ଓ୍ଵାସିଂଟନ : ଭାରତରେ ଦୁଇଟି କରୋନା ଟିକାର ପରୀକ୍ଷଣ ଚାଲିଥିବାବେଳେ ଆମେରିକାରେ ବିଶ୍ୱର ବୃହତ୍ତମ କରୋନା ଟିକା ପରୀକ୍ଷଣ ଆରମ୍ଭ ହୋଇଛି । ଏହି ଟିକାର ନାଁ ହୋଇଛି ଏମଆରଏନଏ-୧୨୭୩ । ମୋଡେର୍ନା କମ୍ପାନି ପକ୍ଷରୁ ଏହି ଟିକାର ବିକାଶ କରାଯାଇଥିବା ବେଳେ କେବଳ ସୋମବାରଦିନ ପ୍ରାୟ ୩୦ ହଜାର ସ୍ୱେଚ୍ଛାସେବୀଙ୍କୁ ଏହି ଟିକା ଦିଆଯିବାର କାର୍ଯ୍ୟକ୍ରମ ରହିଛି ।

Advertisment

ଏହି ଟିକା ମୋଡେର୍ନା କମ୍ପାନି ଆମେରିକା ସରକାରଙ୍କ ଜାତୀୟ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ସହଯୋଗରେ ପ୍ରସ୍ତୁତ କରିଛି । ଏକ ଅଭିନବ ଉପାୟରେ ଏହି ପରୀକ୍ଷଣ ଆରମ୍ଭ ହୋଇଛି । ସ୍ୱେଚ୍ଛାସେବୀମାନଙ୍କୁ ଦୁଇଭାଗରେ ବିଭକ୍ତ କରାଯାଇ, କେତେକଙ୍କୁ ଏହି ଟିକା ଓ ଅନ୍ୟମାନଙ୍କୁ ଏକ ନକଲି ଟିକା ଦିଆଯିବ । କିନ୍ତୁ ଏ ସଂପର୍କରେ ସ୍ୱେଚ୍ଛାସେବୀମାନଙ୍କୁ କିଛି କୁହାଯିବ ନାହିଁ । ଏହା ପରେ ସେମାନଙ୍କୁ କରୋନା ସଂକ୍ରମିତ ଅଞ୍ଚଳରେ ବୁଲିବାକୁ କୁହାଯିବ । ଏହି ସମୟରେ ସେମାନଙ୍କ ଉପରେ ଗବେଷକମାନେ ନଜର ରଖିବେ । କିଛି ଦିନ ପରେ ସେମାନଙ୍କର ପୁଣି ପରୀକ୍ଷଣ ହେବ । ଏହିପରିଭାବରେ ଟିକାର ପ୍ରଭାବକୁ ଯାଞ୍ଚ କରାଯିବ ।

ଏହି ଟିକାର ବିକାଶ ଓ ପରୀକ୍ଷଣ ପାଇଁ ଆମେରିକା ସରକାରଙ୍କ ବାୟୋମେଡିକାଲ ରିସର୍ଚ୍ଚ ଏଣ୍ଡ ଡେଭଲପମେଣ୍ଟ ଅଥରିଟି ପକ୍ଷରୁ ପାଣ୍ଠି ଯୋଗାଇଦିଆଯାଇଛି । ବିଶ୍ୱରେ ଆଉ କେତେକ କରୋନା ଟିକାର ମାନବ ପରୀକ୍ଷଣ ଲଣ୍ଡନ, ମସ୍କୋ ଓ ଚୀନରେ ଚାଲିଛି ।