ମାଡ୍ରିଡ୍‌( ସ୍ପେନ୍‌): ୨୦୨୪ ପୂର୍ବରୁ ସମଗ୍ର ବିଶ୍ବରେ ପର୍ଯ୍ୟଟନ ଅବସ୍ଥା କୋଭିଡ୍‌-ପୂର୍ବ ସ୍ତରକୁ ଫେରିବ ନାହିଁ ବୋଲି ମଙ୍ଗଳବାର ଦିନ ବିଶ୍ବ ପର୍ଯ୍ୟଟନ ସଂଗଠନ କହିଛି।

Advertisment

୨୦୨୦ରେ ପର୍ଯ୍ୟଟନରେ ୪%ରୁ ଅଧିକ ଅଭିବୃଦ୍ଧି ଘଟିଥିଲା। କିନ୍ତୁ, ସାମାନ୍ୟ‌ ହେଲେ ବି ଦ୍ରୁତ ସଂକ୍ରମଣଶୀଳ ଓମିକ୍ରନ୍‌ ଭେରିଏଣ୍ଟ୍‌ ୨୦୨୨ରେ ପର୍ଯ୍ୟଟନ ଅଭିବୃଦ୍ଧ କ୍ଷେତ୍ରରେ ବାଧା ସୃଷ୍ଟି କରିଛି ବୋଲି ମାଡ୍ରିଡ୍‌ସ୍ଥିତ ଜାତିସଂଘ ଏଜେନ୍‌ସି ‘ବାରୋମିଟର୍‌’ କହିଛି।

୨୦୧୯ ଅପେକ୍ଷା ୨୦୨୦ରେ ପର୍ଯ୍ୟଟନରୁ ପ୍ରାପ୍ତ ରାଜସ୍ବ ୭୨% ହ୍ରାସ ପାଇଥିଲା। କରୋନାଭାଇରସ୍‌ ମହାମାରୀ ଆରମ୍ଭ ଯୋଗୁଁ ଏଭଳି ପରିସ୍ଥିତି ହୋଇଥିଲା।

ଏ ସଂକ୍ରାନ୍ତରେ ଜାରି ପ୍ରେସ୍‌ ରିଲିଜ୍‌ରେ ‘ୟୁଏନ୍‌ଡବ୍ଲୁଟିଓ’ କହିଛି, ଗମନାଗମନ କଟକଣା, ଟିକାକରଣ ହାର ଏବଂ ପର୍ଯ୍ୟଟକଙ୍କ ଆତ୍ମବିଶ୍ବାସରେ ଫରକ ଯୋଗୁଁ ବିଶ୍ବର ବିଭିନ୍ନ ଅ‌ଞ୍ଚଳରେ ପର୍ଯ୍ୟଟନ ସୁଧାର ହାର ମନ୍ଥର ଏବଂ ଅସମାନ ରହୁଛି।

publive-image Image Courtesy of Yahoo Finance

୨୦୨୦ ଅପେକ୍ଷା ଗତବର୍ଷ ୟୁରୋପ୍‌ ଏବଂ ଆମେରିକାକୁ ବିଦେଶୀ ପର୍ଯ୍ୟଟକମାନଙ୍କ ସଂଖ୍ୟା ଯଥାକ୍ରମେ ୧୯% ଓ୧୭% ବୃଦ୍ଧି ପାଇଥିଲା।

କିନ୍ତୁ, ୨୦୨୧ରେ ମଧ୍ୟପ୍ରାଚ୍ୟରେ ବିଦେଶୀ ପର୍ଯ୍ୟଟକମାନଙ୍କ ସଂଖ୍ୟା ୨୪% ହ୍ରାସ ପାଇଥିଲା। ସେହିଭଳି, ଏସିଆ-ପେସିଫିକ୍‌ ଅଞ୍ଚଳରେ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟ ୨୦୨୦ ଠାରୁ ୬୫% କମ୍ ଅର୍ଥାତ୍‌ ମହାମାରୀ ପୂର୍ବ ସମୟ ଠାରୁ ୯୪% କମ୍‌ ଥିଲା।

ଉକ୍ତ ବିବୃତିରେ ଆହୁରି ମଧ୍ୟ ଉଲ୍ଲେଖ ଅଛି ଯେ, ଓମିକ୍ରନ୍‌ ଲହର୍‌ ଯୋଗୁଁ ଚଳିତ ବର୍ଷର ପ୍ରାରମ୍ଭିକ ମାସଗୁଡ଼ିକରେ ବାଧା ଉପୁଜିଥିଲେ ମଧ୍ୟ ଆଗକୁ ପର୍ଯ୍ୟଟନ କ୍ଷେତ୍ରରେ ଅଭିବୃଦ୍ଧିର ଆଭାସ ମିଳୁଛି। କିନ୍ତୁ, ଅଧିକାଂଶ ବିଶେଷଜ୍ଞ କହୁଛନ୍ତି ଯେ, ୨୦୨୪ ପୂର୍ବରୁ ପର୍ଯ୍ୟଟନ ମହାମାରୀ ପୂର୍ବାବସ୍ଥାକୁ ଫେରିବ ନାହିଁ।

ତେଣୁ, ପର୍ଯ୍ୟଟନ ଉପରେ ନିର୍ଭରଶୀଳ ଅନେକ ଦେଶ ସ୍ବାଭାବିକ ପରିସ୍ଥିତିକୁ ଅଧୈର୍ଯ୍ୟ ହୋଇ ଅପେକ୍ଷା କରିଛନ୍ତି।