ଜେନେଭା: ଜଳବାୟୁ ପରିବର୍ତ୍ତନକୁ ନେଇ ଜାତିସଂଘର ସଂସ୍ଥା ଆଇପିସିସି (ଇଣ୍ଟର ଗଭର୍ଣ୍ଣମେଣ୍ଟାଲ ପ୍ୟାନେଲ ଅଫ କ୍ଲାଇମେଟ୍‌ ଚେଞ୍ଜ)ପ୍ରସ୍ତୁତ କରିଥିବା ସଦ୍ୟ ରିପୋର୍ଟ ଉନ୍ମୋଚନ ହେବା ପୂର୍ବରୁ ପ୍ରଘଟ ହୋଇଯାଇଛି। ଏହି ରିପୋର୍ଟରୁ ଜଣାପଡ଼ିଛି ଯେ, ବିଶ୍ୱ ତାପାୟନରେ  ବୃଦ୍ଧି ସାରା ବିଶ୍ୱ ପାଇଁ ଘୋର ଚିନ୍ତାର କାରଣ ପାଲଟିଛି। ଏହା ସହିତ ୨୦୪୦ ସୁଦ୍ଧା  ବିଶ୍ୱ ତାପାମାତ୍ରାରେ ପ୍ରାୟ ୧.୫ ଡିଗ୍ରି ଯାଏଁ ବୃଦ୍ଧି ହେବା  ଆଶଙ୍କା କରାଯାଇଛି।  ଏହି ପରିସ୍ଥିତିକୁ ନିୟନ୍ତ୍ରଣ କରାନଗଲେ ପୃଥିବୀ ପ୍ରତି   ବଡ଼ ବିପଦ ମାଡ଼ି ଆସିବ ବୋଲି ରିପୋର୍ଟରେ କୁହାଯାଇଛି। ଏହି ରିପୋର୍ଟରେ ଏହା ମଧ୍ୟ ଉଲ୍ଳେଖ ରହିଛି ଯେ, ସମସ୍ତ ଦେଶ ଯୁଦ୍ଧକାଳୀନ ଭିତ୍ତିରେ ଅଙ୍ଗାର ପ୍ରଦୂଷଣ କମାଇବା ପାଇଁ ଚେଷ୍ଟା କରିବା ସହ ପରିବେଶର ସୁରକ୍ଷା ପ୍ରତି ଅଧିକ ଧ୍ୟାନଦେବା  ଜରୁରୀ। ଏହି ରିପୋର୍ଟ ଅକ୍ଟୋବର ମାସରେ ଆସିବାର ଥିଲା, କିନ୍ତୁ ତାହା ପ୍ରଘଟ ହୋଇଯିବାରୁ  ଏ ବାବଦ ତଥ୍ୟ ଆଗୁଆ ଜଣାପଡ଼ିଯାଇଛି । ରିପୋର୍ଟରେ କୁହାଯାଇଛି ଯେ, ଏହି ବର୍ଦ୍ଧିତ ତାପମାତ୍ରା କାରଣରୁ ପାଣିପାଗରେ ପରିବର୍ତ୍ତନ, କୃଷି କ୍ଷେତ୍ରରେ କୁପ୍ରଭାବ, ଗ୍ଲେସିୟର ତରଳିବା ସାଙ୍ଗକୁ ସମୁଦ୍ର ପତ୍ତନରେ ମଧ୍ୟ ବୃଦ୍ଧି ହେବ। ଯେଉଁଥିପାଇଁ ବନ୍ୟା, ମରୁଡ଼ି ଓ ଝଡ଼ ତୋଫାନ ଭଳି ପ୍ରାକୃତିକ ବିପର୍ଯ୍ୟୟ ଦେଖିବାକୁ ମିଳିବ। ତାପମାତ୍ରା ବୃଦ୍ଧିର ମୂଳକାରଣ ପାଲଟିଥିବା ଅଙ୍ଗାର ପ୍ରଦୂଷଣକୁ ରୋକିବା ପାଇଁ ଦେଶଗୁଡ଼ିକ ଆନ୍ତରିକ ପ୍ରଚେଷ୍ଟା କରିବା ଆବଶ୍ୟକ ବୋଲି ରିପୋର୍ଟରେ କୁହାଯାଇଛି। ୨୦୧୫ ମସିହାରେ ଜଳବାୟୁଜନିତ ସଙ୍କଟରୁ ମୁକ୍ତି ପାଇଁ ସବୁ ଦେଶ ପ୍ୟାରିସ ଚୁକ୍ତିିରେ ସ୍ୱାକ୍ଷର କରିଥିଲେ।   ଏହାପରେ ଅନ୍ତର୍ଜାତୀୟ ସ୍ତରରେ କଠୋର ନିୟମ ମଧ୍ୟ ପ୍ରଣୟନ  କରାଯାଇଛି।