ମୁମ୍ବାଇ: ଭାରତ ବିଶ୍ୱର ସବୁଠୁ ବଡ ଦୂରବୀକ୍ଷଣ ଯନ୍ତ୍ର ‘ଥାର୍ଟି ମିଟର ଟେଲିସ୍କୋପ’ (ଟିଏମଟି)ର ନକ୍ସା ପ୍ରସ୍ତୁତ କରିବା ସହ ଏହାର ନିର୍ମାଣ କରିବାରେ ଗୁରୁତ୍ୱପୂର୍ଣ ଭୂମିକା ଗ୍ରହଣ କରୁଛି। ଏହା ନାସାର ହବଲ୍‌ ସ୍ପେସ୍‌ ଟେଲିସ୍କୋପ୍‌ଠାରୁ ୧୨ ଗୁଣ ଅଧିକ କ୍ଷମତା ବିଶିଷ୍ଟ ବୋଲି ଜଣାପଡ଼ିଛି।  ‌େୱାର୍ଲିର ନେହରୁ ବିଜ୍ଞାନ କେନ୍ଦ୍ରଠାରେ ଗୁରୁବାର ହୋଇଥିବା ବିଜ୍ଞାନ ସମାବେଶରେ ଟିଏମ୍‌ଟିର ସହଯୋଗୀ ନିର୍ଦେଶକ ଏ.ଏନ୍‌ ରାମପ୍ରକାଶ କହିଛନ୍ତି, ଏହି ପ୍ରକ୍ରିୟାରେ ଦୂରବୀକ୍ଷଣ ନିୟନ୍ତ୍ରଣ ପଦ୍ଧତି, ସଫ୍ଟୱେର୍‌ ଏବଂ ଯନ୍ତ୍ରାଂଶ ନିର୍ମାଣରେ ଭାରତର ବଡ ଭୂମିକା ରହିଛି। ଇଣ୍ଟର୍‌ ୟୁନିଭର୍ସିଟି ଫର ଆଷ୍ଟ୍ରୋନମି ଆଣ୍ଡ ଆଷ୍ଟ୍ରୋଫିଜିକ୍ସ (ଆଇୟୁସିଏଏ) ପୁନେରେ କାର୍ଯ୍ୟରତ ରାମପ୍ରକାଶ କହିଛନ୍ତି ଏହାର ନିର୍ମାଣ ପ୍ରକ୍ରିୟା ଏହି ବର୍ଷ ଆରମ୍ଭ ହୋଇଯିବ ଏବଂ ଏହାର ନିର୍ମାଣ କାର୍ଯ୍ୟ ୨୦୨୯-୩୦ ଶେଷ ହେବ। ଏହା ଥରେ କାର୍ଯ୍ୟକ୍ଷମ ହୋଇଗଲେ ବିଶ୍ୱର ବଡ ନକ୍ସା ଯୋଗାଇବାରେ ସହାୟକ ହେବ ବୋଲି ସେ କହିଛନ୍ତି।

Advertisment

ଫାଷ୍ଟ ଲାଇଟ୍‌ ଇନ୍ସ୍‌ଟ୍ରୁମେଣ୍ଟ୍‌ କୁହାଯାଉଥିବା ଏହି ଦୂରବୀକ୍ଷଣର ନିର୍ମାଣରେ ଭାରତର ଶିଳ୍ପ ସଂସ୍ଥା ବ୍ୟତୀତ ବିଭିନ୍ନ ସଂସ୍ଥା ସମ୍ପୃକ୍ତ ଅଛନ୍ତି। ଏଥିରେ ଆଇୟୁସିଏଏ ବ୍ୟତୀତ ବେଙ୍ଗାଲୁରୁର ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଆଷ୍ଟ୍ରୋଫିଜିକ୍ସ୍‌ ଏବଂ ନୈନିତାଲର ଆର୍ଯ୍ୟଭଟ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଅବ୍‌ଜର୍‌ଭସନାଲ ସାଇନ୍ସ୍‌ର ଯୋଗଦାନ ରହିଛି। ଭାରତୀୟ ଶିଳ୍ପ ସଂସ୍ଥା ପକ୍ଷରୁ ଏହାର ସେନ୍ସର୍‌ ଏବଂ ଅନ୍ୟ ବୈଷୟିକ ସହାୟତା ଯୋଗାଉଛନ୍ତି। ଏହାର ସେନ୍ସର୍‌ ପୁଡୁଚେରୀରେ ନିର୍ମାଣ ହେଉଥିବା ବେଳେ ଏହାର ଆକ୍‌ଚୁଏଟର୍‌ର ନିର୍ମାଣ ବେଙ୍ଗଲୁରୁରେ ହେଉଥିବା ଜଣାପଡିଛି।  ଏହାର ନିୟନ୍ତ୍ରଣ ପଦ୍ଧତି ପୁନେଠାରେ ପ୍ରସ୍ତୁତ କରାଯାଉଛି।