୍ରତିବର୍ଷ ହଜାର ହଜାର ଚିଠି ପାଇଥାଉ ଏବଂ ଏଥିରେ ସେମାନଙ୍କ ପାଇଁ ଶାନ୍ତି କ’ଣ ତାହା ସେଥିରେ ଉଲ୍ଲେଖ ଥାଏ। ଏହି କମିଟି ସମସ୍ତ ପୁରସ୍କାର ବିଜେତାଙ୍କ ଚିତ୍ରରେ ପରିପୂର୍ଣ୍ଣ ଏକ କୋଠରୀରେ ବସିଥାଏ। ଏହା ସାହସ ଓ ଅଖଣ୍ଡତାରେ ପରିପୂର୍ଣ୍ଣ। ଆମେ କେବଳ କାର୍ଯ୍ୟ ଉପରେ ଗୁରୁତ୍ବ ଦେଉ ଏବଂ ଆଲଫ୍ରେଡ୍ ନୋବେଲଙ୍କ ଇଚ୍ଛା ଉପରେ ଆମର ନିଷ୍ପତ୍ତି ଆଧାରିତ ଥାଏ।’
ମାରିଆଙ୍କୁ ଚୟନ କରିବା ପରେ ନୋବେଲ କମିଟି କହିଛି, ‘ମାରିନା ତାଙ୍କ ଜୀବନ ପ୍ରତି ଗୁରୁତର ବିପଦ ସତ୍ତ୍ବେ ନିଜ ରାଷ୍ଟ୍ରରେ ରହି ସଂଘର୍ଷ ଜାରି ରଖିଛନ୍ତି, ଯାହା ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରେରଣା ଦେଇଛି। ଯେତେବେଳେ ଏକଛତ୍ରବାଦୀମାନେ କ୍ଷମତା ଦଖଲ କରନ୍ତି, ସେତେବେଳେ ସ୍ୱାଧୀନତାର ସାହସୀ ରକ୍ଷକମାନଙ୍କୁ ଚିହ୍ନିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।’