ବିଶ୍ବରେକର୍ଡ :  ଗୋଟିଏ ଦିନରେ ଦିଆଗଲା ଦୁଇ କୋଟି ଡୋଜ୍ ଟିକା

ନୂଆଦିଲ୍ଲୀ : କରୋନା ଟିକାଦାନରେ ଭାରତ ଆଜି ସମଗ୍ର ବିଶ୍ବରେ ରେକର୍ଡ କରିଛି ।  ଗୋଟିଏ ଦିନରେ ୨ କୋଟିରୁ ଅଧିକ ଡୋଜ୍ (ମାତ୍ରା) କରୋନା ଟିକା ଦେଇ ଭାରତ ସମଗ୍ର ବିଶ୍ବରେ ଏକ ବିରଳ ସଫଳତା ହାସଲ କରିଛି । ଜନ୍ମ ଦିନରେ ଦେଶବାସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏହି ଉପହାର ଦେଇଛନ୍ତି ବୋଲି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖଲାଲ ମାଣ୍ଡଭିଆ ଟୁଇଟ୍ କରି କହିଛନ୍ତି ।

କୋ-ଓ୍ବିନ ପୋର୍ଟାଲରେ ଥିବା ତଥ୍ୟ ଅନୁସାରେ ସଂଧ୍ୟା ସାଢେ ୮ଟା ସୁଦ୍ଧା ସାରା ଦେଶରେ ପ୍ରାୟ ୨ କୋଟି୨୩ ଲକ୍ଷ ଡୋଜ୍ ଟିକା ଦିଆଯାଇଛି । ଆର୍ଥାତ ଦେଶରେ ଆଜି ଘଣ୍ଟା ପ୍ରତି ୧୯ ଲକ୍ଷ କିମ୍ବା ମିନିଟ୍ ପ୍ରତି ୩୧ ହଜାର କିମ୍ବା ସେକେଣ୍ଡ ପ୍ରତି ୫୨୭ଟି ମାତ୍ରା ଟିକା ଦିଆଯାଇଛି ।

ଗତକାଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଥିଲା ଯେ ପ୍ରଧାନମନ୍ତ୍ରୀଙ୍କ ୭୧ତମ ଜନ୍ମଦିନକୁ ପାଳନ କରିବାକୁ ଶୁକ୍ରବାରଦିନ ୨ କୋଟିରୁ ଅଧିକ ଟିକାଦାନ ପାଇଁ ଲକ୍ଷ୍ୟ ରଖାଯାଇଛି ।

ଗୋଟିଏ ଦିନରେ ଏତେ ସଂଖ୍ୟକ ଟିକା ଦିଆଯିବା ସମଗ୍ର ବିଶ୍ବରେ ପ୍ରଥମ ବୋଲି କୁହାଯାଉଛି । ଗତ ଜୁଲାଇ ୨୧ରେ ଚୀନ ଗୋଟିଏ ଦିନରେ ପ୍ରାୟ ୨ କୋଟି ୮ ଲକ୍ଷ ମାତ୍ରା ଟିକା ପ୍ରଦାନ କରିଥିଲା । ଭାରତ ଆଜି ଚୀନର ରେକର୍ଡକୁ କାଟି ଦେଇଛି ।

ସମ୍ବନ୍ଧିତ ଖବର