ନୂଆଦିଲ୍ଲୀ: ପ୍ୟାରିସ୍ ଜଳବାୟୁ ଚୁକ୍ତିକୁ ଅନୁମୋଦନ କରିଥିବା ୧୯୪ଟି ରାଷ୍ଟ୍ରରୁ ୧୯୩ଟି ରାଷ୍ଟ୍ର ଜାତିସଂଘ ତତ୍ତ୍ବାବଧାନରେ ପ୍ରସ୍ତୁତ ବିଶ୍ବ ତାପାୟନ ରିପୋର୍ଟକୁ ଗ୍ରହଣ କରିଛନ୍ତି। ତେବେ ସମସ୍ତ ରାଷ୍ଟ୍ରର ବୈଜ୍ଞାନିକ ଏବଂ ସଂଗଠନଗୁଡ଼ିକୁ ସାମିଲ କରି ପ୍ରସ୍ତୁତ କରାଯାଇଥିବା ବିଶ୍ବ ତାପାୟନ ସଂକ୍ରାନ୍ତ ସ୍ବତନ୍ତ୍ର ରିପୋର୍ଟକୁ ଆଜି ଆମେରିକା ପ୍ରତ୍ୟାଖ୍ୟାନ କରିଛି। ବୈଜ୍ଞାନିକ, ଗବେଷକ ଏବଂ ପରିବେଶ ସୁରକ୍ଷା ସହିତ ଜଡ଼ିତ ସଂସ୍ଥାମାନଙ୍କ ମିଳିତ ପ୍ରୟାସରେ ପ୍ରସ୍ତୁତ ହୋଇଥିବା ଏହି ରିପୋର୍ଟକୁ ଆମେରିକା ଗ୍ରହଣ କରିବ ନାହିଁ ବୋଲି ଆଜି ଆନୁଷ୍ଠାନିକ ଭାବେ ଜଣାଇ ଦେଇଛି। ଜଳବାୟୁ ପରିବର୍ତ୍ତନ ଉପରେ ଆନ୍ତଃ ସରକାରୀ ପ୍ୟାନେଲ୍ ରିପୋର୍ଟ (ଆଇପିସିସି) ପ୍ରସ୍ତୁତ କରିବା ପାଇଁ ହୋଇଥିବା ପରିଶ୍ରମକୁ ଆମେ ସ୍ବାଗତ କରୁଛୁ କିନ୍ତୁ ରିପୋର୍ଟକୁ ଗ୍ରହଣ କରିବା ଏବଂ କାର୍ଯ୍ୟକାରୀ କରିବାରେ ଆମେରିକାର କୌଣସି ଭୂମିକା ରହିବ ନାହିଁ ବୋଲି ଟ୍ରମ୍ପ୍ ପ୍ରଶାସନର ଜଣେ ବରିଷ୍ଠ ପ୍ରବକ୍ତା କହିଛନ୍ତି। ଚୀନ୍ ପରେ ବିଶ୍ବରେ ଆମେରିକା ସର୍ବାଧିକ ଅଙ୍ଗାର ପ୍ରଦୂଷଣକାରୀ ରାଷ୍ଟ୍ର ହୋଇଥିଲେ ମଧ୍ୟ ପ୍ରଦୂଷଣ ରୋକିବା ଦିଗରେ ଏହାର ନକାରାତ୍ମକ ପଦକ୍ଷେପ ଆଲୋଡ଼ନ ସୃଷ୍ଟି କରିଛି। ଜାତିସଂଘ ତତ୍ତ୍ବାବଧାନରେ ଏବଂ ପ୍ୟାରିସ୍ ଜଳବାୟୁ ଚୁକ୍ତିକୁ କାର୍ଯ୍ୟକାରୀ କରିବା ଉଦ୍ଦେଶ୍ୟରେ ପ୍ରସ୍ତୁତ ରିପୋର୍ଟକୁ ଆମେରିକା ପ୍ରତ୍ୟାଖ୍ୟାନ କରିବା ଏହାର ମିତ୍ର ରାଷ୍ଟ୍ରଙ୍କୁ ବିସ୍ମିତ କରିଛି। ରାଷ୍ଟ୍ରପତି ଡୋନାଲ୍୍ଡ ଟ୍ରମ୍ପ୍ ପ୍ୟାରିସ୍ ଚୁକ୍ତିକୁ ଗ୍ରହଣ କରିବେ ନାହିଁ ବୋଲି ପୂର୍ବରୁ ଘୋଷଣା କରିଥିବାରୁ ଏବେ ଆଇପିସିସି ରିପୋର୍ଟକୁ ମଧ୍ୟ ପ୍ରତ୍ୟାଖ୍ୟାନ କରାଯାଇଛି। ତେବେ ଆମେରିକାରେ ଏହାକୁ ନେଇ ଜନ ଅସନ୍ତୋଷ ଦେଖିବାକୁ ମିଳିଛି। ଆମେରିକାରେ ବାତ୍ୟା, ବନ୍ୟା, ମରୁଡ଼ି ଏବଂ ଜଂଗଲରେ ନିଆଁ ବ୍ୟାପିବା ଘଟଣା ବୃଦ୍ଧି ପାଉଥିବାରୁ ସରକାର ରାଷ୍ଟ୍ରର ନାଗରିକଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଏହି ରିପୋର୍ଟକୁ ଗ୍ରହଣ କରିବା ପାଇଁ ବିଭିନ୍ନ ମହଲ ଟ୍ରମ୍ପ୍ ପ୍ରଶାସନ ଉପରେ ଚାପ ସୃଷ୍ଟି କରିଛନ୍ତି।
ବିଶ୍ବ ତାପାୟନ ରିପୋର୍ଟକୁ ଆମେରିକାର ପ୍ରତ୍ୟାଖ୍ୟାନ
/sambad/media/post_attachments/wp-content/uploads/2018/10/6.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)