ବିଶ୍ୱ ଦେଖିଲା ଭାରତର ଶକ୍ତି

ଗଣତନ୍ତ୍ର ଦିବସ ପରେଡ୍‌

ନୂଆଦିଲ୍ଲୀ: ବିପୁଳ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ଗୁରୁବାର ରାଜପଥରେ ୬୯ତମ ଗଣତନ୍ତ୍ର ଦିବସର ଭବ୍ୟ ପରେଡ ଅନୁଷ୍ଠିତ ହୋଇଛି। ଏଥିରେ ଭାରତୀୟ ସେନା ନିଜର ପରାକ୍ରମ ପ୍ରଦର୍ଶନ କରିଥିବା ବେଳେ ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳତା, ବିବିଧ ସାଂସ୍କୃତିକ ଓ ସାମାଜିକ ପରମ୍ପରା ପରେଡରେ ମୁଖ୍ୟ ଆକର୍ଷଣ ରହିଥିଲା। ଏହି ଅବସରରେ ଆସିଆନ୍‌ ଦେଶର ୧୦ ଜଣ ରାଷ୍ଟ୍ରମୁଖ୍ୟ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ଥିଲେ। ପ୍ରଥମ ଥର ପାଇଁ ଗଣତନ୍ତ୍ର ଦିବସ ଉତ୍ସବରେ ୧୦ଟି ରାଷ୍ଟ୍ରର ଅତିଥି ଯୋଗଦେବା ବିଶ୍ୱବ୍ୟାପୀ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା। ଉତ୍ସବରେ ଥାଇଲାଣ୍ଡ ପ୍ରଧାନମନ୍ତ୍ରୀ ଜେନେରାଲ ପ୍ରାୟୁତ ଚାନ୍‌ ଓ ଚା, ମିଆଁମାର୍‌ର ସର୍ବୋଚ୍ଚ ନେତ୍ରୀ ଅଙ୍ଗ୍‌ ସାନ୍‌ ସୁ କୀ, ବ୍ରୁନେଇର ସୁଲ୍‌୍‌ତାନ ହସନ୍‌ ଅଲ୍‌ ବୋଲ୍‌କିୟା, କାମ୍ବୋଡିଆ ପ୍ରଧାନମନ୍ତ୍ରୀ ହୁନ୍‌ ସେନ୍‌, ଇଣ୍ଡୋନେସିଆ ରାଷ୍ଟ୍ରପତି ଜୋକୋ ଓ୍ଵିଡୋଡ, ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲି ସିୟନ୍‌ ଲୁଙ୍ଗ୍‌, ମାଲେସିଆ ପ୍ରଧାନମନ୍ତ୍ରୀ ନଜୀବ ରଜାକ୍‌, ଭିଏତନାମ ପ୍ରଧାନମନ୍ତ୍ରୀ ନ୍ୟୁଏନ୍‌ ସୁଆନ୍‌ ଫୁକ୍‌, ଲାଓସ୍‌ ପ୍ରଧାନମନ୍ତ୍ରୀ ଥାଙ୍ଗ୍‌ଲିନ୍‌ ସିସୋଲିଥ୍‌୍‌ ଏବଂ ଫିଲିପାଇନ୍‌ସ ରାଷ୍ଟ୍ରପତି ଡ୍ରିଗୋ ଦୁତେର୍ତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସମସ୍ତ ଅତିଥିଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଭିବାଦନ ମଞ୍ଚ ନିକଟରେ ସ୍ୱାଗତ କରିଥିଲେ। ଏଥର ପରେଡରେ ପ୍ରଥମ ଥର ପାଇଁ ସୀମା ସୁରକ୍ଷା ବାହିନୀର ୧୧୩ ଜଣ ମହିଳା ଯବାନ ବିସ୍ମୟକର ମୋଟର ସାଇକେଲ ଷ୍ଟଣ୍ଟ ପ୍ରଦର୍ଶନ କରିଥିଲେ। ସେମାନଙ୍କ ସାହସିକ ପ୍ରଦର୍ଶନ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ପରେଡରେ ପ୍ରଥମ ଦଳରେ ଭାରତୀୟ ସେନା ୧୦ଟି ଆସିଆନ୍‌ ରାଷ୍ଟ୍ରର ପତାକା ସହ ମାର୍ଚ ଆରମ୍ଭ କରିଥିଲେ। ପରେଡର ନେତୃତ୍ୱ ନେଇଥିଲେ ଲେଫ୍‌୍‌ଟନାଣ୍ଟ ଜେନେରାଲ ଅସୀତ୍‌ ମିସ୍ତ୍ରୀ। ଭାରତୀୟ ବାୟୁସେନାର ଏମ୍‌ଆଇ-୧୭ ଏବଂ ରୁଦ୍ର ଯୁଦ୍ଧ ହେଲିକପଟର ଦ୍ୱାରା ଦୁଃସାହସିକ କୌଶଳ ପ୍ରଦର୍ଶନ ସମସ୍ତଙ୍କୁ ଅଭିଭୂତ କରିଦେଇଥିଲା। ଏହା ସହିତ ସୁଖୋଇ ଯୁଦ୍ଧ ବିମାନ ଏବଂ ହେରକ୍ୟୁଲସ ପରିବହନ ବିମାନ ଦ୍ୱାରା ମଧ୍ୟ ପ୍ରଦର୍ଶନ କରାଯାଇଥିଲା। ଭାରତୀୟ ସେନାର ବୀରତ୍ୱ ଓ ପ୍ରମାଣ ସ୍ୱରୂପ ସର୍ବାଧୁନିକ ଟ୍ୟାଙ୍କ, ଆସିଭି ଯାନ, ବ୍ରହ୍ମୋସ କ୍ଷେପଣାସ୍ତ୍ର ବ୍ୟବସ୍ଥା ଏବଂ ସ୍ୱୀଦେଶୀ ଜ୍ଞାନ କୌଶଳରେ ନିର୍ମିତ ଅସ୍ତ୍ର ଠାବ ରାଡାରର ପ୍ରଦର୍ଶନ କରାଯାଇଥିଲା।

                              

ଏଥର ସାଧାରଣତନ୍ତ୍ର ଦିବସରେ ପ୍ରଦର୍ଶିତ ୨୩ଟି ପ୍ରଜ୍ଞାପନ ମେଢ଼ରେ ବିଭିନ୍ନ ରାଜ୍ୟ ଏବଂ ମନ୍ତ୍ରାଳୟ ସମେତ ଅଲ୍‌ ଇଣ୍ଡିଆ ରେଡିଓ ମଧ୍ୟ ସାମିଲ ଥିଲା। ଏଥିରେ ଆୟକର ବିଭାଗର ମେଢ଼ ମଧ୍ୟ ଆକର୍ଷଣର କେନ୍ଦ୍ର ଥିଲା। ବିମୁଦ୍ରାକରଣ ପରେ କଳାଧନ ମହଜୁଦକାରୀଙ୍କ ବିରୋଧରେ ହୋଇଥିବା ଅଭିଯାନ ଏହି ମେଢ଼ର ବିଷୟବସ୍ତୁ ରହିଥିଲା। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଭାରତୀୟ ବାୟୁ ସେନାର ସହିଦ ଯବାନ ଜ୍ୟେତି ପ୍ରକାଶ ନିରାଲାଙ୍କୁ ମରଣପୋରାନ୍ତ ଅଶୋକ ଚକ୍ରରେ ସମ୍ମାନିତ କରିଥିଲେ। ପରିବାର ସଦସ୍ୟଙ୍କୁ ସମ୍ମାନ ଦେବାପରେ ରାଷ୍ଟ୍ରପତିଙ୍କ ଆଖିରେ ଲୁହ ଆସିଯାଇଥିଲା। ନିରାଲା ଗତବର୍ଷ କଶ୍ମୀର ବାନ୍ଦିପୁରା ଏନ୍‌କାଉଣ୍ଟରେ ୩ ଜଣ ଆତଙ୍କବାଦୀଙ୍କୁ ନିପାତ କରି ସହିଦ ହୋଇଥିଲେ। ତାଙ୍କ ମା’ ଏବଂ ପତ୍ନୀ ରାଷ୍ଟ୍ରପତିଙ୍କ ଠାରୁ ସମ୍ମାନ ଗ୍ରହଣ କରିଥିଲେ। ସମ୍ମାନ ଦେଇସାରିବା ପରେ ରାଷ୍ଟ୍ରପତି ତାଙ୍କ ଲୁହ ପୋଛିଥିବା ଦେଖାଯାଇଥିଲା। ପରେଡ଼ ପାଇଁ ଆକାଶ ଓ ସ୍ଥଳପଥରେ ଅଭୂତପୂର୍ବ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ରାଜଧାନୀର ପ୍ରତି ଗଳିକନ୍ଦିରେ କେନ୍ଦ୍ରୀୟ ସୁରକ୍ଷା ବାହିନୀ ଓ ଦିଲ୍ଲୀ ପୁଲିସର ୬୦ହଜାର ସୁରକ୍ଷା କର୍ମୀଙ୍କୁ ମୁତୟନ କରାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅମର ଯବାନ ଜ୍ୟୋତିରେ ଶ୍ରଦ୍ଦାଞ୍ଜଳି ଦେଇଥିଲେ ଏବଂ ସେଠାରେ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥିତ ଥିଲେ। ତିନି ସେନାଧ୍ୟକ୍ଷ ମଧ୍ୟ ଦେଶର ବୀର ସୁପୁତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର